26.1 C
Bhubaneswar
Friday, March 29, 2024
Homeଓଡିଶାକରଣ ସମାଜ ପକ୍ଷରୁ ନରସିଂହ ବନ୍ଧ ଗଣସଫେଇ

କରଣ ସମାଜ ପକ୍ଷରୁ ନରସିଂହ ବନ୍ଧ ଗଣସଫେଇ

ବଲାଙ୍ଗିର, – ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା ବଲାଙ୍ଗିର କରଣ ସମାଜ ପକ୍ଷରୁ ସ୍ଥାନୀୟ ନରସିଂହ ବନ୍ଧର ମୁଖ୍ୟ ସ୍ନାନ ଘାଟରେ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କୁ ନେଇ ଏକ ଗଣସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ସଂଗଠନର ଶତାଧିକ ସଦସ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ ବନ୍ଧର ମୁଖ୍ୟ ଘାଟକୁ ସଫେଇ କରିବା ସହିତ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ଓ ଜଳଜ ଉଦ୍ଭିଦକୁ ଅପସାରଣ କରି ଏକ ପ୍ରକାର ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବା ପାଇଁ ଉଦ୍ୟମ କରିଥିଲେ ।
ସୂଚନାଯୋଗ୍ୟ ଯେ ୧୦୦ ବର୍ଷ ପୁରାତନ ଜଳାଶୟ ନରସିଂହ ବନ୍ଧ ଉପରେ ସହରର ଶତାଧିକ ଜନସାଧାରଣ ବିଭିନ୍ନ ପୂଜା ପାର୍ବଣ ଓ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ଜଳ ସଂଗ୍ରହ ନିମନ୍ତେ ନିର୍ଭର କରିଥାନ୍ତି । କିନ୍ତୁ ବର୍ଷ ବର୍ଷ ଧରି ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଏହି ପୁରାତନ ଜଳାଶୟ ନିଜର ସ୍ୱଚ୍ଛତା ଓ ଅସ୍ତିତ୍ୱ ଏକ ପ୍ରକାର ହରାଇ ବସିଥିଲା । ଏପରିକି ଏଠାରେ ସ୍ଥିତ ବିଭିନ୍ନ ସ୍ନାନ ଘାଟ ଗୁଡିକ ଅତ୍ୟନ୍ତ ଅପରିଷ୍କାର ଓ ପରିତ୍ୟକ୍ତ ଅବସ୍ଥାରେ ଅଛି । ସମୁଦାୟ ଜଳାଶୟର ଜଳ ପ୍ରଦୂଷିତ ହେବା ସହିତ ବ୍ୟବହାର ଅନୁପଯୋଗୀ ହୋଇପଡିଥିବା ବେଳେ କରଣ ସମାଜ ପକ୍ଷରୁ ଘାଟ ଗୁଡିକର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।
ଏହି ଗଣ ସଫେଇ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦାନ କରିବା ସହିତ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ ଓ ନରସିଂହ ବନ୍ଧର ପୁନରୁଦ୍ଧାର ନିମନ୍ତେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ କରଣ ସମାଜ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଜଳାଶୟର ଏକ ନିର୍ଦ୍ଦିଷ୍ଟ ସ୍ନାନଘାଟର ସମ୍ପୁର୍ଣ୍ଣ ପୁନରୁଦ୍ଧାର ସହିତ ଏହାର ରକ୍ଷଣାବେକ୍ଷଣ ଅନୁମତି ପାଇଁ ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କର୍ମକର୍ତ୍ତାମାନେ ବିଧାୟକଙ୍କୁ ଅବଗତ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ମଧ୍ୟ କରଣ ସମାଜର ଏଭଳି ଏକ ଜନହିତକର ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ପ୍ରଶାସନିକ ସ୍ତରରେ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ।
ଏହି ଗଣ ସଫେଇ କାର୍ଯ୍ୟକ୍ରମରେ ଆମ୍ମା ଭଗବାନ ସେବା ସମିତି, ସତେଚନ ମହିଳା ମଂଚ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ମାହେଶ୍ୱରୀ ସଂଗଠନ, ନାଗରିକ କମିଟି, ଓଶ୍ରୁ, ଜିଲ୍ଲା ବ୍ୟାଡ ମିଣ୍ଟନ ଏସୋସିଏସନ, ଜିଲ୍ଲା ଟେକ୍ସ ବାର ଏସୋସିଏସନ, ଜିଲ୍ଲା ଆଇନଜିବୀ ସଂଘ, ୱି କେୟାର, ପୂର୍ବତନ ସୈନିକ ସଂଘ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଘ, ଅବସର ବିନୋଦନ ସାହିତ୍ୟ ସମିତି, ପୂଜ୍ୟପୂଜା ସଂଗଠନ, ବ୍ରାହ୍ମଣ ମହାସଭା, ରାଧାରାଣୀପଡା ଦୁର୍ଗାପୂଜା କମିଟି, ଯୁବ ଏକ୍ସନ କମିଟି, ଜିଲ୍ଲା ଯାଦବ ସମାଜ, ଗୋପାଲଜୀ କ୍ଲବ, ଭୂମିକା, ରୋଟାରୀ ଇଲାଇଟ, ସାର୍ବଜନୀନ ଦୁର୍ଗା ମନ୍ଦିର କମିଟି, ଜିଲ୍ଲା କ୍ରୀଡା ସଂସଦ, ଜିଲ୍ଲା ସାମ୍ବାଦିକ ସଂଘ, ଡୁମାଲ ସମାଜ, ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭା, ସିନ୍ଧି ଯୁବ ସମାଜ, ରୋଟାରୀ କ୍ଲବ, ବିଡିଜିଏ, ଗାନ୍ଧି ପାଠାଗାର, ଜେଆଇଟିଏମ୍ ଅନୁଷ୍ଠାନ ଗୁଡିକର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । କରଣ ସମାଜ ପକ୍ଷରୁ ସଭାପତି ଅସୀମ ପଟ୍ଟନାୟକଙ୍କ ନେତୃତ୍ୱରେ କରଣ ସମାଜର ସମସ୍ତ ସଦଶ୍ୟ ସଫେଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking