ନୂଆଦିଲ୍ଲୀ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ସୋମବାର ଜଣେ ନାବାଳକ ସମେତ ମୋଟ ୨ ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରିଛି । ଏମାନେ ହେଲେ ନାବାଳକ ଅଙ୍କିତ ସିର୍ସା ଓ ସଚିନ ଭିର୍ମାନି । ଚଳିତବର୍ଷ ମେ’ ୨୯ରେ ପଞ୍ଜାବର ମନ୍ସା ଜିଲ୍ଲାରେ ମୁସେୱାଲାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ହାତ ରହିଥିବାବେଳେ ପୁଲିସ ପୂର୍ବରୁ ଗ୍ୟାଙ୍ଗ୍ର ଏକାଧିକ ସଦସ୍ୟଙ୍କୁ ଗିରଫ କରିସାରିଛି । ତେବେ ଦିଲ୍ଲୀର କଶ୍ମିରୀ ଗେଟ୍ ବସ୍ ଟର୍ମିନାଲରୁ ଗିରଫ ହୋଇଥିବା ୧୮ ବର୍ଷୀୟ ଅଙ୍କିତ ହେଉଛି ଲରେନ୍ସ ଗ୍ୟାଙ୍ଗ୍ର ସାର୍ପ ସୁଟର । ଘଟଣାଦିନ ସେ ପଏଣ୍ଟ ବ୍ଲାଙ୍କ୍ ରେଞ୍ଜରୁ ମୁସେୱାଲାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲା । ସଚିନ ମଧ୍ୟ ସେଦିନ ଘଟଣାସ୍ଥଳରେ ହତ୍ୟାକାରୀଙ୍କ ଗହଣରେ ଉପସ୍ଥିତ ଥିବା ପ୍ରମାଣ ମିଳିଛି । ପୂର୍ବରୁ ଏହି ମାମଲାରେ ଲରେନ୍ସ ବିଷ୍ଣୋଇ ସମେତ ପ୍ରିୟବ୍ରତ, କଶିସ୍ ଓ କେଶବକୁ ପୁଲିସ ଗିରଫ କରିସାରିଛି । ଅଙ୍କିତ ଓ ସଚିନ ନିକଟରୁ ୧୦ଟି ଗୁଳି ସହ ୯ ଏମଏମ ପିସ୍ତଲ, ୯ଟି ଗୁଳି ସହ .୩୦ ଏମଏମ ପିସ୍ତଲ, ପଞ୍ଜାବ ପୁଲିସର ୩ଟି ୟୁନିଫର୍ମ, ୨ଟି ମୋବାଇଲ, ଗୋଟିଏ ଡଙ୍ଗଲ ଓ ସିମ୍ କାର୍ଡ ଜବତ କରାଯାଇଛି । ଅଙ୍କିତ ଓ ସଚିନକୁ ୫ ଦିନିଆ ପୁଲିସ ହାଜତକୁ ପଠାଯାଇଛି ।