ମା’, ଝିଅ ସନ୍ଦେହ ଜନକ ମାମଲାର ନୂଆ ମୋଡ଼: ଘର ଆଗରେ ପଚା ଶବ ରଖି ଗ୍ରାମବାସୀ କଲେ ଗିରଫ ଦାବି

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମାଣପଡ଼ା ଗ୍ରାମରେ ଘଟିଥିବା ମା’ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାଆଜି ନୂଆ ମୋଡ଼ ନେଇଛି । ଶବ ବ୍ୟବଚ୍ଛେଦ ପରେ ରାଜନଗର ଥାନା ପୁଲିସ ଆଜି ମା’ ଓ ଝିଅଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । କିନ୍ତୁ ଗ୍ରାମବାସୀ ଶବ ସତ୍କାର ନକରି ପଚା ସଢା ଶବକୁ ମଙ୍ଗଳ ବାର ଗ୍ରାମବାସୀମାନେ ମା’ , ଝିଅଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଥିବା ଲୋକଙ୍କ ଘର ଆଗରେ ରଖି ପ୍ରତିବାଦ କରିବା ସହ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ପଂଚାୟତର ମାଣପଡ଼ା ଗ୍ରାମରେ ମା’ ପ୍ରମିଳା ନାଥ ଓ ତାଙ୍କ ଝିଅ ସତ୍ୟପ୍ରିୟା(୨୨)ଙ୍କର ଗତ ୪ ଦିନ ପୂର୍ବେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ପ୍ରଥମେ ସତ୍ୟପ୍ରିୟାଙ୍କ ମୃତ ଶରୀର ସତ୍ୟପ୍ରିୟାଙ୍କ ମାମୁଁ ଘର ସେହି ମାଣପପଡ଼ା ଗ୍ରାମର ଅଜାମ୍ବର ବେହେରାଙ୍କ ବାଡ଼ିରେ ଥିବା ପୋଖରୀରୁ ମିଳିଥିଲା ଓ ପରେ ତାଙ୍କ ମା’ଙ୍କ ମୃତ ଶରୀର ନିକଟସ୍ଥ ହଂସୁଆ ନଦୀରୁ ଉଦ୍ଧାର ହୋଇଥିଲା । ତେବେ ମା’ ପ୍ରମିଳା ନାଥଙ୍କୁ ସତ୍ୟପ୍ରିୟାଙ୍କ ମାମୁଁ ଅଜାମ୍ବର ବେହେରା ଓ ତାଙ୍କ ପୁଅ ସଞ୍ଜୟ ବେହେରା ହତ୍ୟା କରିବା ପରେ ହଂସୁଆ ନଦୀରେ ଫିଙ୍ଗି ଦେଇଥିବା ଏବଂ ସେହି ବାପ ଓ ପୁଅ ସତ୍ୟପ୍ରିୟାଙ୍କୁ ମାରି ନିଜ ବାଡ଼ି ପୋଖରୀରେ ଲୁଚାଇ ରଖିଥିବା ସନ୍ଦେହ କରୁଛନ୍ତି । ପୁଲିସ ଶବ ୨ଟିକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଆଳି ଡାକ୍ତରଖାନାକୁ ପଠାଇଥିଲା ଓ ଶବ ୨ଟି ମଙ୍ଗଳବାର ଗ୍ରାମରେ ପହଂଚିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଝିଅ ସତ୍ୟପ୍ରିୟାଙ୍କ ଶବକୁ ଗ୍ରାମବାସୀମାନେ ଅଜାମ୍ବର ବେହେରାଙ୍କ ଘର ଆଗରେ ରଖିଥିବା ବେଳେ ଆମ୍ବୁଲାନ୍ସରେ ଥିବା ମା’ ପ୍ରମିଳାଙ୍କ ଶବକୁ ଅଜାମ୍ବରଙ୍କ ଘର ଆଗରେ ଦାଣ୍ଡରେ ରଖିଛନ୍ତି । ହତ୍ୟାକାରୀଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଶବ ଉଠିବାକୁ ଦିଆଯିବନି ବୋଲି ଗ୍ରାମବାସୀମାନେ ଅଡ଼ିବସିଛନ୍ତି । ପଚା ଶବ ୨ଟିର ଦୁର୍ଗନ୍ଧରେ ଗାଁ ଫାଟି ପଡ଼ୁଛି । ମା’ ଝିଅଙ୍କୁ ହତ୍ୟା କରିଥିବା ନେଇ ଗ୍ରାମବାସୀମାନେ ସନ୍ଦେହ କରୁଥିବା ଅଜାମ୍ବର ଓ ସଞ୍ଜୟଙ୍କ ଗିରଫ ଦାବି କରି ଗ୍ରାମବାସୀମାନେ ସୋମବାର ରାଜନଗର ଥାନା ଆଗରେ ଧାରଣା ଦେଇଥିଲେ । ଅପରପକ୍ଷରେ ଗାଁ ଲୋକଙ୍କ ସନ୍ଦେହ ଘେରରେ ଥିବା ଅଜାମ୍ବରଙ୍କ ପରିବାର ଲୋକେ ଘରେ ତାଲା ପକାଇ କେଉଁଆଡ଼େ ପଳାଇଯାଇଥିବା ବେଳେ ପୁଲିସ ସଞ୍ଜୟ ବେହେରାଙ୍କୁ ୨ ଦିନ ହେଲା ଥାନାରେ ଅଟକ ରଖିଛି । ପ୍ରକାଶ ଯୋଗ୍ୟ ଯେ, ପ୍ରମିଳା ନାଥ ଓ ତାଙ୍କ ଝିଅ ସତ୍ୟପ୍ରିୟାଙ୍କୁ ଅଜାମ୍ବର ଓ ତାଙ୍କ ପୁଅ ସଞ୍ଜୟ ହତ୍ୟା କରି ନଦୀ ଓ ପୋଖରୀରେ ଫୋପାଡ଼ି ଦେଇଥିବା ନେଇ ପ୍ରମିଳାଙ୍କ ସ୍ୱାମୀ ପତିତପାବନ ନାଥ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ଓ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ରିପୋର୍ଟ ଅନୁସାରେ ମାମଲାର ଦଫା ପରିବର୍ତନ ହେବ ଓ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here