ନର୍ଲା : ରାଜ୍ୟ ସରକାର ଚାଷୀଙ୍କୁ ଚାଷ ପାଇଁ କେନାଲ ମାଧ୍ୟମରେ ଜଳ ଯୋଗାଇ ଦେଉଛନ୍ତି । ତେବେ କେନାଲର ରକ୍ଷଣାବେକ୍ଷଣା ତଥା ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହି କେନାଲ ମରାମତି ରେ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ହେଉଥିବା ନିମ୍ନ ମାନର କାମକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହି କାମର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଧର୍ମଗଡ , କୋକସରା, ଜୟପାଟଣା କଲମପୁର ଓ ଗୋଳାମୁଣ୍ଡା ଅଞ୍ଚଳର ଚାଷ ଜମିକୁ କେନାଲ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି ।
ତେବେ ଜଳ ଯୋଗାଣ ହେଉଥିବା କେନାଲ ଗୁଡିକର ବର୍ଷକୁ ବର୍ଷ ମରାମତି ମଧ୍ୟ ଚାଲିଛି । ତେବେ ଧର୍ମଗଡ ଖଇରପଦର ଡିଷ୍ଟ୍ରିବ୍ୟୁଟାରୀ କେନାଲର ମରାମତି କାମ ଚାଲିଛି । ତେବେ ଏହି ମରାମତି କାମ ପ୍ରାୟ ୧୫ ଲକ୍ଷ ବ୍ୟୟ ଅଟକଳରେ ହେଉଥିବା ବେଳେ ମରାମତି କାମ ପାଇଁ ହେଉଥିବା କଂକ୍ରିଟ କାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେବା ସହ କେବଳ ସିମେଣ୍ଟ ପାଣି ଢାଳି ଦେଇ କାମ କରୁଥିବା ଅଭିଯୋଗ କରୁଛନ୍ତି । ତେବେ ଏହିଭଳି ନିମ୍ନ ମାନର କାମ ପାଇଁ ଆଗାମୀ ଦିନରେ କେନାଲ ଭାଙ୍ଗିବା ସହ ଚାଷୀ ମାନେ ଚାଷ ପାଇଁ ପାଣି ପାଇବା ନେଇ ଆଶଙ୍କା ପ୍ରକାଶ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି ।
ନିମ୍ନ ମାନର କାମ ହେଉଥିବା ନେଇ କାମ କରୁଥିବା ଠିକାଦାରକୁ ଚାଷୀ ମାନେ ବାରମ୍ବାର ତାଗିଦ୍ କରିବା ସତ୍ୱେ ଠିକାଦାର କର୍ଣ୍ଣପାତ ନକରିବା ସହ ଚାଷୀଙ୍କ କଥାକୁ ନଶୁଣି ନିଜ ମର୍ଜିରେ କାମ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ତେବେ ଏହି କାମର ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ମଧ୍ୟ ଠିକଦାର ସହ ମଧୁ ଚନ୍ଦ୍ରିକା କରି କେବେ କାମ ପାଖକୁ ତଦାରଖ ପାଇଁ ଆସୁନଥିବା ଏବଂ ଠିକାଦାର କୁ ନିଜ ମନ ମୁତାବକ କାର୍ଯ୍ୟ କରିବା ପାଇଁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି ।
ତେବେ ଏହି କାମର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଯାଇ ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ଯୋଗାଇ ଦେବା ପାଇଁ ଚାଷୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମନା କରିଥିବା ବେଳେ ସିମେଣ୍ଟ ପାଣି ଢଳା ହେବା କଥାକୁ ସ୍ୱୀକାର ମଧ୍ୟ କରିଛନ୍ତି । ଖଇରପଦର ଡିଷ୍ଟ୍ରିବ୍ୟୁଟାରୀ କେନାଲରେ ହେଉଥିବା ମରାମତି କାମର ଭିଜିଲନ୍ସ ତଦନ୍ତ କରାଯାଇ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।