33.1 C
Bhubaneswar
Thursday, April 25, 2024
Homeଓଡିଶାନାବାଳିକା ବେବି ନିଖୋଜ ଘଟଣାର ପର୍ଦ୍ଦାଫାସ୍

ନାବାଳିକା ବେବି ନିଖୋଜ ଘଟଣାର ପର୍ଦ୍ଦାଫାସ୍

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା ଅଧୀନସ୍ଥ ଧୁନ୍ଦୁଗାଡ଼ିଆ ଗ୍ରାମର ଶିଶୁକନ୍ୟା ବେବି ନାୟକ(୬) ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ମୋବାଇଲ୍‌ରୁ ମିଳିଛି ସୁରାକ୍ । ବେବି ନିଖୋଜର ୫ ଦିନ ପରେ ପୁଲିସକୁ ସଫଳତା ମିଳିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ରିପୋର୍ଟ ପ୍ରଦାନପାଇଁ ଅଧିକାରୀଙ୍କ ମଧ୍ୟରେ ଚାଲିଛି ମାନସ ମନ୍ଥନ । ଗୁରୁବାର ପୁଲିସ ବେବିର ଗଳିତ ଶବକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଥିବା ବେଳେ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ରାମର ସାଗର ଦଳେଇ(୨୦)କୁ ଗିରଫ କରିିଛି । ତେବେ ବେବିକୁ ଗତ ୧୨ ତାରିଖ ମଧ୍ୟାହ୍ନ ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ମୋବାଇଲ୍ ଦେଖାଇବା ବାହାନା କରି ଅଭିଯୁକ୍ତ ସାଗର ଗ୍ରାମଠାରୁ ପ୍ରାୟ ୧ କିମି ଦୂର ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲା । ସେଠାରେ ଅଭିଯୁକ୍ତ ବେବିକୁ ମୋବାଇଲ ଦେଖାଇବା ବାହାନାରେ ଦୁଷ୍କର୍ମ କରିଥିଲା । ଏକଥା କାଳେ ବେବି ବାହାରେ ପ୍ରଘଟ କରିଦେବ, ସେହି ଭୟରେ ଏକ ପ୍ଲାଷ୍ଟିକ ରଶିରେ ବେବିର ବେକକୁ ଚିପି ହତ୍ୟା କରିଥିଲା । ଏହାପରେ ଶବକୁ ଏକ କଦଳୀ ଗଛ ମୂଳରେ ଉଲଗ୍ନ ଅବସ୍ଥାରେ ଛାଡ଼ି ଚାଲି ଆସିଥିଲା । ବେବିର ବାପା କାଳୁ ଏବଂ ମାଆ ଝୁଲିଙ୍କ ସମେତ ଗାଁ ଲୋକେ ଗ୍ରାମ ନିକଟବର୍ତ୍ତୀ କୂଅ, ପୋଖରୀ, ନାଳ ପ୍ରଭୃତି ସ୍ଥାନ ଖୋଜାଖୋଜି କରି ନିରାଶ ହୋଇଥିଲେ ।

ପରଦିନ ପରିବାର ପକ୍ଷରୁ ଝିଅ ନିଖୋଜ ସମ୍ପର୍କରେ ବାଣିଗୋଛା ଥାନାରେ ଅଭିଯୋଗ ହେବା ପରେ ଗାଁରେ ଥାନା ଅଧିକାରୀ ବୈଦ୍ୟନାରାୟଣ ଭୋଇ ପହଁଚିଥିଲେ । ପରଦିନ ଅର୍ଥାତ୍ ୧୪ ତାରିଖ ଦିନ ସନ୍ଧାନୀ କୁକୁର ସମେତ ସାଇଣ୍ଟିଫିକ୍ ଟିମ୍‌, ୧ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ଖଣ୍ଡପଡ଼ା ଏସ୍‌ଡିପିଓ ପହଁଚି ତଦନ୍ତ କରିଥିଲେ । ମାତ୍ର ନିଖୋଜ ଶିଶୁର ସନ୍ଧାନ ପାଇନଥିଲେ । ଝିଅ ବିଭିନ୍ନ ମୋବାଇଲ ଦେଖୁଥିବା କଥା ପରିବାର ପକ୍ଷରୁ ଶୁଣିବା ପରେ ପୁଲିସ ଗ୍ରାମର କିଛି ଯୁବକଙ୍କ ମୋବାଇଲ୍ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସାଗରର ଫୋନ୍‌ରେ ନିଖୋଜ ଶିଶୁ କନ୍ୟା ବେବିର ଫଟୋ ଦେଖି ସନ୍ଦେହ ସୃଷ୍ଟିହେବାରୁ ସାଗର ଓ ତା’ର ଭାଇକୁ ପୁଲିସ ଥାନାକୁ ଆଣିଥିଲା । ପଚରାଉଚରା ସମୟରେ ସାଗରର କଥାରେ ତାଳମେଳ ରହୁନଥିବା ହେତୁ ପୁଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା । ପୁଲିସ୍‌ର ଅଧିକ ତଦନ୍ତ ପରେ ଅଭିଯୁକ୍ତ ସାଗର ବେବିକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

ଅଭିଯୁକ୍ତ ଠାରୁ ତଥ୍ୟ ପାଇବା ପରେ ଏସ୍‌ପି ସିଦ୍ଧାର୍ଥ କାଟରିଆ, ଏସ୍‌ଡିପିଓ ଶୁଭେନ୍ଦୁ ସିହ୍ନା ଏବଂ ସ୍ୱତନ୍ତ୍ର ଅନୁନ୍ଧାନକାରୀ ପୁଲିସ ଟିମ୍ ଧୁନ୍ଦୁଗାଡିଆରେ ଗ୍ରାମରେ ପହଁଚି ହତ୍ୟାକାରୀକୁ ସାଥିରେ ନେଇ ଘଟଣାର ମକ୍‌ଡ୍ରିଲ୍ କରିଥିଲେ । ଗ୍ରାମର ଅନତି ଦୂରରେ ଶିଶୁକନ୍ୟାର ଗଳିତ ଶବକୁ ମୁଣ୍ଡ-ଗଣ୍ଡି ଅଲଗା ଅଲଗା ସ୍ଥାନରୁ ଜବତ କରିଥିଲା । ଏନେଇ ବାଣିଗୋଛା ପୁଲିସ ଏକ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ୟବଛେଦ ପରେ ଶବକୁ ପରିବାର ପକ୍ଷରୁ ନିକଟସ୍ଥ କୁଆଁରିଆ ନଦୀରେ ପୋତି ଦିଆଯାଇଛି । ଏପଟେ ଗିରଫ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି । ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ସାଗର ତାମିଲନାଡୁରେ କାମ କରୁଥିବା ବେଳେ ତାଲାବନ୍ଦ ହେତୁ ଗାଁକୁ ଚାଲିଆସିଛି ।  ବେବି ପରିବାରର ଏକମାତ୍ର ଝିଅ ହୋଇଥିବା ବେଳେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ସାରା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏପଟେ ପୁଲିସ ଅଭିଯୁକ୍ତ ଠାରୁ ହତ୍ୟାରେ ବ୍ୟବହୃତ ପ୍ଲାଷ୍ଟିକ ଦଉଡ଼ି ଓ ମୋବାଇଲ୍ ଫୋନ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking