ଛୋଟ ଶିଶୁର କିପରି ନେବେ ଯତ୍ନ

ଭୁବନେଶ୍ୱର : ମାତୃତ୍ୱ ହିଁ ଆଣିଦିଏ ନାରୀ ଜୀବନରେ ପୂର୍ଣ୍ଣତା । ନୂଆ ନୂଆ ବାପା ମା’ ହୋଇଥିବା ଦମ୍ପତିଙ୍କ ପାଇଁ ପ୍ରସବପରେ ନବଜାତ ଶିଶୁର ଯତ୍ନ ନେବା କଷ୍ଟକର ହୋଇପଡ଼େ। ଅନଭିଜ୍ଞ ହୋଇଥିବାରୁ କେଉଁଟା ଠିକ କେଉଁଟା ଭୁଲ, କ’ଣ କରିବା ଉଚିତ, କ’ଣ ଅନୁଚିତ ତାହା ସେମାନେ ଜାଣିପାରନ୍ତି ନାହିଁ । ଫଳରେ ଅନେକ ସମୟରେ ନବଜାତ ଶିଶୁଙ୍କର ଶାରୀରିକ ତଥା ମାନସିକ ବିକାଶ ଠିକ ଭାବରେ ହୋଇ ନ ଥାଏ । ନବଜାତ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଜନ୍ମ ପରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ନବଜାତ ଶିଶୁଟି ୯ ମାସ ମା’ ଗର୍ଭରେ ଥିବା ବେଳେ ତା’ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍ ରହିଥାଏ। ପ୍ରସବ ପରେ ନବଜାତ ଶିଶୁର ଶରୀରର ତାପମାତ୍ରା ପ୍ରତି ଅଧିକ ସଜାଗ ରହିବା ଆବଶ୍ୟକ। ଶିଶୁକୁ ଆବଶ୍ୟକତା ଅନୁଯାୟୀ କପଡ଼ା ଘୋଡ଼ାଇ ରଖିବା ଉଚିତ ଅର୍ଥାତ ତାପମାତ୍ରା ବେଶି କିମ୍ବା କମ୍ ହେବା ଉଚିତ ନୁହେଁ । ଅନେକ ବାପା ମା’ ନବଜାତ ଶିଶୁଙ୍କୁ ଏହି ସମୟରେ ଖାଲି ଦେହରେ ରଖନ୍ତି, କିନ୍ତୁ ଏହା ଠିକ୍ ନୁହେଁ । କାରଣ ଏଥିଯୋଗୁଁ ଶିଶୁଟି ନିଜ ଶରୀରର ଉଷ୍ମତା ହରାଇଥାଏ । ଶିଶୁଟି ରହୁଥିବା ଘରର ତାପମାତ୍ରା ୨୮ ଡିଗ୍ରୀ ମଧ୍ୟରେ ରଖନ୍ତୁ । ନିୟମିତ ଏସି, ପଙ୍ଖା ବ୍ୟବହାର କଲେ କିମ୍ବା ଥଣ୍ଡା ହାତରେ ଶିଶୁକୁ ଧରିଲେ ନବଜାତଙ୍କ ଦେହ ଖରାପ ହୋଇଥାଏ । ବାହ୍ୟ ପବନ ଯେପରି ଶିଶୁ ଦେହକୁ ସ୍ପର୍ଶ କରି ନ ପାରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ସମୟ ପୂର୍ବରୁ ଜନ୍ମ ହୋଇଥିବା କିମ୍ବା କମ୍ ଓଜନର ଶିଶୁମାନଙ୍କ ଶରୀର ଶୀଘ୍ର ଥଣ୍ଡା ପଡ଼ିଯିବାର ସମ୍ଭାବନା ଥାଏ । ଏହି ଶିଶୁମାନଙ୍କୁ ମାଆର ଦୁଇ ସ୍ତନ ମଧ୍ୟରେ ରଖି ସଫା କପଡ଼ାରେ ଭଲ ଭାବରେ ଘୋଡ଼ାଇ ରଖନ୍ତୁ । ଏହାକୁ ‘କଙ୍ଗାରୁ ମଦର କେୟାର’ କୁହାଯାଏ । ଏହି ସମୟରେ ଶିଶୁର ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଛି କି ନାହିଁ ଏବଂ ଶରୀର ଠିକ୍ ଅଛି କି ନାହିଁ ତାହା ମଧ୍ୟ ଦେଖି ନିଅନ୍ତୁ । ଏହାକୁ ମା’ ବ୍ୟତୀତ ଅନ୍ୟ ସଦସ୍ୟମାନେ ମଧ୍ୟ କରିପାରିବେ । ତେବେ ଏହାକୁ କରିବା ବେଳେ ନିଜର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତୁ ।

ମା’ କ୍ଷୀର ନବଜାତ ଶିଶୁ ପାଇଁ ଅମୃତ ସଦୃଶ୍ୟ। ଏହା ଶିଶୁର ଶାରୀରିକ ତଥା ମାନସିକ ବିକାଶରେ ସହାୟକ ହୋଇଥାଏ। ସେଥିପାଇଁ ଶିଶୁଟି ଜନ୍ମ ହେବାର ୩୦ ମିନିଟ୍ ମଧ୍ୟରେ ତାକୁ ସ୍ତନ୍ୟପାନ ଆରମ୍ଭ କରାଇବା ଉଚିତ୍ । ପ୍ରସବ ପରେ ମା’ ଅଚେତ ଅବସ୍ଥାରେ ଥିଲେ ମଧ୍ୟ ଶିଶୁକୁ ସ୍ତନ୍ୟପାନ କରାନ୍ତୁ । ପ୍ରସବ ପରେ ଦୁଇ ତିନି ଘଣ୍ଟାର ବ୍ୟବଧାନରେ ଶିଶୁଟିକୁ ବାରମ୍ବାର ଠିକ୍ ଭାବେ ସ୍ତନ୍ୟପାନ କରାଇବା ଉଚିତ୍ । ମା’ କ୍ଷୀର କମ୍ ହେବା ଏକ ସାଧାରଣ ସମସ୍ୟା । ଶିଶୁଟି ଜନ୍ମ ହେବାର ଦୁଇ ରୁ ତିନି ଦିନ ମଧ୍ୟରେ ମା’ ସ୍ତନରୁ ବାହାରୁଥିବା କ୍ଷୀରର ପରିମାଣ କମ୍ ଏବଂ ବହଳିଆ ହୋଇଥାଏ । ଏହାକୁ ଡାକ୍ତରୀ ଭାଷାରେ “କୋଲଷ୍ଟ୍ରମ୍” କୁହାଯାଏ । ନବଜାତ ଶିଶୁକୁ ଏହି କ୍ଷୀର ନିଶ୍ଚିତ ଭାବେ ଖୁଆନ୍ତୁ । ଏହା ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ସମୟକ୍ରମେ ମା’ କ୍ଷୀର ପରିମାଣ ଶିଶୁର ଆବଶ୍ୟକତା ଅନୁସାରେ ବଢ଼ି ଚାଲେ। ପ୍ରଥମ ୬ ମାସ ନବଜାତ ଶିଶୁଙ୍କୁ କେବଳ ମା’ କ୍ଷୀର ଦେବା ଉଚିତ। ଏହି ସମୟରେ ଶିଶୁଙ୍କୁ ଅନ୍ୟ କୌଣସି ଖାଦ୍ୟ କିମ୍ବା ପାଣି ଦିଅନ୍ତୁ ନାହିଁ। ପ୍ରତ୍ୟେକ ଥର ଶିଶୁକୁ ସ୍ତନ୍ୟପାନ କରାଇବା ପରେ ତାକୁ ନିଜ କାନ୍ଧ ପାଖକୁ ନେଇ ତା’ ପିଠିକୁ ଧୀରେ ଧୀରେ ଥାପୁଡ଼େଇ ଦିଅନ୍ତୁ। ଏହା ଦ୍ୱାରା ଶିଶୁର ପେଟରେ ଥିବା ପବନ ବାହାରିଯାଏ ।

ଅନେକ ସମୟରେ ଦେଖାଯାଏ ଶିଶୁଟି ଆବଶ୍ୟକ ପରିମାଣର କ୍ଷୀର ପିଉଛି କି ନାହିଁ ତାହା ବାପା ମା’ ଜାଣି ପାରନ୍ତି ନାହିଁ । ଏଥିପାଇଁ ଆପଣଙ୍କ ଶିଶୁ କେତେ ଥର ପରିସ୍ରା କରୁଛି ତାହା ଲକ୍ଷ୍ୟ କରନ୍ତୁ । ନବଜାତ ଶିଶୁମାନେ ପ୍ରଥମ କିଛି ଦିନ ପାଇଁ ଦୁଇ ତିନି ଥର ପରିସ୍ରା କରିଥା’ନ୍ତି । ତେବେ ଧୀରେ ଧୀରେ ଶିଶୁର ପରିସ୍ରା କରିବାର ପରିମାଣ ବଢ଼ିଯାଏ । ୬ ଦିନ ମଧ୍ୟରେ ଶିଶୁ ମାନେ ଦିନକୁ ୭ ଥରରୁ ଅଧିକ ଥର ପରିସ୍ରା କରିଥା’ନ୍ତି। ଏହାକୁ ଦେଖି ଆମେ ଜାଣିପାରିବା ଶିଶୁଟି ଆବଶ୍ୟକ ପରିମାଣର କ୍ଷୀର ପିଉଛି କି ନାହିଁ।

ପ୍ରସବ ପରେ ନବଜାତ ଶିଶୁଙ୍କ ନାଭି ଓ ଚର୍ମର ଯତ୍ନ ନେବା ନିହାତି ଆବଶ୍ୟକ। ନାଭିର ନାଡ଼ି କଟା ହେବା ପରେ ତାକୁ ସେହିଭଳି ଭାବରେ ଖାଲି ଛାଡ଼ି ଦିଆଯାଇପାରେ କିମ୍ବା ରେକ୍‌ଟିଫାଏଡ୍‌ ସ୍ପିରିଟ୍ ଲଗାଇ ପରିଷ୍କାର କରାଯାଇପାରେ। ଏହା ସପ୍ତାହେ ମଧ୍ୟରେ ଆପେ ଆପେ ଝଡ଼ିଯାଏ। ତା’ପରେ ଶିଶୁକୁ ମାସେ ପୂରିବା ଯାଏଁ କେବଳ ପୋଛା ପୋଛି କରି ଦିଅନ୍ତୁ। ଯଦି ଆପଣଙ୍କ ଶିଶୁର ଆଖିରୁ କୌଣସି ପ୍ରକାର ଜିନିଷ ବାହାରେ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

LEAVE A REPLY

Please enter your comment!
Please enter your name here