40.1 C
Bhubaneswar
Thursday, April 25, 2024
Homeଓଡିଶାମିଳୁନି ପକ୍କାଘର, ଭଙ୍ଗା କୁଡ଼ିଆରେ ୬ ପ୍ରାଣୀ

ମିଳୁନି ପକ୍କାଘର, ଭଙ୍ଗା କୁଡ଼ିଆରେ ୬ ପ୍ରାଣୀ

ନରାଜ : ଏବେ ଦିଗହରା ହୋଇଛି ଆବାସ ଯୋଜନା । ଗରିବ ଦିନମଜୁରିଆଙ୍କୁ ଏହି ଯୋଜନାରେ ଘର ଖଣ୍ଡେ ମିଳୁନଥିବା ବେଳେ ବହୁ ଥିଲାବାଲା ଯୋଜନାରୁ ସୁଫଳ ହାତେଇ ନେଉଥିବା ଅଭିଯୋଗ ହେଉଛି । ଡମପଡ଼ା ବ୍ଲକ୍ ଅନ୍ତର୍ଗତ ବାଆଁରା ରାଜସ୍ୱ ଗ୍ରାମରେ ଅଶୋକ ସ୍ୱାଇଁଙ୍କ ଘର । ଜଣେ ଦିନ ମଜୁରିଆ ଭାବେ ସେ କାର୍ଯ୍ୟକରନ୍ତି । ତାଙ୍କ ଉପରେ ୫ପ୍ରାଣୀ କୁଟୁମ୍ବ ନିର୍ଭର କରନ୍ତି । ବୃଦ୍ଧା ମାଆ, ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ । ଦୁଇ ଝିଅ ଓ ପୁଅ ଏବେ ପାଠ ପଢ଼ୁଛନ୍ତି । ଏମାନଙ୍କ କଥା ବୁଝିଲା ବେଳକୁ ଅଶୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ସବୁଦିନ ମଜୁରି ମିଳୁନଥିବାବେଳେ ମାସରେ ଯେତିକି ଦିନ କାମ କରନ୍ତି, କଷ୍ଟେମଷ୍ଟେ ପରିବାର ଚଳିଯାଏ । ହେଲେ ରହିବା ପାଇଁ ତାଙ୍କର ଘରଟିଏ ନଥିବାବେଳେ ଦାରିଦ୍ର‌୍ୟ କଥା ଭାବୁ ଭାବୁ ଘର କରିବା କଥା ସେ ମନରୁ ପାଷୋରି ଦେଇଛନ୍ତି । ଝାଟିମାଟି ଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ୬ପ୍ରାଣୀ । ୨୦୧୭ରେ ତାଙ୍କର ଝାଟିମାଟିର ଚାଳଘରଟି ବିଦ୍ୟୁତ୍ ସର୍ଟସର୍କିଟରେ ପୋଡ଼ି ପାଉଁଶ ହୋଇଯାଇଥିଲା । ସେତେବେଳେ ତହସିଲ ପକ୍ଷରୁ କେବଳ ପଲିଥିନ୍ ଖଣ୍ଡେ ମିଳିଥିଲା । କୌଣସି ସହାୟତା ରାଶି ମିଳିନଥିଲା ।

ଧାରକରଜ କରି ଘରକୁ ଯଥାକଥା ମରାମତି କରିଥିବାବେଳେ ଫାନି ବାତ୍ୟା ବି ଦାଉ ସାଧିଲା । ସମ୍ପୂର୍ଣ୍ଣ ଚାଳଛପର ଉଡ଼ାଇ ନେଇଥିଲା । ହେଲେ ଥିଲାବାଲାଙ୍କୁ ଫାନି ସହାୟତା ମିଳିଥିବାବେଳେ ତାଙ୍କୁ ଏଥିରୁ ବଞ୍ଚିତ କରାଯିବା ଯୋଗୁଁ ଘରଟିକୁ ଭଲଭାବେ ମରାମତି କରିପାରୁନାହାନ୍ତି । ଅପରପକ୍ଷରେ ଅନ୍ୟମାନଙ୍କୁ ଆବାସ ଯୋଜନାରେ ପକ୍କାଘର ମିଳୁଥିଲେ ବି ଅଶୋକଙ୍କ ପାଇଁ ତାହା ସାତସପନ ପାଲଟିଛି । ବାରମ୍ବାର ବ୍ଲକ୍ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଗୋଡ଼ରୁ ପାଣି ମରିଗଲାଣି ପଛେ, କେହି ତାଙ୍କ କଥା ଶୁଣୁନଥିବା ସେ କହିଛନ୍ତି । ୨୯ ଅକ୍ଟୋବର ୨୦୧୮ ଓ ୧୬ ଡିସେମ୍ବର ୨୦୧୮ରେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରି ଘରଟିଏ ପାଇଁ ଜଣାଇଥିଲେ ବି ସେଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନ ରହିଛି । ଏବେ ବର୍ଷାଦିନ ହୋଇଥିବାବେଳେ ଆକାଶରେ ମେଘ ଦେଖିଲେ ଭୟରେ ପରିବାର ଲୋକେ ପ୍ରମାଦ ଗଣନ୍ତି । ଯଦି ଏଭଳି ପରିବାର ପାଇଁ ଯୋଜନାର କୌଣସି ମାନେ ନାହିଁ, ତେବେ ଏ ଯୋଜନା କାହାପାଇଁ ବୋଲି କିଛି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଗରିବ ଅଶୋକଙ୍କ ପରିବାରକୁ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking