27.1 C
Bhubaneswar
Thursday, March 28, 2024
Homeଓଡିଶାକଅଁଳ ବୟସରେ ପରିବାର ବୋଝ : କାଠ ବିକ୍ରି ଓ ଖଲି ସିଲେଇ କଲେ ଜଳୁଛି...

କଅଁଳ ବୟସରେ ପରିବାର ବୋଝ : କାଠ ବିକ୍ରି ଓ ଖଲି ସିଲେଇ କଲେ ଜଳୁଛି ଚୁଲି

ନୟାଗଡ : ବୟସ ମାତ୍ର ୧୨ ବର୍ଷ । ଯେଉଁ ବୟସରେ ମା’, ବାପାଙ୍କ କୋଳରୁ ସ୍ନେହ ଆଦର ପାଇ ଖେଳାବୁଲା କରିବା ଓ ପାଠପଢ଼ିବା କଥା, ସେହି ବୟସରେ ସମ୍ଭାଳିବାକୁ ପଡୁଛି ପରିବାରର ବୋଝ । ମାଆଙ୍କ ମୃତ୍ୟୁ ଓ ବଡ଼ ଭଉଣୀଙ୍କ ବିବାହ ପରେ ବାପା, ସାନ ଭଉଣୀ ଓ ଭିନ୍ନକ୍ଷମ ଭାଇଙ୍କ ଭଲମନ୍ଦ ବୁଝୁଛନ୍ତି ଅନସୂୟା । ସରକାରୀ ଯୋଜନା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ ୧୫ କିଗ୍ରା ଚାଉଳ ପରିବାର ପାଇଁ ଏକମାତ୍ର ସାହାରା ସାଜିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚଢେୟାପଲ୍ଲୀ ପଞ୍ଚାୟତର ହନୁମନ୍ତ ଗ୍ରାମରେ । ଗ୍ରାମର ଅନସୂୟା ହେଉଛନ୍ତି ନନ୍ଦ ନାୟକଙ୍କ ୨ୟ ଝିଅ । ତାଙ୍କ ପରିବାର କହିଲେ ୩ ଗୋଟି ଝିଅ ଓ ଗୋଟିଏ ପୁଅ । କେତେବେଳେ ଦିନ ମଜୁରି ତ ପୁଣି କେତେବେଳେ ଜଙ୍ଗଲରୁ କାଠ ସଂଗ୍ରହ କରି ନନ୍ଦ ପରିବାର ଚଳାଇ ଆସୁଥିଲେ । ପତ୍ନୀ ମଞ୍ଜ ନାୟକ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବହୁ ଚିକିତ୍ସା ପରେ ପ୍ରାୟ ୩ ବର୍ଷ ତଳେ ଆଖି ବୁଜିଲେ । ପତ୍ନୀଙ୍କୁ ହରାଇବା ପରେ ୪ ଗୋଟି ଛୁଆଙ୍କୁ ନେଇ ପରିବାରର ବୋଝ ବଢ଼ି ଯାଇଥିଲା । ବହୁ ଦୁଃଖ କଷ୍ଟରେ ବଡ଼ ଝିଅର ବିବାହ କରିଦେଇଛନ୍ତି । ମାତ୍ର ଏବେ ୩ ଛୁଆଙ୍କ ପେଟକୁ ଆହାର ମୁଠେ ଯୋଗାଇବା ପାଇଁ ନନ୍ଦଙ୍କୁ ବହୁ ସଂଗ୍ରାମ କରିବାକୁ ପଡୁଛି । ସକାଳୁ ଉଠି ଜଙ୍ଗଲରୁ କାଠ ସଂଗ୍ରହ କରି ଏହାକୁ ବିକ୍ରୟ କଲେ ପରିବାରରେ ଚୁଲି ଜଳୁଛି । ଫଳରେ ଏବେ ପରିବାରର ବୋଝ ସମ୍ଭାଳିବାକୁ ପଡୁଛି ଅନସୂୟା (୧୨)ଙ୍କୁ । ସେ ୭ମ ଶ୍ରେଣୀରେ ପାଠ ପଢୁଥିବାବେଳେ ପାଠ ପାଇଁ ଯେତିକି ଆଗ୍ରହ ରହିଛି, ତାହା ଠାରୁ ବଳି ଯାଉଛି ପରିବାରର ଦାୟିତ୍ୱ । ବାପା କାମକୁ ବାହାରିଯିବା ପରେ ସାନ ଭଉଣୀ ସୁକାନ୍ତି(୧୦) ଓ ଭିନ୍ନକ୍ଷମ ଭାଇ ଅମିନ(୭)ଙ୍କ ଭଲମନ୍ଦ କଥା ବୁଝିବାକୁ ପଡୁଛି । ଏଥିସହିତ ଘରର କାମଧନ୍ଦା ସାରି ରୋଷେଇବାସ କରିବା ସହ ସମସ୍ତଙ୍କୁ ଖାଇବାକୁ ଦେଇ ସଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚିବାକୁ ପଡୁଛି । ମାତ୍ର ବଡ଼କଥା ହେଉଛି ପତ୍ନୀଙ୍କ ମୃତ୍ୟୁପରେ ରାସନ କାର୍ଡରୁ ନନ୍ଦଙ୍କ ନାମକୁ କାଟି ଦିଆଯାଇଛି । ଅନ୍ୟପକ୍ଷରେ ଭିନ୍ନକ୍ଷମ ପୁଅଙ୍କ ନାମକୁ ସଂଯୋଗ କରାଯାଇନାହିଁ । ପୁଅ ଅମିନ ପିଲାବେଳୁ ଛୋଟେଇ ଛୋଟେଇ ଚଲାବୁଲା କରୁଥିବାବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ବାରମ୍ବାର ଦରଖାସ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ମିଳି ପାରୁନଥିବା ସେ ଅଭିଯୋଗ କରିଛନ୍ତି । ଏପଟେ କରୋନା ସଂକ୍ରମଣକୁ ନେଇ ସ୍କୁଲ ବନ୍ଦ ରହିଥିଲେ ମଧ୍ୟ ପରିବାର ବୋଝକୁ ସମ୍ଭାଳିବାକୁ ଯାଇ ଏବେ ଦୁଇ ଝିଅ ଖଲି ସିଲାଇ କରୁଥିବା ଦେଖିବାକୁ ମିଳିଛି । ମୁଣ୍ଡଗୁଞ୍ଜି ରହିବା ପାଇଁ ପକ୍କାଘର ଖଣ୍ଡେ ତାଙ୍କ ପାଇଁ ସାତସପନ ପାଲଟିଛି । ସରକାରଙ୍କ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଏହି ପରିବାର ଦୁର୍ଦ୍ଦିନରେ ଗତି କରୁଥିବା ଦେଖିବାକୁ ମିଳିଛି । ପରିବାରର ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking