34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ଦାବୀରେ ନେତାଜୀ ସଂଗ୍ରାମ ପରିଷଦର ଧାରଣା

ବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ଦାବୀରେ ନେତାଜୀ ସଂଗ୍ରାମ ପରିଷଦର ଧାରଣା

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ରେ ନେତାଜୀ ସଂଗ୍ରାମ ପରିଷଦ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆନ୍ଦୋଳନକାରୀମାନଙ୍କ ତରଫରୁ କୁହାଯାଇଛି ଯେ , ରାଜ୍ୟ ସରକାର କେବିକେ ଅଂଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ସମଗ୍ର କେବିକେ ଅଂଚଳରେ ଏକ ନୂତନ ଉତ୍ସାହ ଦେଖା ଦେଇଥିଲା । ତେବେ ବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସମସ୍ତ ଭିତ୍ତିଭୂମି ରହିଥିବାରୁ ବଲାଙ୍ଗୀରରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ମହଲରେ ସ୍ୱର ଉଠିଥିଲା । ବିଭିନ୍ନ ସମୟରେ ବହୁ ଅନୁଷ୍ଠାନ ଏହାକୁ ନେଇ ଆନ୍ଦୋଳନ ମଧ୍ୟ କରିଥିଲେ । ତେବେ ରାଜ୍ୟ ସରକାର ତାଙ୍କର ଘୋଷଣାକୁ ସମ୍ପୁର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଏହା ସହିତ ବଲାଙ୍ଗୀର ହେଉଛି ଏକ ଦାଦନ ପ୍ରବଣ ଓ ଚିର ମରୁଡି ପ୍ରବଣ ଅଂଚଳ । ବଲାଙ୍ଗୀର ଏକ ଶିଳ୍ପବିହୀନ ଜିଲ୍ଲା ହୋଇଥିବା ବେଳେ ନିଶ୍ଚିତ ଜଳସେଚନର ହାର ମାତ୍ର ୩ ପ୍ରତିଶତ । ଜିଲ୍ଲାରୁ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଉନ୍ନତମାନର କପା ଓ କେନ୍ଦୁପତ୍ର ଉତ୍ପାଦିତ ହୋଇଥାଏ । ଧାନ ସହିତ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟର ମଧ୍ୟ ଉତ୍ପାଦିତ ହୋଇଥାଏ । ବାସ୍ତବରେ ଦେଖିବାକୁ ଗଲେ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଘଟାଇବାର ସମସ୍ତ ପ୍ରକାର ଭିିତ୍ତିଭୂମି ଥିଲେ ମଧ୍ୟ ରାଜନୈତିକ ଉଦାସୀନତା ଯୋଗୁଁ ଜିଲ୍ଲାର ଅର୍ଥନୀତି ରସାତଳଗାମୀ ହେବାରେ ଲାଗିଛି । ଏହି ସବୁ ଦୃଷ୍ଟିରୁ ଦେଖିଲେ ତଥା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ହେଲେ କୃଷି ବିଶ୍ୱବିଦ୍ୟାଳୟ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ଉଚିତ । କାରଣ ବଲାଙ୍ଗୀର ସହର ନିକଟସ୍ଥ ଲର୍କିପାଲି ଠାରେ ବହୁ ପୁରାତନ ଗ୍ରାମ ସେବକ ତାଲିମ କେନ୍ଦ୍ର ରହିଛି । ବର୍ତ୍ତମାନ ଏହା ଆଂଚଳିକ ତାଲିମ ସଂପ୍ରସାରଣ ପ୍ରତିଷ୍ଠାନ ଭାବେ ପରିଚିତ । ୧୯୪୯ ମସିହାରୁ ଏହି ପ୍ରତିଷ୍ଠାନରେ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ ସହିତ ଉନ୍ନତମାନର ତାଲିମ ପ୍ରଦାନ କରାଯାଉଛି । ଏତତ୍ ବ୍ୟତୀତ ଲର୍କିପାଲି ଠାରେ ଜିଆ ପ୍ରଜଯନ କେନ୍ଦ୍ରର ପ୍ରୟୋଗଶାଳା , ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ର ଓ କୃଷି କ୍ଷେତ୍ରର ବିକାଶ ପାଇଁ ଗବେଷଣା କେନ୍ଦ୍ର ରହିଛି । ଲର୍କିପାଲି ଠାରେ ଏକ ବିରାଟ ଜଳ ଉତ୍ସ ରହିବା ସହିତ କୃଷି ବିଭାଗର ବହୁ ପରିମାଣରେ ଜମି ରହିଛି । ଇତି ମଧ୍ୟରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମଧ୍ୟ ସମ୍ପୁର୍ଣ୍ଣ ହେବାର ସମ୍ଭାବନା ରହିଛି । ଏହି ସବୁକୁ ଦୃଷ୍ଟିରେ ରଖି ବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉ ବୋଲି ନେତାଜୀ ସଂଗ୍ରାମ ପରିଷଦ ଦାବି କରିଛି । ସଂଗ୍ରାମ ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଦିଆଯାଇଥିବା ଧାରଣାରେ ବଲାଙ୍‌ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣୀଗ୍ରାହୀ, ନାଗରିକ କମିଟିର ନୀଳମଣୀ ମିଶ୍ର , ବିଷ୍ଣୁ କେଡିଆ, ଦେବାଶିଷ ବିଶ୍ୱାଲ, ଅଶୋକ ରାଉତ, ଅମନ ନାଗ, ରିଲୁ ରଥ, ଜଗନ୍ମାଥ ମହାରଣା , ଇଂ.ହିତେଷ ସାହୁ , ରଘୁ ନନ୍ଦନ ସିଂ , ଭାସ୍କର ନାଏକ , ଗୋପାଳ ଚନ୍ଦ୍ର ହୋତା , ଡ.ବିପିନ କୁଶଲିଆ ଓ ଗୋବର୍ଦ୍ଧନ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking