ମାଲୋର୍କା : ସ୍ପେନ୍ର ତାରକା ଖେଳାଳି ରାଫେଲ୍ ନାଡାଲ୍ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫ୍ରେଞ୍ଚ୍ ଓପନ୍ରୁ ଓହରିଯାଇଛନ୍ତି । ତାଙ୍କ ଆଘାତଜନିତ ସ୍ଥିତିରେ ଯଦିଓ କ୍ରମଶଃ ଉନ୍ନତି ହେଉଛି, କିନ୍ତୁ ସେ ରୋଲାଣ୍ଡ୍ ଗ୍ୟାରୋସ୍ଠାରେ ଖେଳିବା ସକାଶେ ଫିଟ୍ ହୋଇନାହାନ୍ତି ବୋଲି ଗୁରୁବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ୨୨ ଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ନାଡାଲ୍ କହିଛନ୍ତି ।
ଏଥିସହ ୨୦୦୫ରେ ଡେବ୍ୟୁ ପରେ ନାଡାଲ୍ ପ୍ରଥମ ଥର ପାଇଁ ୟୁଏସ୍ ଓପନ୍ରେ ଖେଳିପାରିବେ ନାହିଁ । ସେହିପରି ୨୦୨୪ ତାଙ୍କ ପେସାଦାର କ୍ୟାରିଅର୍ର ଅନ୍ତିମ ବର୍ଷ ହେବ ବୋଲି ମଧ୍ୟ ଆସନ୍ତା ମାସରେ ୩୭ ବର୍ଷରେ ପଦାର୍ପଣ କରିବାକୁ ଥିବା ନାଡାଲ୍ ସ୍ପଷ୍ଟ କରିଛନ୍ତି । ଆଗାମୀ ଡେଭିସ୍ କପ୍ ପାଇଁ ପ୍ରସ୍ତୁତି ତାଙ୍କର ଲକ୍ଷ୍ୟ ବୋଲି ନାଡାଲ୍ କହିଛନ୍ତି ।
ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ରେ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ହିପ୍ରେ ଆଘାତ ପାଇବା କାରଣରୁ ନାଡାଲ୍ ଓହରିଯାଇଥିଲେ । ଏହାପରଠାରୁ ସେ ପେସାଦାର ଟେନିସ୍କୁ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି । ନାଡାଲ୍ ଫ୍ରେଞ୍ଚ୍ ଓପନ୍ର କ୍ଲେକୋର୍ଟରେ ରେକର୍ଡ ୧୪ ଥର ଟାଇଟଲ୍ ହାସଲ କରିଛନ୍ତି ।