ମଲ୍ଟିଡାଇମେନ୍ସିଆଲ୍ ପଭର୍ଟି ଇଣ୍ଡେକ୍ସ : ବିହାରରେ ୫୨% ଲୋକ ଗରିବ, କେରଳରେ ଅଛନ୍ତି ଅଧିକ ଧନୀ

ନୂଆଦିଲ୍ଲୀ: ନିତି ଆୟୋଗ ଦେଶର ପ୍ରଥମ ମଲ୍ଟିଡାଇମେନ୍ସିଆଲ୍ ପଭର୍ଟି ଇଣ୍ଡେକ୍ସ ଜାରି କରିଛି । ଏହି ଜାତୀୟ ଇଣ୍ଡେକ୍ସ ଅନୁସାରେ ବିହାର ଦେଶର ସବୁଠାରୁ ଗରିବ ରାଜ୍ୟ ବୋଲି ଜଣାପଡ଼ିଛି । ବିହାରରେ ୫୧.୯୧ ପ୍ରତିଶତ ନାଗରିକ ଗରିବ ଅଛନ୍ତି । ବିହାର ପଛକୁ ଦ୍ୱିତୀୟ ସ୍ଥାନରେ ଝାଡଖଣ୍ଡ (୪୨.୧୬%), ତୃତୀୟରେ ଉତ୍ତରପ୍ରଦେଶ (୩୭.୭୯%) ଓ ୪ର୍ଥରେ ମଧ୍ୟପ୍ରଦେଶ (୩୭.୭୯%) ରହିଛି । ଓଡ଼ିଶାର ସ୍ଥାନ ଏହି ମାମଲାରେ ୯ମ ରହିଛି ।ଏହି ମାମଲାରେ କେରଳର ପ୍ରଦର୍ଶନ ଭଲ ରହିଛି । ରାଜ୍ୟରେ ମାତ୍ର ୦.୭୧ ପ୍ରତିଶତ ଲୋକ ଗରିବ ଅଛନ୍ତି । ଅପରପକ୍ଷରେ କେରଳରେ ସବୁଠାରୁ ଅଧିକ ଧନୀ ରହିଛନ୍ତି ବୋଲି ଇଣ୍ଡେକ୍ସରୁ ଜଣାପଡ଼ିଛି ।

ଦେଶର ୭୦୦ରୁ ଅଧିକ ଜିଲ୍ଲାରେ ଜିଲ୍ଲାସ୍ତରରେ ତିନୋଟି ଉପାଦାନକୁ ନେଇ ତଥ୍ୟ ସଂଗ୍ରହ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା ତଥା ଜୀବନଯାପନ ସ୍ତରର ୧୨ ସୂଚକାଙ୍କ ଆଧାରରେ ଆକଳନ କରାଯାଇଛି । ଏହି ସୂଚକାଙ୍କ ମଧ୍ୟରେ ପୋଷଣ, ଶିଶୁ-କିଶୋର ମୃତ୍ୟୁ ହାର, ପ୍ରସବ ପୂର୍ବ ସ୍ୱାସ୍ଥ୍ୟବସ୍ଥାର ଉପଲବ୍‌ଧତା, ଶିକ୍ଷାଗ୍ରହଣ ବର୍ଷ, ବିଦ୍ୟାଳୟରେ ଉପସ୍ଥିତି, ସଫେଇ, ପାନୀୟ ଜଳ, ବିଜୁଳି, ବାସଗୃହ, ଧନ-ସମ୍ପତ୍ତି ତଥ୍ୟା ବ୍ୟାଙ୍କ୍‌ରେ ଜମାପୁଞ୍ଜି ଆଦିକୁ ବିଚାର କରାଯାଇଛି । ବିହାର ଏହି ୧୨ ସୂଚକାଙ୍କରୁ ୧୧ରେ ଟପ୍ ୫ରେ ସାମିଲ୍ ରହିଛି ।

କୁପୋଷଣ ସଂଖ୍ୟା ବିହାରରେ ସର୍ବାଧିକ ରହିଛି । ଅପରପକ୍ଷରେ ରୋଷେଇ ପାଇଁ ଇନ୍ଧନ ଗ୍ୟାସ୍‌ର ଅନୁପଲବ୍‌ଧତା ମାମଲାରେ ଓଡ଼ିଶା ଝାଡ଼ଖଣ୍ଡ, ବିହାର ପଛରେ ତୃତୀୟ ସ୍ଥାନରେ ରହିଛି । ସ୍ୱଚ୍ଛତାର ଅଭାବ (ଟଏଲେଟ୍‌ର ଅଭାବ) ସୂଚକାଙ୍କରେ ମଧ୍ୟ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ବାସଗୃହରେ ବିଜୁଳି ନଥିବା କ୍ଷେତ୍ରରେ ଓଡ଼ିଶା ବିହାର, ୟୁପି, ଆସାମ ଓ ଝାଡ଼ଖଣ୍ଡ ପଛକୁ ୫ମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here