32.1 C
Bhubaneswar
Thursday, March 28, 2024
Homeଅପରାଧନବବଧୂକୁ ମାରି ପୋଡି ଦେଲେ

ନବବଧୂକୁ ମାରି ପୋଡି ଦେଲେ

ବାରଙ୍ଗ: ପ୍ରେମ ବିବାହର କରୁଣ ପରିଣତି । ମନରେ ଅସୁମାରି ଆଶା,ସ୍ୱପ୍ନ ଦେଖି ପ୍ରେମ ବିବାହ କରିଥିଲେ । ହେଲେ ଆଶା ଆଶାରେ ରହିଗଲା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମରେ । ମୃତ ଯୁବତୀଙ୍କ ନାମ ରୁବି ପରିଡା । ତାଙ୍କ ଘର ନିଆଳି ଥାନା ବିଳାଶୁଣି ର ତରଗଡ ଗାଁରେ । ନାନା ସ୍ବପ୍ନ ଦେଖାଇ ଯୁବତୀଙ୍କୁ ତାଙ୍କ ପରିବାରର ଅଗୋଚରରେ ପ୍ରେମ ବିବାହ କରି ଘରକୁ ନେଇ ଆସିଲେ। ହେଲେ ବିବାହକୁ ମାସ ୯ଟା ନପୂରୁଣୁ ଏମିତି କ’ଣ ଘଟିଗଲା ଯେ ପରିବାର ଲୋକଙ୍କ ସହ ମିଶି ଶ୍ବାସରୁଦ୍ଧ କରି ହତ୍ୟା କଲେ। ଖାଲି ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ଯୁବତୀଙ୍କ ଶବକୁ ବି ତରବରିଆ ଭାବେ ପୋଡ଼ି ଦେଲେ।
ସୂଚନା ଅନୁସାରେ, ମହିଳାଙ୍କ ସ୍ବାମୀ ଦୀପକ ଭୋଇ , ଶାଶୂ ଓ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ତେବେ ଗିରଫଦାରି ଭୟରେ ଶ୍ବଶୁର କେଉଁ ଆଡ଼େ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଅପରପକ୍ଷେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ମୃତ ରୁବିଙ୍କୁ ପୋଡ଼ା ଯାଇଥିବା ସ୍ଥାନରୁ ତାଙ୍କ ଅସ୍ଥି ଓ ଶରୀରର ଅବଶେଷ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ଘଟଣାକୁ ଗୁରୁତ୍ବର ସହ ନେଇ ଏସିପି ତରୁଣ କୁମାର ଦାସ ଓ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ବାଳ ତଦନ୍ତ ଜାରି ରଖିଛନ୍ତି।
ଅଟକ ୩ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ଦୀପକ ୯ ମାସ ତଳେ ରୁବିଙ୍କୁ ପ୍ରେମ ବିବାହ କରି ଘରକୁ ନେଇ ଆସିଥିଲା। ଗତକାଲି ବିଳମ୍ବିତ ରାତିରେ ସ୍ବାମୀ, ଶାଶୂ, ଶ୍ବଶୁର ଓ ନଣନ୍ଦ ମିଶି ତାଙ୍କ ମୁହଁ ଉପରେ ତକିଆ ପକାଇ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ହତ୍ୟାର ପ୍ରମାଣ ନଷ୍ଟ କରିବା ପାଇଁ ସେ ରୁବିଙ୍କ ଶବକୁ ନିକଟସ୍ଥ ମଶାଣିରେ ପୋଡ଼ି ଦେଇଥିଲେ। ତେବେ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ତତ୍ପରତା ପ୍ରକାଶ କରିଥିଲା। ବାରଙ୍ଗ ଥାନା ଅଧିକାରୀ ସଦଳବଳ ମହିଳାଙ୍କ ଶ୍ବଶୁର ଘର ଉପରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣିଥିଲେ। ତେବେ କେଉଁ କାରଣରୁ ସେମାନେ ରୁବିଙ୍କୁ ମିଳିମିଶି ହତ୍ୟା କଲେ; ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ବେଶି କିଛି ଜଣାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking