35.1 C
Bhubaneswar
Tuesday, April 23, 2024
Homeଓଡିଶାବଦଳିଲେ ନବୀନ

ବଦଳିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି । ତାଙ୍କ କଥା ଓ କାର୍ଯ୍ୟରେ ପରିବର୍ତ୍ତନ ଆସିଛି । ଏବେ ସେ ଆଉ ଆଗର ନବୀନ ହୋଇ ରହିନାହାଁନ୍ତି । ୫ମ ପାଳି ସରକାର ଗଢ଼ିବା ପରେ ତାଙ୍କ ଆଭିମୁଖ୍ୟ ଓ କାର୍ଯ୍ୟଧାରାରେ ଅନେକ ପରିବର୍ତ୍ତନ ଆସିଛି । ବିଜେପି ପ୍ରତି ଆଉ ସେ କଠୋର ମନୋଭାବ ତାଙ୍କର ନାହିଁ । ଏହି ପରିବର୍ତ୍ତନକୁ ନେଇ ଅନେକ ସମୟରେ ରାଜନୈତିକ ମହଲରେ ଓ ସମାଲୋଚକଙ୍କ ମଧ୍ୟରେ ପ୍ରଶ୍ନ ମଧ୍ୟ ଉଠିଛି । ହେଲେ ନବୀନ ସେ ସବୁକୁ ଗୁରୁତ୍ୱ ନ ଦେଇ ତାଙ୍କର ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ ଆଉ ବିଜେପିର କଟୋର ବିରୋଧୀ ହେବାକୁ ଚାହୁଁ ନାହାଁନ୍ତି । ସବୁଠାରୁ ବଡ଼ କଥା ହେଲା ବିଜେପିର ସବୁଠାରୁ ବିଜେଡି ବିରୋଧୀ ମନୋଭାବ ରଖିଥିବା ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଡାକି ନବୀନ ନିବାସରେ ମଧ୍ୟାହ୍ନ ଭୋଜନରେ ନବୀନ ଆଜି ଆପ୍ୟାୟିତ କରିବା ବିଷୟ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ନବୀନ ନିବାସରେ ଶାହ ଓ ନବୀନ ଏକାଠି ଗୋଟିଏ ଟେବୁଲରେ ମଧ୍ୟାହ୍ନ ଭୋଜନ କରିବା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି କୁହାଯାଉଛି ।
ଓଡ଼ିଶାରେ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପଞ୍ଚିମବଙ୍ଗ, ଓଡ଼ିଶା ଓ ବିହାରର ମୁଖ୍ୟମନ୍ତ୍ରୀ ଏକାଠି ହୋଇଥିଲେ । ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବାକୁ ଆସିଥିଲେ । ଏହି ସୂଯୋଗକୁ ନବୀନ ହାତଛଡ଼ା କରି ନାହାଁନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିଛନ୍ତି । ଶାହଙ୍କ ନିକଟତର ହେବା ପାଇଁ ସେ ନବୀନ ନିବାସକୁ ଏହି ସୁଯୋଗରେ ସବୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି ମଧ୍ୟାହ୍ନ ଭୋଜନ ଦେଇଥିଲେ । ବିଜେପିର ବହୁନେତା ଓଡ଼ିଶା ଆସିଥିବା ଅବସରରେ ନବୀନ ସେମାନଙ୍କୁ ଡାକି ନବୀନ ନିବାସରେ କାହାକୁ ମଧ୍ୟାହ୍ନ ଭୋଜନ ଓ କାହାକୁ ରାତ୍ର ଭୋଜନରେ ଆପ୍ୟାୟିତ କରିଛନ୍ତି । କିନ୍ତୁ ଅମିତ ଶାହ ଓଡ଼ିଶାକୁ ଏକାଧିକବାର ଆସିଛନ୍ତି । ହେଲେ କୌଣସିଥର ନବୀନ ତାଙ୍କୁ ନବୀନ ନିବାସ ଭୋଜନ ପାଇଁ ଡାକି ନ ଥିଲେ । ବିଜେପି-ବିଜେଡି ମଧ୍ୟରେ ଯେତେବେଳେ ଜୋରଦାର ଟକରାଟକରି ଚାଲିଥିଲା ସେତେବେଳେ ନବୀନ ବିଜେପି ନେତାଙ୍କୁ ଡାକି ନବୀନ ନିବାସରେ ଭୋଜନରେ ଆପ୍ୟାୟିତ କରିଥିଲେ । ଅରୁଣ ଜେଟଲି, ନୀତିନ ଗଡ଼କରିଙ୍କ ଭଳି ନେତା ନବୀନ ନିବାସ ଆସିଥିଲେ । ସେତେବେଳେ ଅମିତ ଶାହ ଓଡ଼ିଶା ଆସୁଥିଲେ ବି ନବୀନ କେବେ ତାଙ୍କୁ ଡାକୁ ନଥିଲେ । ଆଉ ଶାହ ଯେତେବେଳେ ଓଡ଼ିଶା ଆସୁଥିଲେ ନବୀନଙ୍କ ଉପରେ ନ ବର୍ଷି ଛାଡୁ ନ ଥିଲେ । କେବଳ ନିର୍ବାଚନ ସମୟରେ ନୁହେଁ ଅନ୍ୟ ସମୟରେ ଯେତେବେଳେ ଶାହ ଓଡ଼ିଶା ଆସିଛନ୍ତି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେତେବେଳେ ନବୀନଙ୍କୁ ହିଁ ଟାର୍ଗେଟରେ ରଖିଛନ୍ତି ।
ନବୀନଙ୍କୁ ହଟାଇ ଓ ତାଙ୍କୁ ବଙ୍ଗୋପସାଗରକୁ ଫିଙ୍ଗି ବିଜେପିକୁ କ୍ଷମତାକୁ ଆଣିବା ପାଇଁ ଅନେକ ଥର ଶାହ ଆହ୍ୱାନ ଦେଇଛନ୍ତି । ଏପରି କି ନବୀନଙ୍କୁ ଜଣେ ଅପାରାଗ ବୋଲି ବାରମ୍ବାର ଚିତ୍ରିତ କରିବା ପାଇଁ ସେ ଉଦ୍ୟମ କରିଛନ୍ତି । ନବୀନଙ୍କୁ “ପୋଡ଼ା ଟ୍ରାନ୍ସଫର୍ମର” ଭାବେ ଆଖ୍ୟା ମଧ୍ୟ ଶାହ ଦେଇଥିଲେ । ଏହି ଘଟଣାକୁ ନେଇ ବିଜେଡି ସେତେବେଳେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଥିଲା । ଶାହଙ୍କୁ ବିଜେଡି ନେତାମାନେ ମନୋଭରି ଗାଳିଗୁଲଜ କରିଥିଲେ । ଏଣୁ ବର୍ତ୍ତମାନ ଏକାଠି ଗୋଟିଏ ଟେବୁଲରେ ନବୀନ ନିବାସରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶାହଙ୍କୁ ନବୀନଙ୍କ ସହ ଏକାଠି ଦେଖିବା ପରେ ସ୍ଥିତି ବଦଳିଥିବା କୁହାଯାଉଛି ।
ଉଭୟ ପକ୍ଷଙ୍କର ମନୋଭାବରେ ପରିବର୍ତ୍ତନ ଘଟିଥିବା ଏଥିରୁ ଅନୁମାନ କରାଯାଉଛି । ଶାହ ଓ ବିଜେପି ପ୍ରତି ନବୀନଙ୍କ ମନୋଭାବ ବଦଳିଥିବା ବେଳେ ଶାହଙ୍କର ମଧ୍ୟ ନବୀନଙ୍କ ପ୍ରତି ମନୋଭାବ ବଦଳିଛି । ପୂର୍ବାଞ୍ଚଳ ରାଜ୍ୟମାନଙ୍କର ବୈଠକ ବସିଥିବାରୁ ଆସିଥିବା ନେତାମାନେ ବୈଠକସ୍ଥଳରେ କିମ୍ବା ରାଜ୍ୟ ଅତିଥିଭବନରେ ମଧ୍ୟାହ୍ନ ଭୋଜନ କରିପାରିଥାନ୍ତେ । ନବୀନ ସେମାନଙ୍କୁ ନବୀନ ନିବାସ ଡାକିବାର ସେପରି କିଛି ଆବଶ୍ୟକ ନ ଥିଲା । ଏଠାରେ କୁହାଯାଉଛି ଶାହଙ୍କ ନିକଟତର ହେବା ପାଇଁ ନବୀନ ଏହି ସୁଯୋଗକୁ ହାତଛଡ଼ା କରି ନାହାଁନ୍ତି । ଅନ୍ୟ ପଟରେ ବି ନବୀନଙ୍କ ନିକଟତର ହେବା ପାଇଁ ଶାହ ମଧ୍ୟ ଇଚ୍ଛା ରଖିଛନ୍ତି । ଉଭୟଙ୍କ ଇଚ୍ଛା ପରିପ୍ରକାଶ ହୋଇଥିବା କୁହାଯାଉଛି ।
ଆଗକୁ ରାଜ୍ୟସଭା ନିର୍ବାଚନ ଆସୁଛି । ଗତଥର ଶାହ ରାଜ୍ୟସଭା ନିର୍ବାଚନ ବେଳେ ନବୀନଙ୍କୁ ଫୋନ କରି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହିଥିଲେ । ନବୀନ ତୁରନ୍ତ ଶାହଙ୍କ କଥାକୁ ରଖିଥିଲେ । ଏବେ ପୁଣି ରାଜ୍ୟସଭା ନିର୍ବାଚନ ଆସିଛି । ବିଜେପି ଏକାକି ଗୋଟିଏ ଆସନ ଜିତିବା ସମ୍ଭବ ନୁହେଁ । ୪ ରାଜ୍ୟସଭା ଆସନ ବିଜେଡି ଏକାକି ନେଇପାରିବ । ବିଜେପି ଏଥର ଗୋଟିଏ ଆସନ ନେବା ପାଇଁ ଆଗ୍ରହ ରଖିଛି । ଏଣୁ ନବୀନଙ୍କୁ ଖୁସି କରିବା ପାଇଁ ଶାହ ଚାହିଁଛନ୍ତି । ନବୀନଙ୍କ ଆତିଥ୍ୟକୁ ଅଣଦେଖା କରିବା ପାଇଁ ଶାହ ଚାହିଁ ନାହାଁନ୍ତି । ଏଣୁ ଉଭୟଙ୍କ ଇଚ୍ଛା ନ ଥିଲେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ଆଳରେ ଏକାଠି ହୋଇ ନ ଥାନ୍ତେ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking