ନୂଆଦିଲ୍ଲୀ: ମହଙ୍ଗା ମାଡ ସମୟରେ ସାଧାରଣ ଲୋକଙ୍କୁ କିଛି ଆଶ୍ୱସ୍ତି ମିଳୁଥିବା ନଜର ଆସିଛି । ପ୍ରଥମେ ପେଟ୍ରୋଲ ଓ ଡିଜେଲ ଶସ୍ତା ହେବା ପରେ ବର୍ତ୍ତମାନ ଖାଇବା ତେଲକୁ ଶସ୍ତା କରିଛନ୍ତି କେନ୍ଦ୍ର ସରକାର । ଦୁଇ ଦିନ ପୂର୍ବରୁ ସରକାରଙ୍କ ତରଫରୁ ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ଏବେ ଆଉ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳିଛି । ଏବେ ସୋରିଷ ତେଲ ଦର ହ୍ରାସ ହୋଇଛି । ଇଣ୍ଡୋନେସିଆ ପୁନର୍ବାର ରପ୍ତାନି ଆରମ୍ଭ କରିବା ପରେ ତେଲ ମୂଲ୍ୟ ହ୍ରାସ ଘଟିଛି । ବୈଦେଶିକ ବଜାରରେ ଖାଇବା ତେଲ ଦର ବୃଦ୍ଧି ମଧ୍ୟରେ ଇଣ୍ଡୋନେସିଆ ତରଫରୁ ରପ୍ତାନି ଆରମ୍ଭ କରାଯିବା ସହିତ ଏହା ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି ।
ଗତ ସପ୍ତାହରେ ଅଧିକାଂଶ ତୈଳବିଜ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା । ଏହା ପ୍ରଭାବରେ ସୋରିଷ ତେଲ ମୂଲ୍ୟ ୪୦ଟଙ୍କା ଯାଏଁ ଶସ୍ତା ହୋଇଛି। ଏହା ଖାଇବା ତେଲ ଦରରେ ବଡ ହ୍ରାସ ବୋଲି ବିବେଚନା କରାଯାଉଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସୋରିଷ ତେଲ ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୭,୫୧୫-୭,୫୬୫ ଟଙ୍କା ପ୍ରତି କ୍ୱିଣ୍ଟାଲରେ ପହଞ୍ଚିଯାଇଛି । ଏହାଦ୍ୱାରା ସୋରିଷ ଦାଦରୀ ତେଲ ୨୫୦ ଟଙ୍କା ହ୍ରାସ ପାଇ ୧୫,୦୫୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ବନ୍ଦ ହୋଇଥିଲା । ବୈଦେଶିକ ବଜାରରେ ବୃଦ୍ଧି ସତ୍ତ୍ୱେ ସୋୟାବିନ ଦାନା ଏବଂ ସୋୟାବିନ ଲୁଜ୍ର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଏହା ୭,୦୨୫-୭,୧୨୫ ଟଙ୍କା (ସୋୟାବିନ ଦାନା) ଏବଂ ୬,୭୨୫-୬,୮୨୫ ଟଙ୍କା ପ୍ରତି କ୍ୱିଣ୍ଟାଲ (ସୋୟାବିନ ଲୁଜ୍)ରହିଛି। ବାଦାମ ରିଫାଇନ୍ ଦାମ୍ ମଧ୍ୟ ୨୫ ଟଙ୍କା ହ୍ରାସ ପାଇ ୨,୬୨୫-୨,୮୧୫ ଟଙ୍କା ରହିଥିବା ଜଣାପଡିଛି ।