39.1 C
Bhubaneswar
Tuesday, April 23, 2024
HomeUncategorizedମୋ ଘର

ମୋ ଘର

ଭୁବନେଶ୍ୱର : ବଗିଚା ର ସିମେଣ୍ଟ ବେଞ୍ଚରେ ବସିଥିଲେ ତିନି ସାଙ୍ଗ। ମଧୁ, ସୁର ଓ ଅଜୁ। ଗପସପ ଚାଲିଥିଲା। ଅପେକ୍ଷା ବି କରୁଥିଲେ ହେମ ଓ ରଘୁଙ୍କୁ। ରଘୁ ଟିକିଏ ବେଶୀ ବେଳ ଶୋଇ ପଡ଼ିଲା ଆଜି। ଆସୁଥିବ। ଆଉ ସମୟ ମିଳିଲେ ହେମ ଆସିବ। ସେ ଶଳାଟା ବେପାରୀ, ପଇଁଆ, ମାନେ ପଞ୍ଜାବୀ। ହେଲେ ଖୋଲାମେଲା, ଦିଲ୍ ବାଲା। ସେମାନେ ତାକୁ ହେମ ପଇଁଆ ଡାକନ୍ତି । ଏଇ ପାଞ୍ଚ ଜଣିଆ ଦଳର ନାଁ ଥିଲା ” ପଞ୍ଚସଖା”।
ମଧୁଟା ଗୋଟାଏ ଯୋକର। ହସେଇ ହସେଇ ପେଟ ପରାଶ କରି ଦିଏ। ଆଜିବି ସୁର ଓ ଅଜୁଙ୍କ ମଝିରେ ବସି କୋଉ ପୁରୁଣା ଦିନର ମଜା ମଜା  କଥା ଓ ଅନୁଭୂତି ବଖାଣୁଛି ଓ ତିନିହେଁ ହସି ହସି ଲୋଚାକୋଚା ହେଉଛନ୍ତି। ରଘୁ ଆସୁଥିବା ଦେଖି ଦୋହା ଆରମ୍ଭ କଲା ଅଜୁ,
ଶ୍ରୀ ଗୁରୁ ଚରନ ସରୋଜ ରଜ
ନିଜ ମନୁ ମୁକୁରୁ ସୁଧାରି।
ବରନଉଁ ରଘୁବର ବିମଳ ଜସୁ
ଜୋ ଦାୟକୁ ଫଲ ଚାରି।।
ଗପ ସେମାନଙ୍କର କୋଉଠୁ କୋଉ ଯାଏ ଲମ୍ବି ଯାଉଥିଲା। ସଂସାରଟା ଯାକର ଗପ। ମନେ ପକାଉଥିଲେ ଅତୀତ କୁ  … କି ଖରା, କି ଶୀତ, କେବଳ ବର୍ଷାକୁ ଛାଡ଼ିଲେ ସେମାନେ ପ୍ରାୟ ଏକାଠି ହେଉଥିଲେ ସହରର ଗୋଟିଏ ପାର୍କ ରେ। ସବୁଦିନ।
ଏ ସବୁ ପୁରୁଣା କଥା … ମଧୁ ବ୍ୟାଙ୍କ କର୍ମଚାରୀ ଥିଲା। ବହୁତ ଦିନ ଧରି ପିଲାପିଲି ନ ହେବାରୁ ଅନେକ ଡେରିରେ ଅନାଥାଶ୍ରମ ରୁ ଝିଅଟିଏ ଗ୍ରହଣ କରିଥିଲା। ଝିଅଟିକୁ ଯତ୍ନ ର ସହିତ ବଢ଼େଇଲା, ପଢେଇଲା। ସୁର ଅଧ୍ୟାପକ। ଗଣିତ ପଢାଉଥିଲା। ଟିଉସନ କରି ଭଲ ରୋଜଗାର କରୁଥିଲା। ତାର ପୁଅ ବାଙ୍ଗାଲୋର ରେ ଓ ଝିଅ ତା ସ୍ବାମୀ ସହିତ ରାଉରକେଲା ରେ ରହୁଥିଲା। ପୁଅର ବାହାଘର ଠିକ ହୋଇ ଯାଇଥିଲା। ସରିଗଲେ  ସୁର ର ସବୁ କାମ ସରି ଯିବ ବୋଲି ସେ କହୁଥିଲା। ଅଜୁ ଡାକ୍ତର। ତା ସ୍ତ୍ରୀ ବି ଡାକ୍ତର ଥିଲା। କିନ୍ତୁ କ୍ୟାନ୍ସର ରେ ମରିଗଲା। ତାର ମାତ୍ର ଗୋଟିଏ ପୁଅ। ଆମେରିକା ରେ କାମ କରୁଥିଲା। ରଘୁ ଔଷଧ କମ୍ପାନୀରେ କାମ କରୁଥିଲା। ପ୍ରଥମେ ରିପ୍ରେଜେଣ୍ଟେଟିଭ୍ ଥିଲା। ପରେ ମ୍ୟାନେଜର ହେଇଗଲା। ତା ସ୍ତ୍ରୀ ଟା ରୋଗିଣା। ମରୁଛି – ବଞ୍ଚୁଛି ଅବସ୍ଥା। ବିଚରା ଭାରି ହଇରାଣ ହେଉଥିଲା। ଭାଗ୍ୟ ଭଲ ଗୋଟିଏ ବୋଲି ଝିଅକୁ ଭଲ ଘର ଦେଖି ହାତରୁ ଦିହାତ କରି ଦେଇ ଥିଲା। ବାକି ରହିଲା ହେମ। ତାର ବାପା ବଡବାପା ମିଶି ଏକ ବଡ଼ ପରିବାର। ଦି ତିନିଟା ବିଜିନେସ୍ ଚାଲିଥିଲା ସେମାନଙ୍କର। ଘରେ ପୁଳାଏ ପିଲା। ଯଦିଓ ତାର ମାତ୍ର ଦୁଇଟି, ପୁଅଟିଏ ଓ ଝିଅଟିଏ। ଦିଜଣଙ୍କ ବାହାଘର ସରି ଯାଇଥିଲା। ବିଶେଷ କିଛି କାରଣ ନଥିଲେ ତାଙ୍କ ପରିବାରରେ ଜଲଦି ବାହା କରି ଦିଅନ୍ତି। ହେମ ବି ମାତ୍ର ତେଇଶି ବର୍ଷରେ ବାହା ହେଇଥିଲା। ସେତେବେଳକୁ ଅଜୁର ଡାକ୍ତରୀ ପଢା ସରି ନଥିଲା। ଅନ୍ୟ ତିନିଜଣଙ୍କ ଭିତରୁ କେହି ବି ଚାକିରୀ କରି ନଥିଲେ। ବାହାଘର ତ ଦୂରର କଥା।
ଭବିଷ୍ୟତ କାହାକୁ ବା ଜଣା ଥାଏ? ଅଜୁ ସ୍ତ୍ରୀର ମୃତ୍ୟୁ ସମୟରେ ନୂଆ ନୂଆ ଆମେରିକା ଯାଇଥିବାରୁ ପୁଅ ଆସି ପାରିଲା ନାହିଁ। ଶୁଦ୍ଧିକ୍ରିୟା ସରିବା ପରେ ବାପାକୁ ଆମେରିକା ଡାକିଲା। ହେଲେ ଡାକ୍ତରୀ କାମରୁ ଅଜୁକୁ ଫୁରୁସତ କୋଉଠି ଥିଲା ଯେ ସେ ଯାଇଥାନ୍ତା? ଚାକିରୀ ରୁ ଅବସର ନେଲା ପରେ ବି ରୋଗୀ ସେବାରେ ସେ ବ୍ୟସ୍ତ ରହୁଥିଲା। ଘରେ ଏକା କଣ ବା କରନ୍ତା। ଘରଦ୍ୱାର, ଟଙ୍କା ର  ପ୍ରାଚୂର୍ଯ୍ୟ ଭିତରେ ସେ କିନ୍ତୁ ପୁରା ଏକା ହେଇ ଯାଇଥିଲା। ସେଥିପାଇଁ ଯେ କୌଣସି ଉପାୟରେ ସନ୍ଧ୍ୟା ବେଳକୁ ସେ ଖସି ଆସୁଥିଲା ପଞ୍ଚସଖା ଆସର କୁ। ଦିନେ ପୁଅ ଫୋନ୍ କଲା ଯେ ଗୋଟିଏ ଆମେରିକାନ୍ ଝିଅକୁ ସେ ବିବାହ କଲା ଓ ସେଠାକାର ସ୍ଥାୟୀ ବାସିନ୍ଦା ହେଇଗଲା। ମଝିରେ ଥରେ ବୋହୂକୁ ଆଣି ସେ ଆସିଥିଲା ଇଣ୍ଡିଆ ଦେଖେଇବାକୁ। ଅଜୁ ବି ଥରେ ଯାଇ ଆମେରିକା ବୁଲି ଆସିଲା। ବାସ୍ ସେତିକି। ଖାଲି ଯାହା ଫୋନ୍ ରେ ସମ୍ପର୍କ ରହିଥିଲା। ଅବଶ୍ୟ ମଝିରେ ମଝିରେ ପୁଅ ମୋଟା ଅଙ୍କର ଟଙ୍କା ପଠାଏ। ନିଜ ଖୁସି ଅନୁଯାୟୀ ଜୀବନ ବିତେଇବାକୁ ପରାମର୍ଶ ଦିଏ। କିନ୍ତୁ ସେ ମଲା ବେଳକୁ ଯେ ପୁଅ ଆସିବ, ଏ ଆଶା ତାର ନଥିଲା।
ମଧୁ ବ୍ୟାଙ୍କ୍ ଚାକିରୀରୁ ଅବସର ନେଲା ପରେ କିଛିଦିନ ଗୋଟିଏ ବଡ଼  ଅଳଙ୍କାର ଦୋକାନରେ ହିସାବ ନିରୀକ୍ଷକ ଥିଲା। କିନ୍ତୁ ଭଲ ନ ଲାଗିବାରୁ ଛାଡିଦେଲା। ପାଳିତା ଝିଅ ପଢା ସରୁ ସରୁ ଗୋଟିଏ ପିଲା କୁ ବାହା ହବ ବୋଲି ଜିଦି କରି ବସିଲା। ପିଲାଟି ମଧୁ ଓ ତା ସ୍ତ୍ରୀ କୁ ଆଦୌ ଭଲ ଲାଗୁନଥିଲେ ମଧ୍ୟ ଅଲିଅଳ ଝିଅର ଯିଦି ଭାଙ୍ଗିବା ସମ୍ଭବ ନଥିଲା। ସେମାନେ ଆଲୋଚନା କଲେ ଯେ ହୁଏତ ଆଉ ବର୍ଷ କେଇଟା ରେ ପିଲା ଟି ନିଜ ଗୋଡ଼ରେ ଠିଆ ହେଇ ଯିବ। ସେଥିପାଇଁ ଯାହା ସାହାଯ୍ୟ ଦରକାର ଦେବାକୁ ପ୍ରସ୍ତୁତ ଥିଲା ମଧୁ। ବାହାଘରର କିଛିଦିନ ପରେ ଝିଅ ଜ୍ବାଇଁ ତାଙ୍କ ଗାଁ ରେ ନରହି ସେମାନଙ୍କ ପାଖରେ ଆସି ରହିଲେ। ଧୀରେ ଧୀରେ ଜ୍ବାଇଁଙ୍କ ଦୌରାତ୍ମ୍ୟ ଅସହ୍ୟ ହେଲା। ଝିଅ ବି ଚୁପ୍ ରହିଲା। ସବୁବେଳେ ମାନସିକ ଅଶାନ୍ତି ଓ ଚାପ ଭିତରେ ରହି ମଧୁ  ସ୍ତ୍ରୀ ର ମାନସିକ ବିକୃତି ଆରମ୍ଭ ହେଲା। ଅନେକ ଟ୍ରିଟମେଣ୍ଟ୍ ପରେ ବି ସେ ସୁସ୍ଥ ହେଲା ନାହିଁ। ଝିଅ ଜ୍ବାଇଁ ସେମାନଙ୍କ ସହିତ ଆଉ ଚଳି ପାରିବେ ନାହିଁ ବୋଲି ରୋକଠୋକ୍ ଶୁଣେଇ ଦେଲେ। ତେଣୁ ସେ ବୁଢ଼ୀକୁ ଧରି, ଝିଅ ଜ୍ବାଇଁ ଙ୍କୁ ଘର ସମର୍ପି, ବାହାରି ଆସିଲା।
ସୁର ପୁଅର ବାହାଘର ହେଇଗଲା।ବୋହୂ ବି ପୁଅ ଭଳି ଗୋଟିଏ ସଫ୍ଟଓୟାର କମ୍ପାନୀରେ କାମ କରୁଥିଲା। ଦୁହେଁ ବାଙ୍ଗାଲୋର ଚାଲିଗଲେ। ସୁରର ସ୍ତ୍ରୀ ଟିକିଏ ବଦରାଗୀ। ସବୁବେଳେ ସେମାନଙ୍କ ଭିତରେ ଖିଟିମିଟି ଚାଲିଥାଏ। ବୋହୂର ପିଲା ହେଲା। ତାର ମାଟରନିଟି ଲିଭ୍ ପରେ ଚାକିରୀ ରେ ଯୋଗ ଦେବା ବେଳକୁ ଘରେ ପିଲା କୁ ଜଗିବା ପାଇଁ ପୁଅ ତା ମାଆ କୁ ବାଙ୍ଗାଲୋର ନେଇଗଲା। ସୁର କୁ ବି ଡାକୁଥିଲା। ହେଲେ ସ୍ତ୍ରୀ ଠୁ ଦୂରରେ ଶାନ୍ତିରେ ରହିବାର ଲୋଭ ସମ୍ଭାଳି ନ ପାରି ସେ ଯିବାକୁ ମନା କରିଦେଲା। ଝିଅ ବି ରାଉରକେଲା ଡାକୁଥିଲା। ହେଲେ ସେ ଝିଅ ଘରେ କାଇଁ ରହିବ, କୋଉ ସୁଖ ବି ମିଳିବ ସେଠାରେ?
ରଘୁ ର ସମୁଦୀ ଘର ଭାରି ଭଲ। ଝିଅ ସେଠାରେ ଭଲରେ ରହିଲା। ରୋଗିଣା ସ୍ତ୍ରୀ ତାର ନାତୁଣୀ ଦେଖିଲା, ଏହାହିଁ ବଡ଼ କଥା। ମଲ୍ଟି ଅର୍ଗାନ୍ ଫେଲୁଅର୍ ଓ ହାର୍ଟ ଷ୍ଟ୍ରୋକ୍ ରେ ଦିନେ ସେ ଆଖି ବୁଜିଲା। ତାର ପୈତୃକ ଘରଟି ସହର ର ଛାତି ଉପରେ ଥିଲା। ହେଲେ ଏକା ରହିବାକୁ ତାକୁ ମାଡି ପଡ଼ୁଥିଲା।
ଚାରି ବନ୍ଧୁଙ୍କର ଅତୀତ ସ୍ମୃତି ରୋମନ୍ଥନ ଏହିଭଳି ଚାଲିଥିଲା। ଏସବୁ ଅନେକ ଦିନ ତଳର ଘଟଣା।
ଚା ବେଳ ହେବାରୁ ସେମାନେ ଚା ପିଇଲେ। ଏକାଠି ବ୍ୟାୟାମ କଲେ। ଆଜିକାଲି ବ୍ୟାୟାମ ବେଳେ କାହାର ପେଟ ମାଟିରେ ଲାଗୁଛି, କାହାର ଅଣ୍ଟା ବଙ୍କେଇଲା ବେଳକୁ ଆଣ୍ଠୁ ଭାଙ୍ଗି ଯାଉଛି କୁହାକୁହି ହୋଇ ବହେ ହସିଲେ। ସେତିକି ବେଳକୁ ହେମ ତାର ଥୁକୁଲୁ ଥାକୁଲୁ ଚେହେରା ଧରି ଆସି ପହଞ୍ଚିଲା। ସେ ଧଇଁ ସଇଁ ହେଇ ଯାଉଥିଲା। ବୟସ ବଢିବା ସହିତ ସେ ଅଧିକ ମୋଟା ହେଉଥିଲା। ଯିଏ ତାକୁ ପିଲା ବେଳେ ଦେଖିଥିବ ଏବେ ଚିହ୍ନିବା କଷ୍ଟ ହେବ। ଚୁଟି ଯାକ ଉପୁଡ଼ି ସେ ଚନ୍ଦା ହେଇଯାଇଥିଲା। କିନ୍ତୁ ତାର ବିନ୍ଦାସ ଅନ୍ଦାଜଟା ପୂର୍ବ ପରି କାଏମ ରହିଥିଲା। ସେ ଆଜି କଳ୍ପନା ବାହାର ଖବରଟିଏ ଶୁଣେଇଲା। ତା କହିବା ଅନୁସାରେ ଖାସ୍ ସେଇ ଖବର ଟା ଦବା ପାଇଁ ହିଁ ତାର ଏଇ ଧଇଁସଇଁ ଅବସ୍ଥା। ସମସ୍ତେ ଆବା କାବା ହୋଇ ତାକୁ ଚାହିଁଲେ। ସେ ଭିଡିନେଲା ସଭିଙ୍କୁ ପାଖ ଆମ୍ବ ଗଛ ମୂଳ ବେଞ୍ଚ ପାଖକୁ। ସମସ୍ତଙ୍କୁ ବସେଇ ଦେଲା ବେଞ୍ଚ ରେ ଓ ଉତ୍ତେଜିତ ଅବସ୍ଥାରେ କହିଲା, “ଆଜି ଗଜବ ହେଇଗଲା ଭାଇମାନେ। ମୁଁ ମୋ ସାଉଥ ଇଣ୍ଡିଆନ୍ ହୋଟେଲର କ୍ୟାସ୍ କାଉଣ୍ଟର ରେ ବସିଥିଲି। ଜଣେ ବୟସ୍କା ଭଦ୍ର ମହିଳା ଓ ତାଙ୍କ ସହିତ ଯୁବକଟିଏ ଆସିଲେ ଓ ଖାଇବା ପାଇଁ ବସିଲେ। ମହିଳା ଜଣକ ମତେ କେମିତି ଟିକିଏ ଦୋ ଦୋ ଚିହ୍ନା ମନେହେଲେ। କାଉଣ୍ଟର ରେ ବିଶେଷ ଭିଡ ନଥିଲା। ମୁଁ ମନେ ପକେଇବାକୁ ଚେଷ୍ଟା କଲି। ମନେ ନପଡିବାରୁ ସିଟ୍ ରୁ ଉଠି ପାଖକୁ ଗଲି। ବାହାନା କରି ବୟ୍  କୁ ଭଲ କରି ଟେବୁଲ୍ ସଫା କରିବାକୁ କହିଲି। ୱେଟର୍ କୁ ମ୍ୟାଡମଙ୍କ କଥା ଠିକ୍ ଭାବେ ବୁଝିବାକୁ ଅର୍ଡର୍ ଦେଲି।  ମଝିରେ ମଝିରେ ତାଙ୍କ ମୁହଁକୁ ଦେଖୁଥିଲି ମୁଁ। ଚିହ୍ନିବାକୁ ଚେଷ୍ଟା କରି ବିଫଳ ହୋଇ କାଉଣ୍ଟର କୁ ଫେରିଲି। ଖୁବ୍ ଭାବିଲି। ସେଇ ମୁହଁ, ସେଇ ଛଟା। କେବଳ ଯାହା ବୟସର ଛାଇଟା ଘୋଡେଇ ହେଇଥିଲା। ହେଲେ କିଏ ଇଏ? ସେମାନଙ୍କର ଖାଇବା ସରିଲା। ଯୁବକଟି ସିଧା ବାହାରି ଚାଲିଗଲା। ଭଦ୍ର ମହିଳା ପେମେଣ୍ଟ୍ କରିବାକୁ ଆସିଲେ। ସେତେବେଳେ ଯାଇ ମୋର ମନେ ପଡିଲା। କିଏ କହିଲ?”
ଚାରି ସାଙ୍ଗ ଏକ ସ୍ଵରରେ ପଚାରିଲେ, କିଏ? କିଏ?
— ରିଦ୍ଧିମା।
— ରିଦ୍ଧିମା? ଆମ କ୍ଲାସ୍ ର ନାୟିକା?
— ହଁ ରିଦ୍ଧିମା ଦାସ୍। ଯାହାକୁ ନେଇ ଆମେ ସମସ୍ତେ ଅଳ୍ପେ ବହୁତେ ପାଗଳ ଥିଲେ, ସେଇ। କେମିତି କଥା ଆରମ୍ଭ କରିବି ବୁଝି ପାରୁନଥିଲି। ବହୁତ ଆଗପଛ ହେଇ କହିଲି, “ଆପଣ ରିଦ୍ଧିମା ଦାସ୍ କି? ପଚାରୁଛି ବୋଲି ମାଇଣ୍ଡ କରିବେନି।” ସେ ମତେ କିଛି ସମୟ ନିରୀକ୍ଷଣ କଲା। କହିଲା,
— ହଁ। କିନ୍ତୁ ମୁଁ ଆପଣଙ୍କୁ ଜାଣିପାରୁନି।
— ଆମେ ଏକାଠି ପଢୁଥିଲେ, ଆଇ. ଏସ. ସି.। ମୁଁ ହେମ, ହେମେଶ୍ ସିଂ।
ଚଟ୍ କରି ଚିହ୍ନିଦେଲା ସେ। ଖୁବ୍ ଖୁସି ହେଲା। ତମମାନଙ୍କ କଥା ଶୁଣି ରବିବାର ଏଠାକୁ ଆସିବ ବୋଲି ତା ନିଜ ତରଫ ରୁ କହିଛି।
— ଆରେ, ପ୍ରାୟ ଚାଳିଶି ବର୍ଷ ପରେ … ସେ ସମୟରେ ଶୟନେ ସପନେ ରିଦ୍ଧିମା ମୋ ମନରେ ଥିଲା।
— ତୁ ହାରିଗଲୁ ମଧୁ। ମୋ ହୃଦୟରେ ତ ସିଏ ଶୟନେ, ସପନେ, ଜାଗରଣେ ଥିଲା।
— ଏ ରଘୁ, ତୁ ଶଳା କାଳିଆ କୋଚଟା। ତତେ କାହିଁକି ଭଲା ସେ ବାସି ରେ ପଚାରିବ। ମୁଁ ଭଲ ଷ୍ଟୁଡେଣ୍ଟ୍ ଥିଲି। ତାର ଦୁର୍ବଳତା ହୁଏତ ମୋ ପ୍ରତି ଥାଇପାରେ, ଯଦିଓ ମୁଁ ସିଓର ନୁହେଁ।
— ଯା ଭାଗ୍ ଏଠୁ। ଗେଡୁ, ପେଟୁ। ମେଡ଼ିକାଲ ପଢିଲୁ ବୋଲି କଣ ଜଗତ ଜିତିଲୁ? ମୁଁ ଥିଲି ହାଣ୍ତସମ୍ ହିରୋ। ମୋ ଚେହେରା କେମିତି ଥିଲା ତମେ ସବୁ କଣ ଜାଣିନ? ସେ ମତେ କଣେଇ କଣେଇ ଚାହେଁ, ମୁଁ ଦେଖିଛି।
ସମସ୍ତେ ହସିଲେ। ମନ ଖୋଲା ହସ।  ହେମ କହିଲା ଯେ ଆଜି ସେ କେବଳ ଏଇ ଖବର ଟା ଦବାକୁ ଆସିଥିଲା। ସେ ତରବର ହୋଇ ଫେରିଗଲା। ରାସ୍ତାରେ ଭାବୁଥିଲା ରିଦ୍ଧିମା ରେସ୍ ରେ ସେ ବି ପଛରେ ନ ଥିଲା। ଖାତା ବହିରେ ପୁରୁଣା କ୍ୟାଲେଣ୍ଡର ମଡେଇବା ତାର ସଉକ ଥିଲା। ଆଉ ସେଥିରେ ଯଦି କେଉଁ ସୁନ୍ଦରୀ ଝିଅ ର ଫଟ ଥିଲା ତେବେ ସେ ଆରୋ ଚିହ୍ନ ଦେଇ ଲେଖି ଦଉଥିଲା ‘ରିଦ୍ଧିମା’।
ପ୍ରକୃତରେ କିନ୍ତୁ ରିଦ୍ଧିମା ସୁନ୍ଦରୀ ନଥିଲା। କେବଳ ଆକର୍ଷଣୀୟ ଥିଲା, ତାର ଧଙ୍ଗଢ଼ାଙ୍ଗ ଓ ସ୍ମାର୍ଟନେସ୍ ପାଇଁ। ସେ ରବିବାର ଦିନ ଆସିବ। କାଲି ଛାଡ଼ି ପଅରଦିନ। ପଞ୍ଚସଖା ଉତ୍ସାହିତ ଥିଲେ। କଣ ପିନ୍ଧିବେ, ପିନ୍ଧିବା ଉପଲକ୍ଷେ ମାର୍କେଟିଂ ଦରକାର କି? କେମିତି କଥା ହେବେ ରିଦ୍ଧିମା ସହିତ, ଏତେ ବର୍ଷ ପରେ, ଯିଏ ଦିନେ ସେମାନଙ୍କର ସ୍ବପ୍ନ ଥିଲା? କେମିତି ଦିଶୁଥିବ ସେ, ଚାଳିଶ ବର୍ଷ ପରେ? … ଏହିପରି ଅନେକ ଅସମାହିତ ପ୍ରଶ୍ନ ହାବୁକା ମାରୁଥିଲା ସେମାନଙ୍କ ମନରେ। ଶେଷରେ ସେମାନେ ଠିକ୍ କଲେ ଯେ ସେମାନଙ୍କ ବେଶଭୂଷା ଓ କଥାବାର୍ତ୍ତା ସବୁ କିଛି ଅନ୍ୟ ଦିନମାନଙ୍କ ପରି ସାଧାରଣ ହିଁ ରହିବ।
ରବିବାର ଦିନ ରିଦ୍ଧିମାର ଦେଖା ନଥିଲା। ଅଜୁ, ମଧୁ, ରଘୁ ଓ ସୁର ବାରମ୍ବାର ଗେଟ୍ ଆଡୁ ଦୃଷ୍ଟି ପହଁରେଇ ଆଣୁଥିଲେ। ଅପେକ୍ଷା ର ସମୟ ବିତାଇବା ବଡ କଷ୍ଟ। ହେମ କୁ ଫୋନ୍ କରିବାରୁ ରିଦ୍ଧିମା ତା ପାଖକୁ ଆସିନି ବୋଲି ସେ କହିଲା। ଶେଷରେ ରିଦ୍ଧିମା ପହଞ୍ଚିଲା। ବୟସ୍କା ଦିଶୁଥିଲା। ଅଧା ଚୁଟି ଧଳା ହେଇ ଯାଇଥିଲା।  ତା ସହିତ ନା ଥିଲା ହେମ ନା ଅନ୍ୟ କେହି। ମଧୁ, ଅଜୁ, ସୁର ଓ ରଘୁଙ୍କୁ ନରଭସ୍ ଲାଗୁଥିଲା। ଛାତ୍ର ଜୀବନରେ ସେମାନେ ରିଦ୍ଧିମା ସହିତ କଥା ହେବାପାଇଁ ବଡ଼ ସାହାସ ରେ ଯାଉଥିଲେ। କିନ୍ତୁ ତା ସାମ୍ନାରେ ପାଟି ଆଫୁ ଅାଫୁ ହେଇ ଯାଉଥିଲା। ଆଜିବି ଠିକ୍ ସେଇ ଅବସ୍ଥା। ଜଗୁକୁ ସାଙ୍ଗରେ ଧରି ରିଦ୍ଧିମା ସେଇ ସିମେଣ୍ଟ ବେଞ୍ଚ୍ ପାଖକୁ ଆସିଲା ଯେଉଁଠି ସେମାନେ ତା’ରି ଅପେକ୍ଷା ରେ ବସିଥିଲେ। ସେମାନଙ୍କ ଛାତିରେ ସତେ ଯେପରି ରୋଲର ଚାଲୁଥିଲା। ନିଜକୁ ଆୟତରେ ରଖିବା କଷ୍ଟକର ହେଉଥିଲା ସେମାନଙ୍କ ପାଇଁ। ହାର୍ଟ ଆଟାକ୍ ହୋଇଯିବ କି? ଅଥଚ ଖୁବ୍ ସହଜ ଭାବେ ରିଦ୍ଧିମା କହିଲା,
— ଦୀର୍ଘ ଦିନ ପରେ ତୁମମାନଙ୍କୁ ଦେଖି କଲେଜ ଜୀବନ ମନେ ପଡି ଯାଉଛି। ବରଂ ଏ କଥା କହିଲେ ଠିକ୍ ହେବ ଯେ, ଆଜି ମୁଁ ଆଇ. ଏସ. ସି. ବେଳର ରିଦ୍ଧିମା ପାଲଟି ଯାଇଛି। ସେଇ ସମୟକୁ ତମ ମାନଙ୍କ ସହ ବାନ୍ଧି ରଖିବାକୁ ଚାହୁଁଛି ମୁଁ। ଜୀବନର ଶେଷ ଦିନ ଯାଏ ତୁମମାନଙ୍କ ବନ୍ଧୁତ୍ୱ ର ଆଶା କରି ପାରେ କି?
ଲାଳିତ୍ୟ ଭରି ରହିଥିଲା ରିଦ୍ଧିମା ର କଥାରେ। ଖୁବ୍ ସୁନ୍ଦର ଗୀତ ଗାଉଥିଲା ସେ। ତା ଗୀତର ଦିୱାନା ଥିଲେ ଏମାନେ। କଣ ଉତ୍ତର ଦେବେ? ଭାଷା ନଥିଲା ପାଖରେ। ରିଦ୍ଧିମା କହିଲା,
— ମୁଁ ଏଠାରେ ରହିବାକୁ ଆସିଛି। ଏଇଠି, ମୋ ଘରେ।
” ମୋ ଘର ” ଘରଟିଏ। ସେଇ ଘରେ ପରିବାରଟିଏ ରହେ। ଦୁଃଖସୁଖ, ଭଲମନ୍ଦ, ମତାନ୍ତର ମନାନ୍ତର, ହସଖୁସି ଭିତରେ ସମୟ କେତେବେଳେ ଖସି ପଳାଏ ଜାଣି ହୁଏ ନାହିଁ ଏଠି। ବୈଶାଖ, ବର୍ଷା, ବସନ୍ତ ସବୁ ସେମାନେ ଉପଭୋଗ କରନ୍ତି ଏକାଠି। ସମସ୍ତେ ବୟସ୍କ। ଷାଠିଏ ଉପରେ। କିଏ କେବେ ତା ଘରୁ ରାଗି ଚାଲି ଆସିଥିଲା, ଏ ଘରେ ଭୁଲି ଯାଇଛି ତା ରାଗର କାରଣ। କିଏ ତା ଘରୁ ତଡ଼ା ଖାଇ ଆସିଥିଲା, ଏଠି ଭୁଲି ଯାଇଛି କିଏ କାହିଁକି ତାକୁ ତଡିଥିଲା। କିଏ ତାର କେହି ନିଜର ନାହିଁ ବୋଲି ଆସିଥିଲା, ନିଜର କରି ସେ ଏଠି ଅନେକଙ୍କୁ ଆପଣେଇ ନେଇଛି। କିଏ ନିଜ ନିଷ୍ପତ୍ତିରେ ଏଠାକୁ ଆସିଥିଲା, ଆଜି ଠିକ୍ ନିଷ୍ପତି ନେଇଥିବାରୁ ନିଶ୍ଚିନ୍ତ ହୋଇଛି।
ରଘୁର କାହାଣୀ ଏହିଭଳି କିଛି ଥିଲା। ତା ଝିଅ ବାହା ହେଇଗଲା। ଥିଲା ବାଲା ଘର। ଜ୍ବାଇଁଙ୍କ ରୋଜଗାର ଯଥେଷ୍ଟ ଅଧିକ। ରଘୁ ର ସାହାଯ୍ୟ ତାଙ୍କର ଦରକାର ନଥିଲା। ସ୍ତ୍ରୀ ମରିଯିବା ପରେ ଏକା ହେଇଗଲା ସେ। ସହରରେ ଥିବା ପୈତୃକ ଘର ଟି ଖାଁ ଖାଁ ଲାଗିଲା। ପାଞ୍ଚ ବନ୍ଧୁ ବିଚାର କଲେ ଓ ପ୍ରଥମେ ସେମାନେ ସେଇଠି ” ମୋ ଘର” ର ଶୁଭାରମ୍ଭ କଲେ। ଅଜୁ ଓ ତା ସ୍ତ୍ରୀ ସହର ଠୁ ଅନତି ଦୂରରେ ବଡ଼ ଜାଗା ଖଣ୍ଡେ କିଣିଥିଲେ ନର୍ସିଂହୋମ୍ – କମ୍ – ଘର କରିବେ ବୋଲି। ପୁଅ ଡାକ୍ତରୀ ନପଢି ଇଞ୍ଜିନିୟରିଙ୍ଗ୍ ଓ ଏମ. ବି. ଏ. ପଢିଲା। ଆମେରିକା ଚାଲିଗଲା। ସ୍ତ୍ରୀ ଆରପାରିକୁ। ଡାକ୍ତରୀ ପେଷା ରୁ ବେଶ୍ ରୋଜଗାର କରିଥିଲା ଅଜୁ। ପୁଅ ବି କିଛି କିଛି ଟଙ୍କା ପଠାଉଥିଲା। କିଣିଥିବା ଜାଗାରେ ଆଜିର “ମୋ ଘର” ତିଆରି ଆରମ୍ଭ ହେଲା। ବେଶ୍ କିଛି ସାହାଯ୍ୟ କରିଥିଲା ହେମ ପଇଁଆ। ସୁର ସବୁବେଳେ ଅଭିଶାପ ଦେଉଥିଲା ସେଇ ଜ୍ୟୋତିଷ କୁ ଯିଏ ତାର ଓ ତା ସ୍ତ୍ରୀ ର ଜାତକ ମେଳ କରି କହିଥିଲା ରାଜଯୋଟକ। ଚାକିରୀ କାଳରେ କଲେଜ ଓ ଟିଉସନ ପାଇଁ ସମୟ କଟିଗଲା। କିନ୍ତୁ ଅବସର ପରେ ଜୀବନ ଦୁର୍ବିସହ ମନେହେଲା। ପିଲା ଦିଇଟା ବି ମା ପଟେ ଥିଲେ। ପଞ୍ଚସଖା ଖଟି ଟା ହିଁ ଏକମାତ୍ର ଆନନ୍ଦ ର ଉତ୍ସ ଥିଲା। ଆଇଡିଆ ସେଇଠି ମିଳିଥିଲା। ସ୍ତ୍ରୀ ଓ ପିଲାଙ୍କୁ ସେ ତାର ନିଷ୍ପତି ଜଣେଇ ଦେଲା। ପ୍ରତି ମାସରେ ପେନସନ ର ଅଧା ବି ସ୍ତ୍ରୀ ପାଖକୁ ପଠେଇବାର ବ୍ୟବସ୍ଥା କରିଦେଲା। ବାକି ଅଧା ” ମୋ ଘର” ପାଇଁ ବାନ୍ଧି ଦେଲା। ମଧୁ ସ୍ତ୍ରୀ ର ମେଣ୍ଟାଲ୍ ଡିଜର୍ଡର ବାହାରିବା ପରେ ଏକୁଟିଆ ତାକୁ ସମ୍ଭାଳିବା ମଧୁ ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ତାକୁ ଗୋଟିଏ ମେଣ୍ଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରି ଦେଲା ଓ ” ମୋ ଘର” ର ବାସିନ୍ଦା ହେଇଗଲା। କିଛିଦିନ ତଳେ ସ୍ତ୍ରୀ ର ଅବସ୍ଥା ଟିକିଏ ଭଲ ହେବାରୁ ତାକୁ ” ମୋ ଘର” କୁ ନେଇ ଆସିଛି। ତା ଅର୍ଜନ ର ମୁଖ୍ୟ ଭାଗ ଝିଅ ପାଇଁ ଗଲା। ବାକି ଯାହା ସ୍ତ୍ରୀ ର ଟ୍ରିଟମେଣ୍ଟ୍ ରେ ଗଲା। ଏବେ ଯାହା ତାକୁ ମିଳୁଛି ସବୁ ସେ ” ମୋ ଘର” କୁ ଦିଏ। “ମୋ ଘର” ର ଆକାଉଣ୍ଟ୍ ସମ୍ଭାଳେ। ଆଉ ହେମ ର ଗୋଟିଏ ଚେକ୍ ପ୍ରତି ମାସରେ ” ମୋ ଘର” ନାଁ ରେ ଆସେ। ନୂଆ ଜାଗାରେ “ମୋ ଘର” ତିଆରି ହେଲା ପରେ ଏବେ ସମସ୍ତେ ସେଇଠି ରହୁଛନ୍ତି। ଏମାନଙ୍କ ସହିତ ଆହୁରି ଅନେକ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଆନନ୍ଦରେ ଅଛନ୍ତି।
ଆଉ ଆଜି ଆସି ପହଞ୍ଚିଛି ରିଦ୍ଧିମା।  ତା ପଛରେ କଣ ଘଟଣା ବା ଦୁର୍ଘଟଣା ଜାଣିବାକୁ ଉତ୍ସୁକ ଥିଲେ ସମସ୍ତେ। ସେମାନେ ଭାବିଥିଲେ ସେ ସେମାନଙ୍କୁ ଦେଖା କରିବାକୁ ଆସିଛି। ହେଲେ ସେ ଯେ ରହିବାକୁ ଆସିଛି, ମୋ ଘରେ! ତେଣୁ ବ୍ୟସ୍ତ ହେବାର ନଥିଲା। କହିବା ଓ ଶୁଣିବା ଚାଲୁ ରହିବ। ସେମାନେ ଦେଖିଲେ, ଦୂରରୁ ହେମ ତାର ସବୁ ଯୋର୍ ଖଟେଇ ଧପାଲୁଥିଲା ତାଙ୍କ ଆଡ଼କୁ। ବିଶାଳ ବପୁ କୁ ବୋହି, ହାତ ଦିଇଟା କୁ ପିଠି ପଟେ ଛନ୍ଦି ବିଚରା ଧଇଁସଇଁ ହୋଇ ଯାଉଥିଲା। ଟିକିଏ ପାଖ ହେବାରୁ ମଧୁ ପାଟି କଲା,
— ଧୀରେ ଆ ରେ ମିତ, ପଡ଼ିପାଡି ଯିବୁ। ଏମିତିଆ ହାତୀ ମାର୍କା ସାଙ୍ଗ ଆମେ ଆଉ କୋଉଠୁ ପାଇବୁ?
ମଧୁ କଥାରେ ସମସ୍ତେ ହସିଲେ। ମଜା କରିବା ତାର ସ୍ଵଭାବ।
— ତମମାନଙ୍କ ସହ ମୋର କ୍ୱାଲିଟି ଟାଇମ୍ ରୁ ମୁହୂର୍ତ୍ତେ ନଷ୍ଟ କରିବାକୁ ମୁଁ ଚାହେଁନି। ସେଥିପାଇଁ ଶୀଘ୍ର ଶୀଘ୍ର ଚାଲୁଛି। ବାହେଗୁରୁ ଅଛନ୍ତି। ମୋର କିଛି ହବନି।
ପାଖରେ ପହଞ୍ଚି କହିଲା,
— ୱେଲକମ୍ ରିଦ୍ଧିମା। ମୁଁ ଜାଣେ ଏମାନେ ତମକୁ ‘ ହେଲୋ ‘ କହିନଥିବେ। ପିଣ୍ଡା ଓଲୁ ଯାକ ପରା।
ହାତ ଦିଇଟା କୁ ସେ ଆଗକୁ ଆଣିଲା। ଫୁଲ ତୋଡ଼ା ଟା ବଢେଇ ଦେଲା ରିଦ୍ଧିମାକୁ। ” ମୋ ଘର” କୁ ତମକୁ ସ୍ଵାଗତ।
— ମୁଁ ତମମାନଙ୍କ ବନ୍ଧୁ। ମତେ ‘ ତୁ ‘ କୁହ।
— ନୂଆ ବନ୍ଧୁଟି ପାଇଁ ଆମକୁ ଦୁଇଟା ପରିବର୍ତ୍ତନ କରିବାକୁ ହେବ। ଗୋଟିଏ ହେଲା ଆଖଡ଼ା ର ସ୍ଥାନ ଓ ଆରଟି ହେଲା ଗ୍ରୁପ୍ ର ନାମ, କହିଲା ହେମ।
ସମର୍ଥନ କଲା ଅଜୁ,
— ହଁ, ଏଇ ବେଞ୍ଚ ରେ ଆଉ ଜାଗା ନାହିଁ। ଆମକୁ ବଡ଼ ବେଞ୍ଚ ଟିଏ ଦରକାର।
— ସେଇ ପଣସ ଗଛ ପାଖରେ ନୂଆ ସିମେଣ୍ଟ ବେଞ୍ଚଟିଏ କଲେ ଠିକ୍ ହେବ, ପ୍ରସ୍ତାବ ଦେଲା ରଘୁ।
ସୁର ପଚାରିଲା,
— ଆମ ଗ୍ରୁପ୍ ର ନୂଆ ନାଁ କଣ ହେବ? ପଞ୍ଚସଖା ଥିଲା ଆମେ ପାଞ୍ଚଜଣ ବୋଲି।
ହେମ ରିଦ୍ଧିମାକୁ କହିଲା,
— ଶୁଣିଛି, ତୁ ଜଣେ ରାଇଟର୍। ବେପାର କାମରେ ବ୍ୟସ୍ତ ରହି ପଢିବାକୁ ସୁଯୋଗ ପାଇନି। ତୁ ଗୋଟେ ନାଁ ଦେ ଗ୍ରୁପ୍ ର। କିନ୍ତୁ ଆମେ ବର୍ତ୍ତମାନ ପାଞ୍ଚ ନୁହେଁ ସାତ।
— ସାତ କେଉଁଠି? ଆମେ ତ ଛ। ଏକ ସ୍ଵରରେ କହିଲେ ଅନ୍ୟମାନେ।
— ଅଜୁ ର ସ୍ତ୍ରୀ କୁ ଭୁଲି ଯାଉଛ କି? ତାକୁ ମେନ୍ ଷ୍ଟ୍ରିମ୍ କୁ ଆଣିବାକୁ ରିଦ୍ଧିମା ଆମକୁ ସାହାଯ୍ୟ କରିବ। ରିଦ୍ଧିମା ଜଣେ ସାଇକୋଲୋଜିଷ୍ଟ୍ ଯେ।
ଅଜୁ ଆଖି ଛଳ ଛଳ ହେଇଗଲା। ଥରିଲା କଣ୍ଠରେ ସେ କହିଲା,
— କୋଉଠି ପାଇଥାନ୍ତି ଏତେ ଶ୍ରଦ୍ଧା? କୋଉଠୁ ମିଳିଥାନ୍ତା ମତେ ଏତେ ସାହାଯ୍ୟ ଓ ସୌହାର୍ଦ୍ଦ୍ୟ? କିଏ ମତେ ବାନ୍ଧି ଥାଆନ୍ତା ନିଃସ୍ଵାର୍ଥ ବନ୍ଧୁତ୍ୱ ର ରଜ୍ଜୁରେ?
ଭାବପ୍ରବଣତା ର ଢେଉ ଟିଏ ଖେଳିଗଲା ସେଇ ମୁହୂର୍ତ୍ତରେ, ସେମାନଙ୍କ ଭିତରେ। ରିଦ୍ଧିମା କହିଲା,
— ଆମ ଗ୍ରୁପ୍ ର ନାଁ ଏଣିକି ହେବ “ସପ୍ତର୍ଷି ମଣ୍ଡଳ”। ଭଲ ଲାଗୁଛି କି ନା?
“ଚମତ୍କାର, ଖୁବ୍ ସୁନ୍ଦର ଓ ଯଥାର୍ଥ”, କହିଲେ ସମସ୍ତେ।
ସୁର କହିଲା,
— ଆଜିକାଲି ଅନେକ ଗଳ୍ପ ଆସୁଛି ସୋସିଆଲ ମିଡିଆରେ। ଓଲ୍ଡ ଏଜ୍ ହୋମ୍ କୁ ନେଇ। ସବୁ ପ୍ରାୟ ନକାରାତ୍ମକ। ସତେ ଯେପରି ତାହା ଗୋଟିଏ ଦଣ୍ଡ ବିଧାନ ର ସ୍ଥାନ। ପାପୀ ମାନଙ୍କ ପାଇଁ ଉଦ୍ଦିଷ୍ଟ। ସେଠି କେବଳ ଦୁଃଖ ହିଁ ଦୁଃଖ ପସରା ମେଲାଇ ବସିଥାଏ। ରିଦ୍ଧିମା, ୟା ଉପରେ କିଛି ଲେଖନ୍ତୁନି? ଲୋକଙ୍କ ମନରୁ ଯେପରି ଲିଭି ଯାଆନ୍ତା ଓଲ୍ଡ ଏଜ୍ ହୋମ୍ ର ଅପବାଦ। ଯେଉଁ ପରିବେଶରେ ତମେ ନିଜକୁ ସାମିଲ କରି ପାରୁନ ସେଠାରେ ରହି ଅକଥ୍ୟ କଷ୍ଟ ପାଇବା ଠିକ୍ ନୁହେଁ। ବରଂ ତମକୁ ସୁହାଇଲା ଭଳି ପରିବେଶକୁ ସାଉଁଟି ନେବା କଥା, ଏଇତକ ବୁଝେଇ ଦିଅନ୍ତୁ।
ହସିଲେ ସମସ୍ତେ। ସମ୍ମତି ର ହସ। ବେଶ୍ ଡେରି ହେଇ ଯାଇଥିଲା। ହେମ ଫେରିଗଲା ପୁଣି ଆସିବାର ବିଶ୍ଵାସ ଦେଇ। ଚା ପିଇବା ପାଇଁ ସମସ୍ତେ ବାରଣ୍ଡା ଆଡ଼କୁ ଚାଲିଲେ। ଅସରନ୍ତି ଗପ ପେଡ଼ିରେ ତାଙ୍କର ଆହୁରି ଅନେକ ଗପ ଖୁନ୍ଦି ହୋଇ ରହିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking