30 C
Bhubaneswar
Wednesday, April 17, 2024
Homeଓଡିଶାଧର୍ମେନ୍ଦ୍ର କହିଲେ ନବୀନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଧର୍ମେନ୍ଦ୍ର କହିଲେ ନବୀନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବିଜେପି-ବିଜେଡି ସମ୍ପର୍କକୁ ନେଇ ରାଜନୀତିକ ଚର୍ଚ୍ଚା ଜାରି ରହିଥିଲା ବେଳେ ଏବେ ଏକ ନୂଆ ଘଟଣା ପଦାକୁ ଆସିଛି । ଯାହାକୁ ନେଇ ଉଭୟ ଦଳର ସମ୍ପର୍କର ନୀବିଡ଼ତାକୁ ଅଧିକ ଉଜ୍ଜୀବିତ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରେ ନବୀନଙ୍କୁ ଉଚ୍ଛସିତ ପ୍ରଶଂସା ଓ ତାଙ୍କୁ ନେଇ ଶୀର୍ଷରେ ଥୋଇବା ଘଟଣା ରାଜନୀତିକ ମହଲରେ ବେଶ ଆଲୋଚନା ହେଉଛି ।
ଆଜି ଗୋଟିଏ ଦିନରେ ଦୁଇଟି କାର୍ଯ୍ୟକ୍ରମ ଥିଲା । ଏହି ଦୁଇ କାର୍ଯ୍ୟକ୍ରମରେ ସଂଯୋଗବଶତଃ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଠି ହୋଇଥିଲେ । ପ୍ରଥମ ଅବସର ଥିଲା ବରୁଣେଇରେ ପାଇକ ବିଦ୍ରୋହର ସ୍ମାରକୀ ଭିତ୍ତିପ୍ରସ୍ତର ସ୍ଥାପନ । ଆଉ ଗୋଟିଏ ଥିଲା ବାଣିବିହାରର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବ । ଏହି ୨ଟି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଅଭିଭାଷଣ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିନ୍ନଭିନ୍ନ ଭାବେ ସମ୍ବୋଧନ କରିବା ଦେଖାଯାଇଥିଲା । ଅବଶ୍ୟ ଏହା ପଛରେ କାରଣ ମଧ୍ୟ ରହିଥିବା କୁହାଯାଉଛି । ପୂର୍ବରୁ ଧର୍ମେନ୍ଦ୍ର ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେଡି ସହ ଓ ନବୀନ ପଟ୍ଟନାୟକଙ୍କ ସହ ଏବେ କିଛି କଳି କରିବାର ତାଙ୍କର ନାହିଁଁ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାର ବର୍ତ୍ତମାନ ସମୟ ବୋଲି ସ୍ପଷ୍ଟ କରିଥିଲେ ।
ଧର୍ମେନ୍ଦ୍ର ପୂର୍ବରୁ ଓଡ଼ିଶା ମାଟିରେ ପାଦ ଥାପିବାକ୍ଷଣି ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । କିନ୍ତୁ ନିର୍ବାଚନ ପରେ ବିଜେପି-ବିଜେଡି ସମ୍ପର୍କ ବଦଳି ଯାଇଛି । ଆଉ ଧର୍ମେନ୍ଦ୍ରଙ୍କ ମୁହଁରୁ ନବୀନଙ୍କ ବିରୋଧରେ କି ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ କୌଣସି କଠୋର ଶବ୍ଦ ବାହାରିବା ଦେଖାଯାଉନାହିଁ । କେବଳ ତାଙ୍କ ଦଳର ରାଜ୍ୟ ନେତାମାନେ ଯାହା କିଛି ବିରୋଧ କରୁଛନ୍ତି । ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନ ଥାଇ ବିଜେପିକୁ ଗୋଟିଏ ପଦବୀ ବିଜେଡି ଅଜାଚିତ ଭାବେ ଟେକିଦେବା ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ସମ୍ପର୍କର ସେତୁ କ୍ରମେ ସୁଦୃଢ଼ ହେବାରେ ଲାଗିଛି । କୌଣସି କେନ୍ଦ୍ରୀୟ ନେତା ଆଉ ନବୀନଙ୍କ ବିରୋଧରେ କି ତାଙ୍କ ସରକାରଙ୍କ ବିରୋଧରେ କିଛି ତୁଣ୍ଡ ଖୋଲୁନାହାଁନ୍ତି ।
ମୂଳପ୍ରଶ୍ନକୁ ଦେଖିଲେ ବରୁଣେଇଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଉଦବୋଧନ ଦେବା ବେଳେ ସେଠାରେ ମଂଚରେ ଉପସ୍ଥିତଥିବା ସବୁ ଅତିଥିମାନଙ୍କୁ ସମ୍ବୋଧନ କରିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମହାଶୟ ବୋଲି ସମ୍ବୋଧନ କରିଥିଲେ । କିନ୍ତୁ ବାଣୀବିହାରରେ ପ୍ଲାଟିନମ ଜୁବୁଲି ଉଦଯାପନୀ ଉତ୍ସବରେ ଧର୍ମେନ୍ଦ୍ର ଅନ୍ୟ ଅତିଥିମାନଙ୍କୁ ସମ୍ବୋଧନ କଲାବେଳେ ଆଳଙ୍କରିକ ଶବ୍ଦ ବ୍ୟବହାର କରି ନ ଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତେବେଳେ ସମ୍ବୋଧନ କଲେ ସେତେବେଳେ କହିଲେ ଓଡ଼ିଶାର “ଲୋକପ୍ରୀୟ” ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମହାଶୟ । ଏହି ଶବ୍ଦକୁ ନେଇ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ଓଡ଼ିଶାର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ଭାବେ ବର୍ଣ୍ଣନା କରିବା ପୁଣି ବାଣୀବିହାର ଭଳି ସ୍ଥାନ ଯେଉଁଠାରେ ଛାତ୍ର ଓ ବୁଦ୍ଧିଜୀବୀମାନଙ୍କର ସମାବେଶ ହୋଇଛି ସେଠାରେ ଏପରି କହିବା ନିଶ୍ଚୟ ଗୁରୁତ୍ୱବହନ କରୁଛି ବୋଲି କୁହାଯାଉଛି । ଗୋଟିଏ ଦିନରେ ଦୁଇଟି କାର୍ଯ୍ୟକ୍ରମ ହୋଇଛି । ଗୋଟିଏରେ ସିଧାସଳଖ ନାମ ନେଇ ସମ୍ବୋଧନ କରିଥିଲା ବେଳେ ଅନ୍ୟ ସ୍ଥାନରେ ନବୀନଙ୍କୁ ଭୂୟସୀ ପ୍ରଶଂସା କରିବା ବେଶ ପ୍ରାଣୀଧାନ ଯୋଗ୍ୟ । ଧର୍ମେନ୍ଦ୍ରଙ୍କ ମୁହଁରୁ ନବୀନ ଲୋକପ୍ରିୟ ବୋଲି ବାହାରିବାର ବହୁ ତାତ୍ପର୍ଯ୍ୟ ରହିଛି । କାହିଁକି ଧର୍ମେନ୍ଦ୍ର ନବୀନଙ୍କୁ ଏଭଳି ପ୍ରଶଂସା କଲେ ତାକୁ ନେଇ ତର୍ଜମା ଚାଲିଛି । ଦୁଇ ଦଳ ସମ୍ପର୍କର ନୀବିଡ଼ତାକୁ ଅଧିକ ସୁଦୃଢ଼ କରୁଥିବା କଥା କୁହାଯାଉଛିି ।
କିନ୍ତୁ କିଛି ବ୍ୟକ୍ତି ମତ ରଖୁଛନ୍ତି ଯେ, ବରୁଣେଇ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଲା ବେଳେ କହିଥିଲେ ମୁଁ ବହୁତ ଖୁସୀ, ମାନ୍ୟବର ସଂସ୍କୃତି ମନ୍ତ୍ରୀ ଓ ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ସେଥିପାଇଁ ମୁଁ ଭାରତ ସରକାରଙ୍କର ଦୁଇ ବିଭାଗର ମାନ୍ୟବର ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଉଛି । ଏଣୁ ଧର୍ମେନ୍ଦ୍ରଙ୍କୁ ଯେହେତୁ ସାଧାରଣ ସଭାରେ ନବୀନ ଧନ୍ୟବାଦ ଦେଇଥିଲେ ଏବଂ ଧର୍ମେନ୍ଦ୍ର ଏହି ସଭାରେ ପୂର୍ବରୁ ତାଙ୍କ ମତ ରଖି ସାରିଥିବାରୁ ଆଉ ନବୀନଙ୍କୁ ପ୍ରତିଦାନ ଦେବାପାଇଁ ସୁଯୋଗ ନ ଥିଲା । ତେଣୁ ବରୁଣେଇ ପରେ ପରେ ବାଣିବିହାରରେ ସଭା ହୋଇଥିବାରୁ ଓ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଥିବାରୁ ଧର୍ମେନ୍ଦ୍ର ତାଙ୍କୁ ପ୍ରଶଂସା କରି ପ୍ରତିଦାନ ସୁଝାଇଥିବା କଥା କିଛି ମତ ରଖୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking