34.1 C
Bhubaneswar
Thursday, March 28, 2024
Homeଖେଳଅଷ୍ଟ୍ରେଲିଆନ୍ ଓପନ୍ : ଦ୍ୱିତୀୟ ରାଉଣ୍ଡ୍‌ରେ ନାଡାଲ୍ ଓ ବାର୍ଟି

ଅଷ୍ଟ୍ରେଲିଆନ୍ ଓପନ୍ : ଦ୍ୱିତୀୟ ରାଉଣ୍ଡ୍‌ରେ ନାଡାଲ୍ ଓ ବାର୍ଟି

ମେଲବର୍ଣ୍ଣ : ନୋଭାକ୍ ଜୋକୋଭିଚ୍ ଓ ରୋଜର୍ ଫେଡେରର୍‌ଙ୍କ ଅନୁପସ୍ଥିତିରେ ସ୍ପେନ୍‌ର ରାଫେଲ୍ ନାଡାଲଙ୍କ ପାଖରେ ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବାର ଅପୂର୍ବ ସୁଯୋଗ ରହିଥିବା ବେଳେ ଏହି ଖେଳାଳି ଜଣକ ବିଜୟ ସହ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି । ଷଷ୍ଠ ସିଡ୍ ନାଡାଲ୍ ସୋମବାର ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଦିନରେ ଆମେରିକାର ମାର୍କୋସ୍ ଗିରୋନ୍‌ଙ୍କୁ ୬-୧, ୬-୪, ୬-୨ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଏଥିସହ ସେ ଅଷ୍ଟ୍ରେଲିଆନ୍ ଓପନ୍‌ରେ  ତାଙ୍କର ୭୦ତମ ବିଜୟ ହାସଲ କରିଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ସ୍ଥାନୀୟ ଖେଳାଳି ତଥା ବିଶ୍ୱର ଏକ ନମ୍ବର ତାରକା ଆଶଲେ ବାର୍ଟି ୟୁକ୍ରେନ୍‌ର ଲେସିଆ ସୁରେଙ୍କୋଙ୍କୁ ୬-୦, ୬-୧ ସିଧାସଳଖ ସେଟ୍‌ରେ ହରାଇ ପରବର୍ତ୍ତୀ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି ।

ଏହାଛଡ଼ା ପୁରୁଷ ସିଙ୍ଗଲ୍ସରେ ପ୍ରଥମ ଦିନରେ ଜର୍ମାନୀର ତୃତୀୟ ସିଡ୍ ଖେଳାଳି ଆଲେକଜାଣ୍ଡର୍ ଜ୍ୱେରେଭ୍ ତାଙ୍କ ନିଜ ଦେଶର ତଥା ୮୭ତମ ର‌୍ୟାଙ୍କ୍ ଖେଳାଳି ଡାନିଏଲ୍ ଆଲଟମାଏର୍‌ଙ୍କୁ ୭-୬(୭/୩), ୬-୧, ୭-୬(୭/୧)ରେ ପରାସ୍ତ କରିଛନ୍ତି । ଆହୁରି ପୋଲାଣ୍ଡ୍‌ର ଦଶମ ସିଡ୍ ଖେଳାଳି ହୁବେର୍ ହରକାଜ୍ ବେଲାରୁଷର ଇଗୋର୍ ଗେରାସିମୋଭ୍‌ଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୬-୨, ୭-୬(୭/୩), ୬-୭ (୫/୭), ୬-୩ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛି । ତା’ଛଡ଼ା ସପ୍ତମ ସିଡ୍ ଇଟାଲୀର ମାଟିଓ ମାରେଟିନି ଆମେରିକାର ବ୍ରେଣ୍ଡନ୍ ନକଶିମାଙ୍କୁ ୪-୬, ୬-୨, ୭-୬ (୭/୫), ୬-୩ରେ ହରାଇଛନ୍ତି । ଦ୍ୱିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ଆମେରିକାର ଷ୍ଟେଫାନ୍ କୋଜଲୋଭ୍‌ଙ୍କ ସହ ହେବ । କାରଣ କୋଜଲୋଭ୍ ତାଙ୍କ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଚେକ୍ ଗଣରାଜ୍ୟର ଜିରି ଭେସେଲିଙ୍କୁ ୭-୫, ୬-୩, ୬-୪ରେ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।

ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ଅଷ୍ଟମ ସିଡ୍ ସ୍ପେନ୍‌ର ପାଉଲା ବାଦୋସା ଅଷ୍ଟ୍ରେଲିଆର  ଆଜଲା ଟୋମଜାନୋଭିକ୍‌ଙ୍କୁ ୬-୪, ୬-୦ରେ ହରାଇଛନ୍ତି । ଏହାଛଡ଼ା ଏକାଦଶ ସିଡ୍ ଆମେରିକାର ସୋଫିଆ କେନିନ୍‌ଙ୍କୁ ତାଙ୍କ ନିଜ ଦେଶର ମାଡିସନ୍ କିଜ୍ ୭-୬(୭/୨), ୭-୫ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି । ସେହିପରି ଚତୁର୍ଥ ସିଡ୍ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା ତାଙ୍କ ପ୍ରଥମ ରାଉଣ୍ଡ୍ ମୁକାବିଲାରେ ଜର୍ମାନୀର ଆଣ୍ଡ୍ରିଆ ପେଟକୋଭିକ୍‌ଙ୍କୁ ୬-୨, ୬-୦ ସିଧାସଳଖ ସେଟ୍‌ରେ ହରାଇଛନ୍ତି । ଆହୁରି ଜାପାନର ତ୍ରୟୋଦଶ ସିଡ୍ ନାଓମୀ ଓକାସା ୬-୩, ୬-୩ରେ  କଲମ୍ବିଆର କାମିଲା ଓସୋରିଓଙ୍କୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking