28.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ଆଳରେ ଅନ୍ୟ ରୋଗୀ ସେବା ବ୍ୟାହତ : ଝିଅର ଚିକିତ୍ସା ପାଇଁ ନୟାନ୍ତହେଲେ

କରୋନା ଆଳରେ ଅନ୍ୟ ରୋଗୀ ସେବା ବ୍ୟାହତ : ଝିଅର ଚିକିତ୍ସା ପାଇଁ ନୟାନ୍ତହେଲେ

ନୟାଗଡ : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ ଛୁଇଁବାକୁ ବସିଛି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ପାଇଁ ଯେଉଁ ଭଳି ପ୍ରୟାସ ଚଳାଇଛନ୍ତି, ସେଭଳି ପ୍ରୟାସ ସାଧାରଣ ରୋଗୀ କିମ୍ବା ଗୁରୁତର ରୋଗୀଙ୍କ ପାଇଁ ଦେଖିବାକୁ ମିଳୁ ନାହିଁ । ମଙ୍ଗଳବାର ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଟାଉନଥାନା ମୁକ୍ତାପୁର ଗ୍ରାମର ବ୍ୟଙ୍ଗକବି ରବୀନ୍ଦ୍ର ରାଉତ ମଙ୍ଗଳବାର ତାଙ୍କ ଝିଅର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୟାନ୍ତ ହୋଇଥିବା ଏବଂ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ହଠାତ୍ ରବୀନ୍ଦ୍ରଙ୍କ ୯ ବର୍ଷର ଝିଅ ସ୍ୱର୍ଣ୍ଣପ୍ରଭାର କାନରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲା । ଯନ୍ତ୍ରଣା ଏଭଳି ଥିଲେ ଯେ ଏହି ଛୋଟ ଝିଅଟି କାନ୍ଦ ବନ୍ଦ କରିବା ଅବସ୍ଥାରେ ନଥିଲା । ଯାହାକୁ ନେଇ ରବୀନ୍ଦ୍ର ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଟିକେଟ୍ କାଟିବା ପରେ ସେ ଝିଅକୁ ନେଇ ଆଉଟ୍‌ଡୋର୍‌ରେ ଦେଖାଇଥିଲେ । ମାତ୍ର ସେଠାରେ ଉପସ୍ଥିତ ଥିବା ତିନିଜଣ ଡାକ୍ତର ଝିଅକୁ ଚିକିତ୍ସା କରିବା ବଦଳରେ ମାତୃ ଶିଶୁ କୋଠାରେ ଥିବା ଶିଶୁ ବିଭାଗ ଡାକ୍ତରଙ୍କୁ ଦେଖା କରିବାକୁ ପରାମର୍ଶ ଦେଇଥିଲେ । ରବୀନ୍ଦ୍ର ଝିଅକୁ ନେଇ ଶିଶୁ ବିଭାଗ ଡାକ୍ତରଙ୍କୁ ଦେଖାଇବା ବେଳକୁ ସେ କର୍ଣ୍ଣ ବିଭାଗକୁ ପଠାଇ ଦେଇଥିଲେ । କର୍ଣ୍ଣ ବିଭାଗରେ କୌଣସି ଡାକ୍ତର ଉପସ୍ଥିତ ନଥିବାରୁ ରବୀନ୍ଦ୍ର ପୁଣି ଯାଇ ଆଉଟଡୋର୍ ଡାକ୍ତରଙ୍କୁ ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ ।
ମାତ୍ର କୌଣସି ଡାକ୍ତର ଝିଅକୁ ଚିକିତ୍ସା କରିବାକୁ ରାଜି ହୋଇନଥିଲେ । ଫଳରେ ସେ ହତୋତ୍ସାହିତ ହୋଇ ଏହି ଘଟଣାକୁ ନେଇ କଳାକାର ରବୀନ୍ଦ୍ର ଫେସବୁକ୍ ଲାଇଭ କରି ନୟାଗଡ଼ ଜିଲ୍ଲାବାସୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଏଥିସହ ସେ ପ୍ରତିବାଦ କରିବା ଉଦ୍ଦେଶ୍ୟରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଟିତୁଣ୍ଡ କରିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ । ଡାକ୍ତରଖାନାରେ ପୁଲିସ ପହଞ୍ଚି ଘଟଣା ସମ୍ପର୍କରେ ବୁଝାଶୁଝା କରିଥିଲେ । ପରିସ୍ଥିତି ଗମ୍ଭୀର ଦେଖି ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜଣେ ଡାକ୍ତରଙ୍କ ଜରିଆରେ ସ୍ୱର୍ଣ୍ଣପ୍ରଭାର ଚିକିତ୍ସା କରାଇଥିବା ଜଣାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତ୍ୟେହ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମନମୁଖୀ ଶାସନ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି ।
ଯାହାକୁ ନେଇ ଦୂରଦୂରାନ୍ତରୁ ଆସୁଥିବା ଅନେକ ଗରିବ ଅସହାୟ ରୋଗୀ ହଇରାଣ ହରକତ ହେଉଛନ୍ତି । ଏପରିକି ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ମଧ୍ୟ ହେଉଥିବା ଜଣାଯାଇଛି । କେବଳ ଏତିକି ନୁହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରଠାରୁ ସାଧାରଣ ରୋଗୀଙ୍କୁ ହଟହଟା ହେବାକୁ ପଡ଼ୁଛି । କରୋନା ଆଳ ଦେଖାଇ ରୋଗୀ ସେବାରେ ଅବହେଳା କରାଯାଉଥିବା ଜଣାଯାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ରଞ୍ଜିତା ବିଶ୍ୱାଳଙ୍କ ସହ ଆଲୋଚନା କରିବାରେ ସେ ଏହି ଘଟଣାକୁ ନିନ୍ଦା କରିବା ସହ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking