30.1 C
Bhubaneswar
Wednesday, April 24, 2024
HomeUncategorizedଆମ ପୁରାଣରୁ ଦୁଇ କାହାଣୀ ଓ 'କୋରୋନା' ମୁକାବିଲା

ଆମ ପୁରାଣରୁ ଦୁଇ କାହାଣୀ ଓ 'କୋରୋନା' ମୁକାବିଲା

 
*ପ୍ରଥମ କାହାଣୀ*
ଆପଣମାନେ କୁରୁକ୍ଷେତ୍ର ଯୁଦ୍ଧର ସବିଶେଷ ବର୍ଣନା ନିଶ୍ଚୟ ଜାଣିଛନ୍ତି ସମସ୍ତେ।ମାନେ ପକାନ୍ତୁ , ଯୁଦ୍ଧ ସମୟରେ ଥରେ ଦୁର୍ଯ୍ଯୋଧନ ପାଣ୍ଡବମାନଙ୍କ ପରାକ୍ରମ ଦେଖି ଓ ଅନେକ ଅନେକ ରଥୀ- ମହାରଥୀମାନଙ୍କୁ ଅର୍ଜୁନ ନିପାତ କରିଦଉଥିବା ଦେଖି ଅତ୍ୟନ୍ତ କୃଦ୍ଧ ହୋଇ ଗୁରୁଦ୍ରୋଣଙ୍କ ପୁତ୍ର ଅଶ୍ଵତ୍ଥାମାଙ୍କୁ *ନାରାୟଣାସ୍ତ୍ର ଚାଳନା କରିବା ପାଇଁ* ପ୍ରବର୍ତ୍ତେଇଲେ। ଗୁରୁ ଦ୍ରୋଣାଚାର୍ଯ୍ୟ ତ ନିହତ ହୋଇ ସାରିଥାନ୍ତି। ସେହି ସମୟରେ କେବଳ ଅର୍ଜୁନ ଓ ଅଶ୍ଵତ୍ଥାମା ହିଁ ମାତ୍ର ଦୁଇଜଣ ଯୋଦ୍ଧା ଥିଲେ ; ଯେଉଁ ମାନଙ୍କ ପାଖରେ ଏହି ଅତି ଭୟଙ୍କର ଅସ୍ତ୍ର ଥିଲା ଓ ସେମାନେ ଏହା ନିକ୍ଷେପ ବିଧି ଜାଣିଥିଲେ। ନିଜ ପିତାଙ୍କ ହତ୍ୟାରେ ତ ଜର୍ଜରିତ ଥିଲେ ଅଶ୍ଵତ୍ଥାମା ; ସେ ଅଚାନକ ଏହାର ପ୍ରୟୋଗ କରି ଦେଲେ। ପ୍ରବଳ ଅଗ୍ନି ଉଦ୍ଗିରଣ କରି କରି ଆଗେଇ ଚାଲିଲା ନାରାୟଣାସ୍ତ୍ର। ଚତୁର୍ଦ୍ଦିଗରେ ହାହାକାର ମାଡି ଗଲା। ପାଣ୍ଡବ ଯୋଦ୍ଧାମାନେ ଯେତେ ଚେଷ୍ଟା କଲେ ମଧ୍ୟ ଏହା ଆଗରେ ତିଷ୍ଠି ପାରୁ ନ ଥାନ୍ତି। ବରଂ ଯେତିକି ପ୍ରତିରୋଧ କରିବାକୁ ଯାଉଥାନ୍ତି ; ଏହା ସେତିକି ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଚାଲିଥାଏ ; ଯାହା ଏହାର ଅନ୍ତର୍ନିହିତ ଗୁଣ ହିଁ ଥିଲା ।
ଅସ୍ତ୍ର ନିକଟତର ହେଇ ଆସୁଥାଏ। ଯେଉଁଠାରେ ଅର୍ଜୁନ ଥାଆନ୍ତି ତାଙ୍କ ରଥରେ ତାଙ୍କର ଗାଣ୍ଡୀବ ଧନୁ ଧରି ଓ ତାଙ୍କ ସାରଥୀ ଭାବେ ବିଦ୍ୟମାନ ଶ୍ରୀକୃଷ୍ଣ ହାତରେ ଅଶ୍ଵ-ରଜ୍ଜୁ ଧାରଣ କରି ଶାନ୍ତ ଭାବରେ। ଅର୍ଜୁନଙ୍କ ବିଶ୍ବାସ ଥାଏ ; ନିଶ୍ଚୟ କିଛି ପରାମର୍ଶ ଦେବେ ଶ୍ରୀକୃଷ୍ଣ ; କିପରି ଏହି ଦିବ୍ୟାସ୍ତ୍ରକୁ ନିଷ୍କ୍ରିୟ କରାଯାଇ ପାରିବ। କିନ୍ତୁ ଚକିତ ହେଲେ ଅର୍ଜୁନ ; ଯେତେବେଳେ ଅସ୍ତ୍ର ନିକଟ ଆସିବା ସମୟରେ ଶ୍ରୀକୃଷ୍ଣ ରଥରୁ ଅବତରଣ କରି ଭୂମିରେ ଲୋଟି ଗଲେ ଓ ଅର୍ଜୁନଙ୍କୁ ଆହ୍ଵାନ ଦେଲେ ଯେ ସେ ମଧ୍ୟ ତାଙ୍କର ଅସ୍ତ୍ର ଭୂମି ଉପରେ ରଖି ଦେଇ ଲୋଟି ଯିବାକୁ। ସେ ପାଣ୍ଡବ ପକ୍ଷର ଅନ୍ୟ ସମସ୍ତ ସେନାଙ୍କୁ ମଧ୍ୟ ସେହିପରି କରିବାକୁ କହିଲେ। ସମସ୍ତେ ଏବେ ଭୂମି ଉପରେ ଅସ୍ତ୍ର ସବୁ ରଖି ଦେଇ। ପ୍ରବଳ ତେଜ, ବେଗରେ ମାଡି ଆସୁଥିବା ନାରାୟଣାସ୍ତ୍ର ଆଉ ବାଧା ହିଁ ପାଇଲା ନାହିଁ। ତାହାର ତେଜ ଧୀରେ ଧୀରେ ମଳିନରୁ ମଳିନ ପଡି ; ଶେଷରେ ତାହା ସମ୍ପୂର୍ଣ ନିର୍ବାପିତ ହୋଇଗଲା। ରକ୍ଷା ପାଇଲେ ସମଗ୍ର ପାଣ୍ଡବ ସେନା ସେହି ଦିନ ଯୁଦ୍ଧରେ…..
*ଦ୍ଵିତୀୟ କାହାଣୀ*
ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ପରିସ୍ଥିତି କ୍ରମେ କୌରବ ମାନଙ୍କ ପିତା ଧୃତରାଷ୍ଟ୍ର ସିଂହାସନ ଆରୋହଣ କରିଥିଲେ ଓ ଘଟଣା ଚକ୍ରରେ ଦ୍ରୌପଦୀଙ୍କୁ ସାଙ୍ଗରେ ନେଇ ପାଣ୍ଡବମାନଙ୍କୁ ବନବାସ ଯାତ୍ରା କରିବାକୁ ହେଲା। ସେହି ସମୟରେ ବିଦ୍ଵାନ ବିଦୁର ଧୃତରାଷ୍ଟ୍ରଙ୍କ ପରମର୍ଶଦାତା ଭାବରେ ଥିଲେ ଓ ଯଦିଓ ବାଧ୍ୟ ବାଧକତା ଯୋଗୁଁ ସେ ପରବର୍ତୀ କାଳରେ ମଧ୍ୟ କୌରବ ପକ୍ଷରେ ରହିବାକୁ ରହିଥିଲେ ; ତଥାପି ତାଙ୍କର ଧାର୍ମିକ ପାଣ୍ଡବ ମାନଙ୍କ ପାଇଁ ବହୁତ ସହାନୁଭୁତି ରହିଥିଲା ଓ ସେମାନଙ୍କର ଯେପରି କିଛି ଅନିଷ୍ଟ ନ ହେବ ନୈପଥ୍ୟରେ ରହି ମଧ୍ୟ ବିଦୁର ସହାୟତା ଦଉଥିଲେ। ବନବାସ ସମୟରେ ଦୁର୍ଯ୍ଯୋଧନ ଯେ ଦୁଷ୍ଟ-ବୁଦ୍ଧି ଶକୁନିଙ୍କ କଥା ଅନୁସାରେ ପାଣ୍ଡବମାନଙ୍କୁ ହଇରାଣ, ଏପରିକି ହତ୍ୟା କରିବାର ଯେ ଯୋଜନା କରିବ ଏହା ଆଶଙ୍କା କରି ବିଦୁର ଗୁପ୍ତଚର ନିୟୋଜନ କରି ; କୌରବମାନଙ୍କର ସବୁ ଯୋଜନା ଆଗରୁ ଜାଣି ; ପାଣ୍ଡବମାନଙ୍କୁ ଜଣେଇବା ବ୍ୟବସ୍ଥା କରୁଥିଲେ।
ବନବାସ ଗମନ କରିବା ପୂର୍ବରୁ ପାଣ୍ଡବମାନେ ତାଙ୍କର ପତ୍ନୀ ଦ୍ରୌପଦୀଙ୍କ ସଙ୍ଗେ ମାତା କୁନ୍ତୀଙ୍କ ସହିତ ବିଦୁରଙ୍କ ନିକଟକୁ ଆସି ତାଙ୍କର ଆଶୀର୍ବାଦ ନେବାକୁ ପ୍ରଣାମ କଲେ। ବିଦୁର ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ପାଶ୍ଚାତ୍ ଜେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କଲେ , “ ଯୁଧିଷ୍ଠିର ! ଯଦି ଘୋର ଅଗ୍ନାଗ୍ନି ବନସ୍ତରେ ଚତୁର୍ଦିଗରୁ ଅଗ୍ନି ଲାଗିଲା ଓ ତାହା ବ୍ୟାପକ ରୂପ ଧାରଣ କଲା ; ତେବେ ଅରଣ୍ୟରେ ଥିବା ଅନେକ ଜୀବ ମଧ୍ୟରୁ କିଏ ବଞ୍ଚି ପାରିବ ? “
ଯୁଧିଷ୍ଠିର ତୁରନ୍ତ ବିନମ୍ର ଭାବରେ କହିଲେ, “ମହାତ୍ମା ! ଯଦି ଅରଣ୍ୟରେ ବ୍ୟାପକ ଅଗ୍ନି ଲାଗେ ; ତେବେ ସିଂହ,ବ୍ୟାଘ୍ର,ଗଜ ଆଦି ଜୀବ ଅତୀବ ଶକ୍ତିଶାଳୀ ହେଲେ ମଧ୍ୟ ବର୍ତ୍ତିପାରିବେ ନାହିଁ ଏହି ଅଗ୍ନିର ପ୍ରକୋପରୁ। ଆଉ ହରିଣ,ଗୁଧ୍ର ଆଦି ଜୀବ ଅତି ତୀବ୍ର ଭାବରେ ଧାବନ କରି ପାରୁଥିଲେ ମଧ୍ୟ ସେମାନେ ବି ନିସ୍ତାର ପାଇବେନି ଏହି ସର୍ବଦିଗ ବ୍ୟାପୀ ଅଗ୍ନି ର ପ୍ରକୋପରୁ। ଏହି ପରିସ୍ଥିତିରୁ କେବଳ ଗୋଟିଏ ପ୍ରଜାତିର ଜୀବ ହିଁ ରକ୍ଷା ପାଇବେ। ସେମାନେ ହେଲେ *’ମୂଷିକ’* ପ୍ରଜାତି। ସେମାନେ ଗଭୀର ମାଟି ଭିତରେ ତାଙ୍କର ବାସ ସ୍ଥାନ ନିର୍ମାଣ କରିଥାନ୍ତି ; ଯେଉଁଠିକୁ ଅଗ୍ନିର ପ୍ରବେଶ ହୋଇ ପାରିବ ନାହିଁ। ଅରଣ୍ୟରେ ଅଗ୍ନି ଲାଗି ସମସ୍ତ କିଛି ଦଗ୍ଧ ହୋଇଗଲା ପରେ ଅଗ୍ନି ନିର୍ବାପିତ ହେବ ଓ ମୂଷିକମାନେ ତାଙ୍କ ଗଭୀର ଗର୍ତ୍ତଗୃହରୁ ପାଉଁଶ ଅଡେଇଦେଇ ପୁନଃ ଜୀବନ ନିର୍ବାହରେ ଲାଗିବେ ସେଇ ଅରଣ୍ୟରେ।”
ବିଦୁର ଖୁବ୍ ଖୁସି ହେଲେ। ଯୁଧିଷ୍ଠିରଙ୍କୁ ସ୍ନେହରେ କୋଳାଗ୍ରତ କରି କାହିଲେ, “ବାଃ ! ମୁଁ ତୁମଠାରୁ ଏହି ଉତ୍ତର ଆଶା କରିଥିଲି। ପ୍ରକୃତରେ ତୁମେ ପ୍ରସ୍ତୁତ ; ସମସ୍ତ ବିପଦ ଆପଦରେ ପାଣ୍ଡବ କୁଳକୁ ପ୍ରକୃତ ମାର୍ଗଦର୍ଶନ ଦେବାକୁ। ବନବାସ ସମୟରେ ମଧ୍ୟ ଏହି ଜ୍ଞାନ କାର୍ଯ୍ୟରେ ଲାଗିବ ।
*ବର୍ତ୍ତମାନର କୋରୋନାର ମୁକାବିଲା*?
ବନ୍ଧୁ-ବାନ୍ଧବୀମାନେ ! ଏହି ଦୁଇଟି କାହାଣୀ ତ ଆମେ ଜାଣିଥିଲେ। ଆଜିର ମହାବିପତ୍ତି(ମହାମାରୀ) କୁହାଯାଉଥିବା *”କୋରୋନା”* ର ପ୍ରତିକାର ସହିତ ଏହାର କି ସମ୍ପର୍କ ???
ହଁ ,ସମ୍ପର୍କ ଅଛି ; ହୁଏ ତ। କେହି କେହି ଏ କଥାକୁ ହସରେ ଉଡାଇ ଦେଇ କହିପାରନ୍ତି : *”ଗଛରୁ ବେଲ ପଡିବାକୁ କୁଆ ତେଣେ ରବି ଦେଲା”।*
‘କୋରୋନା’ ଭୂତାଣୁ ବର୍ତ୍ତମାନ ସେଇ ନାରାୟଣାସ୍ତ୍ର ତୁଲ୍ୟ ଶକ୍ତି ଆହରଣ କରି ମାଡି ଆସୁଛି ତୀବ୍ର ବେଗରେ। କିନ୍ତୁ ଏହା ଆପେ ଆପେ ଯାଇ ପାରିବ ନାହିଁ କି ପବନଦ୍ଵାରା ମଧ୍ୟ ଆଗକୁ ଆଗେଇ ପାରିବ ନାହିଁ। କେବଳ ଆମ ଦ୍ଵାରା ହିଁ ଶରୀରରୁ ଶରୀରକୁ ସଂକ୍ରମଣ ହେବ। ଶରୀର ମଧ୍ୟକୁ ସଂକ୍ରମଣ ହୋଇ ପ୍ରବେଶ କରି ପାରିଲେ ପୁଷ୍ଟ ହେବ ଓ ବ୍ୟାଧି ଭାବରେ ଆମକୁ ନିହତ କରିବାର ମଧ୍ୟ ଏହାର କ୍ଷମତା ରହିବ। ଏହା ମଣିଷ ଶରୀର ବାହାରେ ରହିଲେ ; ମାତ୍ର ୧୨ ଘଣ୍ଟା ହିଁ ଜୀବନ୍ତ ଭାବରେ ତିଷ୍ଠି ପାରେ। କିନ୍ତୁ ଆମେ ଯଦି ଏହାକୁ ଅସ୍ତ୍ର (ଔଷଧ ) ସାହାଯ୍ଯରେ ପ୍ରତିହତ କରିବାକୁ ଚାହିଁବା ; ତେବେ ହୁଏ ତ ଆମ ପାଖରେ ପର୍ଯ୍ୟାପ୍ତ ସାଧନ ନ ଥିବ(ସହଜେ ତ ପ୍ରତିକାର ଔଷଧ/ଟୀକା/ଇଞ୍ଜେକ୍ସନ ଏ ଯାଏଁ ବାହାରି ନାହଁ) ; ଯେପରି ବନାଗ୍ନି ପାଇଁ ଏତେ ସାଧନ କାହିଁ(ବିଗତ ଅଷ୍ଟ୍ରେଲିଆ ମହାଦେଶ କଥା ମନେ ପକାନ୍ତୁ) ? ତେଣୁ ଆମେ ନିରାପଦ ଉପାୟ ଅବଲମ୍ବନ କରିବା। ସେଇ *’ମୂଷିକ’* ପ୍ରଜାତିଠାରୁ ଜ୍ଞାନ ନେଇ ; ସେହିଭଳି ଘର ଭିତରର ନିରାପତ୍ତାରେ ରହି ସଂକ୍ରମଣରୁ ଦୂରେଇ ରହିବା। ଆଉ ନାରାୟଣାସ୍ତ୍ର ପରି *’କୋରୋନା’* ଭୂତାଣୁ ମଧ୍ୟ ନିଜ ବୃଦ୍ଧି ପାଇଁ ଶରୀର ନ ପାଇ ; କ୍ରମଶଃ ଦୁର୍ବଳ ହୋଇ ଲୋପ ହୋଇ ଯିବ ; କାଳକ୍ରମେ ଯେପରି ଅନ୍ୟ ଅନେକ ଭୂତାଣୁ କ୍ଷେତ୍ରରେ ହୋଇଥିଲା। ଆଉ ଆମେ ଏବେ ଯଦି ନିଷ୍ଠାର ସହିତ ସାରା ଭାରତ-ବାସୀ ଏକଜୁଟ ହୋଇ କଠୋର ଭାବରେ ନିୟମ ପାଳନ କରି କିଛି କାଳ ଘର ଭିତରେ ରହିଯିବା ; ତେବେ ‘କୋରୋନା’ ଅପସରି ଗଲେ ; ପୁଣି ଆମେ ‘ସିଂହ’ ପରି ବଳଶାଳୀ ହୋଇ ଆନନ୍ଦରେ ନିଜ କର୍ମ କରିବା ନାହିଁ କି ? ………. *ନିଷ୍ପତ୍ତି ଆମମାନଙ୍କର …. ଆମର ସମ୍ପୂର୍ଣ ନିରାପତ୍ତା ……; କି କେରୋନା ବ୍ୟାଧି-ଗ୍ରସ୍ତ ହୋଇ ନିଜେ ଓ ନିଜ ଆପଣାର ସମସ୍ତଙ୍କୁ କଲବଲ କରି ମାରିବା ………..*
ନିଜେ ସୁରକ୍ଷିତ ରୁହନ୍ତୁ ; ନିଜ ଆପଣାର ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ ; ଦେଶକୁ ସୁରକ୍ଷିତ ରଖନ୍ତୁ ; ସାରା ମାନବ ଜାତିକୁ ବି ସୁରକ୍ଷିତ ରଖିବା ପାଇଁ ସଙ୍କଳ୍ପ ନିଅନ୍ତୁ ….. ସମୟର ଆବଶ୍ୟକତାକୁ ଅନୁଭବ କରି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତ ବିଶ୍ବବାସୀ ସୁରକ୍ଷିତ ରୁହନ୍ତୁ ଓ ଶାନ୍ତି ତଥା ସଦ୍ଭାବନା ବଞ୍ଚି ରହୁ ।?ଓଁ ଜୟ ଶ୍ରୀଜଗନ୍ନାଥ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking