29.1 C
Bhubaneswar
Saturday, April 20, 2024
Homeଓଡିଶାଇକାମୋ ଚିକିତ୍ସା ପାଇଁ ସାହାଯ୍ୟ ମାଗିଲେ ଦିବ୍ୟ ରଞ୍ଜନଙ୍କ ପରିବାର 

ଇକାମୋ ଚିକିତ୍ସା ପାଇଁ ସାହାଯ୍ୟ ମାଗିଲେ ଦିବ୍ୟ ରଞ୍ଜନଙ୍କ ପରିବାର 

ରାଉରକେଲା: ମହାମାରୀ କରୋନାରେ ପୀଡ଼ିତ ହୋଇ ରାଉରକେଲାର ଯୁବକ ଦିବ୍ୟ ରଞ୍ଜନ ବେହେରା(୩୮)ଙ୍କ ଫୁସଫୁସ୍ ସଂକ୍ରମଣ ମାତ୍ରାଧିକ ହୋଇଛି । ମାତ୍ର ଦେଢ଼ ମାସର ଶିଶୁପୁତ୍ରର ଜନକ ଦିବ୍ୟଙ୍କ ଏବେ କରୋନା ନେଗେଟିଭ୍ ଥିଲେ ବି ସେ ଜୀବନ ସଂଗ୍ରାମ ଜାରି ରଖିଛନ୍ତି । ଏପ୍ରିଲ ୨୬ରୁ କରୋନା ଚିକିତ୍ସା ଚାଲିଥିଲା । ମେ’ ୨୦ରେ ସେ ସମ୍ପୂର୍ଣ୍ଣ ଭାବେ କରୋନା ନେଗେଟିଭ ହୋଇଥିଲେ । ହେଲେ ବ୍ୟୟବହୁଳ ଚିକିତ୍ସାରେ ତାଙ୍କ ସମସ୍ତ ସମ୍ବଳ ଶେଷ ହୋଇଛି । ବର୍ତ୍ତମାନ ତାଙ୍କ ପରିବାର କପର୍ଦ୍ଦକ ଶୂନ୍ୟ ହୋଇପଡ଼ିଛି ବୋଲି ଦିବ୍ୟଙ୍କ ପତ୍ନୀ ପ୍ରତିଭା ପ୍ରିୟଦର୍ଶନୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ରାଜ୍ୟବାସୀଙ୍କଠାରୁ ସ୍ୱଳ୍ପ ସହଯୋଗ ମିଳିଲେ ତାଙ୍କ ସ୍ୱାମୀ ପୁନର୍ଜୀବନ ଲାଭ କରିବେ ବୋଲି ସେ ନେହୁରା ହୋଇଛନ୍ତି । ଏପରି ବୁକୁଫଟା କାହାଣୀ ହେଉଛି ରାଉରକେଲାର ଯୁବକ ଦିବ୍ୟରଞ୍ଜନ ବେହେରାଙ୍କର ।

ପତ୍ନୀ ପ୍ରତିଭାଙ୍କ କହିବାନୁଯାୟୀ, ସ୍ୱାମୀ ଦିବ୍ୟ ଭୁବନେଶ୍ୱର ପଟିଆରେ ଥିବା ୱିପ୍ରୋ କମ୍ପାନୀରେ ଚାକିରି କରୁଥିଲେ । ତାଙ୍କ ପିତା କୀର୍ତ୍ତନ ଚରଣ ବେହେରା ରାଉରକେଲାର ଏକ ସରକାରୀ ସ୍କୁଲରେ ପୂର୍ବତନ ପ୍ରଧାନଶିକ୍ଷକ ଭାବେ ଅବସରଗ୍ରହଣ କରିଥିଲେ । ଦିବ୍ୟ ରାଉରକେଲାରୁ ଶିକ୍ଷା ଶେଷ କରିଥିଲେ । ଦିବ୍ୟ ଭୁବନେଶ୍ୱରରେ ଚାକିରି କରୁଥିଲେ । ପ୍ରାୟ ଏକ ବର୍ଷ ପୂର୍ବେ ବିବାହ କରିଥିବା ଦିବ୍ୟଙ୍କ ଏକ ଦେଢ଼ ମାସର ପୁଅ ରହିଛି । ଏପ୍ରିଲ ୨୬ ତାରିଖରେ ତାଙ୍କୁ କରୋନା ସଂକ୍ରମଣ ହେଲା । ପରେ ସେ ହୋମ ଆଲୋସୋଲେସନ୍ ପରେ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହେଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହପସିଟାଲକୁ ସ୍ଥାନାନ୍ତରିତ କରାଗଲା । ସେଠାରେ ତାଙ୍କ କରୋନା ରିପୋର୍ଟ ନେଗେଟଭି ବାହାରିଥିଲା । ହେଲେ ସ୍ୱାମୀଙ୍କ ଫୁସ୍‌ଫୁସ୍ ମାତ୍ରାଧିକ ସଂକ୍ରମିତ ହୋଇଯାଇଥିଲା । ୟା ମଧ୍ୟରେ ସମସ୍ତ ସମ୍ବଳ ଶେଷ ହୋଇଯାଇଥିଲା । ଜୀବନ ବଞ୍ଚାଇବା ପାଇଁ ଜ୍ଞାତିକୁଟୁମ୍ବଙ୍କ ସହଯୋଗରେ ବହୁ କଷ୍ଟରେ ସମ ହସପିଟାଲରେ ଇକାମୋ ଚିକିତ୍ସା ପାଇଁ ଶଯ୍ୟା ମିଳିଥିଲା । ହେଲେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ପ୍ରାୟ ୬୦-୭୦ ଲକ୍ଷ ଟଙ୍କା ଆବଶ୍ୟକ । ଏତେ ଟଙ୍କା ଯୋଗାଡ଼ ପାଇଁ ସେ ରାଉରକେଲାର ସମସ୍ତ ସାମାଜିକ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କାମନା କରିଛନ୍ତି । କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ଆକାଉଣ୍ଟ୍ ନମ୍ବର ୦୦୪୨୧୦୪୦୦୦୪୪୧୬୬୭(ଆଇଏଫଏସସି କୋଡ଼୍‌-ଆଇବିକେ ଏଲ୦୦୦୦୦୪୨)ରେ ପ୍ରଦାନ କରିପାରିବେ । ରାଉରକେଲାର ପ୍ରଥମ ରୋଗୀ ଭାବେ ଦିବ୍ୟ ସମ୍ପ୍ରତି ଚିକିତ୍ସିତ ହେଉଛନ୍ତି । ସେହିପରି ଦିବ୍ୟଙ୍କ ମାଆ ମଧ୍ୟ ଭିଡିଓ ସାହାଯ୍ୟରେ ଲୋକଙ୍କୁ ସାହାଯ୍ୟ ମାଗୁଛନ୍ତି । ଏକମାତ୍ର ରୋଜଗାରିଆ ପୁଅର ଜୀବନ ବଞ୍ଚାଇବା ପାଇଁ ଯଥାସାଧ୍ୟ ସାହାଯ୍ୟ କରନ୍ତୁ ବୋଲି ସେ ନିବେଦନ କରୁଛନ୍ତି । ସୂଚନାଯୋଗ୍ୟ, ଦିବ୍ୟଙ୍କ ପିତା ୩ ବର୍ଷ ହେଲା ଶଯ୍ୟାଶାୟୀ । ବୃଦ୍ଧ ପିତାମାତାଙ୍କ ଅନ୍ୟ ଉପାୟ ନାହିଁ । ତେଣୁ ସହଯୋଗ ଲୋଡୁଛନ୍ତି ବୋଲି ଦିବ୍ୟଙ୍କ ମାଆ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking