ନାଗେଶ ଟ୍ରଫି: ସେମିରେ ହାରିଲା ଓଡ଼ିଶା

ଭୁବନେଶ୍ୱର: ନୂଆଦିଲ୍ଲୀରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନାଗେଶ ଟ୍ରଫିର ସେମିଫାଇନାଲ୍‌ରେ କର୍ଣ୍ଣାଟକଠାରୁ ହାରି ଓଡ଼ିଶା ବିଦାୟ ନେଇଛି । ବୁଧବାର ସାକେତ୍ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ବ୍ୟାଟିଂ ନେଇଥିବା ଓଡ଼ିଶା ୬ ୱିକେଟ୍ ବିନିମୟରେ ୧୭୧ ରନ୍ କରିଥିଲା । ପ୍ରଥମ ବଲ୍‌ରେ ଓପ୍ନର୍ ଲାଲ ପ୍ରସାଦ ସୋରେନ୍ ଆଉଟ୍ ହୋଇଥିଲେ । ଏହାପରେ ସୁଖରାମ ଓ ଜାଫର୍ ଇନିଂସ୍ ସମ୍ଭାଳି ୧୦.୪ ଓଭର୍‌ରେ ସ୍କୋର୍ ୧୦୦ ରନ୍‌ରେ ପହଞ୍ଚାଇଥିଲେ ।

ତେବେ ସୁଖରାମ (୪୫) ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହେବା ଏବଂ ପରେ ଜାଫର(୩୮)ଙ୍କ ୱିକେଟ୍‌ର ପତନ ଘଟିବା ଫଳରେ ଓଡ଼ିଶା ଚାପରେ ପଡ଼ିଥିଲା । ତେବେ ସ୍ଲଗ୍ ଓଭର୍‌ରେ ପଙ୍କଜ ଭୁଏ ଗୁରୁତ୍ୱପୂର୍ଣ୍ଣ ୪୨ ରନ୍ କରିବା ଫଳରେ ଦଳର ସ୍କୋର୍ ୬ ୱିକେଟ୍‌ରେ ୧୭୧ ରନ୍ ହୋଇଥିଲା । ଜବାବରେ କର୍ଣ୍ଣାଟକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରକାଶ ଜୟରାମାୟାଙ୍କ ଅପରାଜିତ ୧୦୦ ରନ୍ ସହାୟତାରେ ୧୬.୫ ଓଭର୍‌ରେ ଲକ୍ଷ୍ୟରେ ପହଞ୍ଚିବାରେ ସଫଳ ହୋଇଥିଲା । ଆସନ୍ତାକାଲି ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here