31.1 C
Bhubaneswar
Tuesday, June 28, 2022
Homeଅପରାଧବାଉଁଶରେ ପିଟି ପିଟି ହତ୍ୟା

ବାଉଁଶରେ ପିଟି ପିଟି ହତ୍ୟା

ଭୁବନେଶ୍ୱର: ସହିଦନଗର ଥାନା ଅନ୍ତର୍ଗତ ପାଣ୍ଡରା ସତ୍ୟବିହାର ଅଞ୍ଚଳରେ ଥିବା ‘କୃପା ଫାଉଣ୍ଡେସନ’ ନିଶାମୁକ୍ତି କେନ୍ଦ୍ରରେ ତ୍ରିନାଥ ସେଠୀ ନାମକ ଜଣେ ଯୁବକଙ୍କୁ ବାଉଁଶରେ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ସହିଦନଗର ଥାନା ପୋଲିସ କୃପା ଫାଉଣ୍ଡେସନର ମାଲିକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର କିର୍ତ୍ତୀ ତ୍ରିପାଠୀ(୩୦) । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ଅଲଣାହାଟ ଅଞ୍ଚଳର ବାବାଜୀ ଚରଣ ସେଠୀଙ୍କ ପୁଅ ତ୍ରିନାଥ ସେଠୀ ସବୁବେଳେ ନିଶାସେବନ କରୁଥିଲେ ।

ପୁଅକୁ ନିଶା ଠାରୁ ଦୂରେଇବା ପାଇଁ ନିଶା ମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ନିଷ୍ପତି ନେଇଥିଲେ । ଘରପାଖରେ ନିଶାମୁକ୍ତି କେନ୍ଦ୍ର ନଥିବାରୁ ଜଣେ ସମ୍ପର୍କୀୟଙ୍କ ଠାରୁ ବୁଝାବୁଝି କରି ରାଜଧାନୀରେ ଥିବା ‘କୃପା ଫାଉଣ୍ଡେସନ’ରେ ଭର୍ତ୍ତି କରିଥିଲେ । ପ୍ରତ୍ୟେକ ମାସରେ ୮ରୁ ୧୦ହଜାର ଟଙ୍କା ବୁଢ଼ାବାପା ପଠାଉଥିଲେ । ଏହାସହ ମଝିରେ ମଝିରେ ପୁଅକୁ ଆସି ସାକ୍ଷାତ କରୁଥିଲେ । ଅଗଷ୍ଟ ୫ତାରିଖ ସନ୍ଧ୍ୟାରେ ନିଶାମୁକ୍ତି କେନ୍ଦ୍ରରୁ ୫ଜଣ ଅନ୍ତେବାସୀ ଖସି ପଳାଇଥିଲେ । ସେମାନଙ୍କ ମଧ୍ୟରୁ ତ୍ରିନାଥଙ୍କ ସମେତ ୩ଜଣଙ୍କୁ ନିଶାମୁକ୍ତି କେନ୍ଦ୍ରର କର୍ମଚାରୀମାନେ ଧରିଥିଲେ । ଏହାପରେ ତ୍ରିନାଥଙ୍କୁ ଉକ୍ତ କେନ୍ଦ୍ରର ମାଲିକ କିର୍ତ୍ତୀ ତ୍ରିପାଠୀ ଏବଂ କର୍ମଚାରୀମାନେ ବାଉଁଶରେ ନିସ୍ତୁକ ମାଡ଼ ମାରିଥିଲେ । ଯାହା ଫଳରେ ତ୍ରିନାଥ ଘଟଣାସ୍ଥଳରେ ଗୁରୁତର ହୋଇ ଅଚେତ୍ ହୋଇପଡ଼ିଥିଲେ । ଏହାପରେ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ପରେ ତ୍ରିନାଥଙ୍କ ବାପା ପୁଲିସ ନିକଟରେ ଅଭିଯୋଗ କରିବାରୁ, ନିଶାମୁକ୍ତି କେନ୍ଦ୍ରର ଛାତ ଉପରୁ ପଡି ତ୍ରିନାଥଙ୍କ ମୃତ୍ୟ ହୋଇଥିବା କୃପା ଫାଉଣ୍ଡେସନର ମୁଖ୍ୟ କିର୍ତ୍ତୀ ପୁଲିସକୁ କହିଥିଲେ । ତେଣୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିଛିଦିନ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା । ଏଥିରେ ତ୍ରିନାଥଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସମେତ ପିଟିପିଟି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ତେଣୁ ଅଗଷ୍ଟ ୨୪ ତାରିଖରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହତ୍ୟା ମାମଲା ରୁଜୁ ହୋଇଥିବା ଖବରପାଇ ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କ ସମେତ ଅନ୍ୟ ସହଯୋଗୀମାନେ ଫେରାର୍ ହୋଇଯାଇଥିଲେ । ପୁଲିସ କିର୍ତ୍ତୀଙ୍କୁ ଧରିବା ପାଇଁ ତାଙ୍କ ଗାଁକୁ ଯାଇଥିଲେ । ସେଠାରୁ ତାଙ୍କୁ ପୁଲିସ ପାଇନଥିଲା । ହଠାତ୍ ରବିବାର ସକାଳେ କିର୍ତ୍ତୀ ପିପିଲି ଅଞ୍ଚଳରେ ଲୁଚିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏନେଇ ସହିଦନଗର ଥାନା ପୁଲିସର ଏକ ଟିମ୍ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ । ଥାନାରେ ଜେରା କରିବାରୁ କିର୍ତ୍ତୀ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking