ବିରୋଧୀଙ୍କୁ ନିଜ କାର୍ଯ୍ୟକ୍ରମରେ ସାମିଲ କରାଇବାରେ ସଫଳ ହେଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି ଯେଉଁଥିରେ ବିରୋଧୀଙ୍କ ଆନ୍ଦୋଳନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମମିତା ମେହେର ହତ୍ୟା ଘଟଣାରେ ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଗାଡି ଉପରକୁ ଅଣ୍ଡାମାଡ କରିବା ସହ କଳାପତାକା ପ୍ରଦର୍ଶନ କରୁଛନ୍ତି । ସାରା ରାଜ୍ୟରେ ଏକ ଅଶାନ୍ତ ପରିବେଶ ବିରୋଧୀଙ୍କ ଆନ୍ଦୋଳନ ଯୋଁଗୁ ସୃଷ୍ଟି ହୋଇଛି । ସରକାରଙ୍କ ଭାବମୂର୍ତି ଉପରେ ଆଂଚ ଆଣିବା ପାଇଁ ଲଗାତର ଭାବେ ବିରୋଧୀ ଉଦ୍ୟମ ଚଳାଇଛନ୍ତି । ଏହି ସ୍ଥିତିକୁ ଦେଖି ବିଶ୍ୱର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଏକ କାର୍ଯ୍ୟକ୍ରମରେ ପୁରୀରେ ତାଙ୍କ ସହ ବିରୋଧୀ ନେତାଙ୍କୁ ଏକାଠି କରାଇବାରେ ନବୀନ ସମର୍ଥ ହୋଇଛନ୍ତି ।

ଶ୍ରୀମନ୍ଦିରର ବିକାଶ ଲାଗି ଏକ କାର୍ଯ୍ୟକ୍ରମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପାଇଁ ଆଜି ଯଜ୍ଞ ଉତ୍ସବ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଉଭୟ କଂଗ୍ରେସ ଓ ବିଜେପିକୁ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଯୋଗ ଦେଇଥିବା ଦେଖାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଫଟୋ ଉଠାଇଥିଲେ ବିରୋଧୀ ନେତା । ବିରୋଧୀଙ୍କ ଯୁକ୍ତି ଜଗନ୍ନାଥଙ୍କ କାର୍ଯ୍ୟକ୍ରମ ହୋଇଥିବାରୁ ସେମାନେ ଯୋଗ ଦେଇଥିଲେ । ଏଥିରେ କୌଣସି ରାଜନୀତି ନାହିଁ । ଉକ୍ତ କାର୍ଯ୍ୟକ୍ରମ ରାଜନୀତିରୁ ଉର୍ଦ୍ଧ୍ୱରେ ବୋଲି କୁହାଯାଉଛି ।

ହେଲେ ରାଜନୈତିକ ବିଶେଷଜ୍ଞମାନେ ଏହାକୁ ଭିନ୍ନ ଭାବରେ ଦେଖୁଛନ୍ତି । ଯଦି ଏହି କାର୍ଯ୍ୟକ୍ରମ ଏକ ଧାର୍ମିକ ଭାବନାରେ କରାଯାଇଥିବାରୁ ସେମାନେ ଯୋଗ ଦେଇଥିଲେ, ତେବେ ସେଥିରେ ଯୋଗ ଦେବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ କାହିଁକି ବିରୋଧ କରାଗଲା । ଯେଉଁ କାର୍ଯ୍ୟକ୍ରମରେ ନିଜେ ବିରୋଧୀ ନେତା ଯୋଗ ଦେଉଛନ୍ତି, ସେହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଅଣ୍ଡାମାଡ କରିବା ଓ କଳାପତାକା ଦେଖାଇବା ଏହା କେଉଁ ରାଜନୀତିର ପରିଚାୟକ ବୋଲି ପ୍ରଶ୍ନ କରାଯାଉଛି । ବାସ୍ତବରେ ଯଦି ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ବିରୋଧ କରିବାର ଥିଲା ଏବଂ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ କଥା ଶୁଣୁନାହାଁନ୍ତି, ତାହେଲେ ବିରୋଧୀ ସେହି କାର୍ଯ୍ୟକ୍ରମକୁ ଯାଇନଥାନ୍ତେ । ଗୋଟିଏପଟେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମକୁ ଯିବା ଓ ଅନ୍ୟପଟେ ତାଙ୍କୁ ବିରୋଧ କରିବା ବିରୋଧୀଙ୍କ ନୀତି ଠିକ ନୁହେଁ ବୋଲି ଅନେକ ମତ ଦେଉଛନ୍ତି ।

ଉପରସ୍ତରର ନେତା କେହି ଅଣ୍ଡାମାଡ କି କଳାପତାକା ପ୍ରଦର୍ଶନ କରୁନାହାନ୍ତି । ତଳସ୍ତରରେ ସାମୟିକ ସଂଗଠନର କର୍ମୀଙ୍କ ସମର୍ଥକମାନେ ଏହି କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ୟ କଲା ବେଳେ ସେମାନେ ଶାସକ ଦଳର କର୍ମୀ ଓ ସମର୍ଥକଙ୍କ ରୋଷର ଶିକାର ହେଉଛନ୍ତି । ଅନେକ ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀମାନେ ବିଜେଡିଠାରୁ ମାଡ ଖାଉଛନ୍ତି । ଏପରିକି ପୁରୀ ଘଟଣାରେ ବି ଆଜି ବିଜେପିର ସ୍ଥାନୀୟ ଯୁବନେତାମାନେ ନିସ୍ତୁକ ମାଡ ଖାଇଛନ୍ତି । ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଭାପତିଙ୍କର ପତ୍ତା ମିଳୁନାହିଁ ବୋଲି ଅଭିଯାଗ କରି ପୁରୀ ଓ ବ୍ରହ୍ମଗିରି ଦଳର ବିଧାୟକ ଥାନା ଘେରାଉ କରିଛନ୍ତି । ଏ କେଉଁ ପ୍ରକାର ରାଜନୀତି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । କରାଯାଉଥିବା ଆନ୍ଦୋଳନ ପ୍ରତି ବିରୋଧୀଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠୁଛି । ବାସ୍ତବିକ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କର ସେଭଳି ଆନ୍ତରିକତା ନାହିଁ । କେବଳ ରାଜନୀତି କରିବା ପାଇଁ ସେମାନେ ଏପରି କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ତାଙ୍କ କାର୍ଯ୍ୟକ୍ରମରେ ସାମିଲ କରି ରାଜ୍ୟବାସୀଙ୍କୁ ଜଣାଇ ଦେଲେ ଯେ, ତାଙ୍କୁ କେହି ବିରୋଧ କରୁନାହାନ୍ତି । ବିରୋଧୀଙ୍କର ବାସ୍ତବରେ ମନ୍ତ୍ରୀମାନଙ୍କ ଇସ୍ତଫା ଦାବି ଏକ ରାଜନୈତିକ ଉଦ୍ଦେଶ୍ୟ ପଣଯୁକ୍ତ । ଏହାପଛରେ ସେମାନଙ୍କର ଆନ୍ତରିକତା ନାହିଁ । ରାଜନୈତିକ ଫାଇଦା ହାସଲ ପାଇଁ ସେମାନେ ଯେଉଁ ଆନ୍ଦୋଳନ ଚଳାଇଛନ୍ତି ତାହା ଲୋକଦେଖାଣିଆ ଓ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଉଦ୍ଦିଷ୍ଟ । ମୁଖ୍ୟମନ୍ତ୍ରୀ ଠିକ ସମୟରେ ପୁରୀ କାର୍ଯ୍ୟକ୍ରମଟି ଆୟୋଜନ କରି ବିରୋଧୀଙ୍କୁ ସାମିଲ କରିଛନ୍ତି । ଏହା ଜଗନ୍ନାଥଙ୍କ କାର୍ଯ୍ୟକ୍ରମ ହୋଇଥିବାରୁ ବିରୋଧୀ ମନା କରିପାରୁନାହାନ୍ତି । ଅତି ଚତୁରତାର ସହ ବିରୋଧୀଙ୍କୁ ନିଜ କାର୍ଯ୍ୟକ୍ରମରେ ସାମିଲ କରି ନିଜର ରାଜନୈତିକ ବିଚକ୍ଷଣତା ପ୍ରଦର୍ଶନ କରିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here