ତରଳୁଛି ମାଉଣ୍ଟ ଏଭେରେଷ୍ଟ୍

ନୂଆଦିଲ୍ଲୀ : ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ‘ମାଉଣ୍ଟ୍ ଏଭେରେଷ୍ଟ୍‌’ ଦ୍ରୁତବେଗରେ ତରଳୁଛି । ଗୁପ୍ତଚର ଉପଗ୍ରହ ସାହାଯ୍ୟରେ ଉତ୍ତୋଳିତ ଫଟୋଗୁଡ଼ିକୁ ଭଲଭାବରେ ଅନୁଧ୍ୟାନ କରିବାପରେ ଗବେଷକମାନେ କହିଛନ୍ତି ଯେ ମାଉଣ୍ଟ୍ ଏଭେରେଷ୍ଟ୍ ଶିଖର ଦେଶରୁ ବିରାଟକାୟ ବରଫ ଆସ୍ତରଣ ତରଳୁ ଥିବାରୁ ଉତ୍ତୋଳିତ ଫଟୋରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଛି । ଗବେଷକମାନେ ଦଶନ୍ଧି ତଳର ଉପଗ୍ରହ ଫଟୋ ଓ ସଦ୍ୟ ଫଟୋ ମଧ୍ୟରେ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି । ଗବେଷକଙ୍କ ସୂଚନାନୁସାରେ ୧୯୬୨-୨୦୧୮ ମଧ୍ୟରେ ମାଉଣ୍ଟ୍ ଏଭେରେଷ୍ଟ୍ ଗ୍ଲାସିୟର୍ ଉଦ୍‌ବେଗଜନକ ଭାବେ ତରଳୁଛି । ୧୯୬୦ ଦଶକରେ ସୋଭିଏତ୍ ୟୁନିଅନ୍ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଗୁପ୍ତଚର ସଂସ୍ଥା ମହାକାଶରେ ଗୁପ୍ତଚର ଉପଗ୍ରହ ‘କୋରୋନା’ ସ୍ଥାପନ କରିଥିଲା । ସେହି ଉପଗ୍ରହରୁ ୧୯୬୦ରୁ ୧୯୭୨ ଭିତରେ ସମଗ୍ର ଇଷ୍ଟର୍ଣ୍ଣ ୟୁରୋପ ଓ ଏସିଆର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ପ୍ରାୟ ୮ ଲକ୍ଷ ଫଟୋ ଉତ୍ତୋଳନ କରିଥିଲା ।
୧୯୯୫ରେ ଉକ୍ତ ଫଟୋଗୁଡ଼ିକୁ ସିଆଇଏ ୱେବସାଇଟ୍‌ରେ ପ୍ରକାଶ କରାଯାଇଥିଲା । ସେହି ଫଟୋଗୁଡ଼ିକ ଭିତରେ ମାଉଣ୍ଟ୍ ଏଭେରେଷ୍ଟର ବହୁ ଫଟୋ ଦେଖିବାକୁ ମିଳିଥିଲା । ଗବେଷକମାନେ ତତ୍କାଳୀନ ଓ ଅଧୁନାତନ ହିମାଳୟ ଫଟୋ ଭିତରେ ଆକାଶ-ପାତାଳ ଫରକ୍ ଦେଖିବାକୁ ପାଇଛନ୍ତି । ୧୯୬୦ ହିମାଳୟ ଫଟୋଗୁଡ଼ିକ ସ୍ଫଟିକ ଭଳି ଉଜ୍ଜ୍ୱଳ ଦିଶୁଥିବା ବେଳେ ସଦ୍ୟ ଉତ୍ତୋଳିତ ଫଟୋଗୁଡ଼ିକ ଅପେକ୍ଷାକୃତ ମଳିନ ଦେଖାଯାଉଛି । ଏହି ଫଟୋଗୁଡ଼ିକ ମଧ୍ୟରୁ ଏଭେରେଷ୍ଟ୍ ଗିରିଶୃଙ୍ଗ ଫଟୋରେ ଗ୍ଲାସିୟର ସ୍ତର ପତଳା ଥିଲା ବୋଲି ବ୍ରିଟେନସ୍ଥିତ ୟୁନିଭର୍ସିଟି ଅଫ୍ ସେଣ୍ଟ୍ ଆଣ୍ଡ୍ର‌୍ୟୁସ୍‌ରେ କାର୍ଯ୍ୟରତ ପ୍ରଫେସର୍ ତୋବିୟସ୍ ବୋଲ୍‌ଚ କହିଛନ୍ତି ।
ଗବେଷକଙ୍କ ମତରେ ୧୯୬୨ରୁ ୧୯୬୯ ଭିତରେ ବାର୍ଷିକ ହାରାହାରି ୨୦ ସେମି ବହଳର ବରଫ ତରଳିଥିବା ଜଣାପଡ଼ିଛି । ମୋଟ ଉପରେ କହିଲେ, ୬୦ ବର୍ଷ ଭିତରେ ମାଉଣ୍ଟ୍ ଏଭେରେଷ୍ଟ୍‌ର ପାଦଦେଶ ଅର୍ଥାତ୍ ରୁଙ୍ଗ୍‌ବୁକ୍ ଓ ଖୁମ୍ବୁ ଅଞ୍ଚଳରୁ ପ୍ରାୟ ୨୬୦ ଫୁଟ୍ (୮୦ ମିଟର) ଗ୍ଲାସିୟର ତରଳିଛି । ସେହି ସମୟ ଭିତରେ ଅଦୂର ଇମ୍‌ଜା ଗ୍ଲାସିୟରରୁ ପ୍ରାୟ ୩୦୦ ଫୁଟ୍ (୧୦୦ ମିଟର) ତରଳିଛି । ତେବେ ୧୯୮୦ ଦଶକରେ ଏହି ହାରରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗ୍ଲାସିୟର ଉପରେ ହେଉଥିବା ବରଫପାତ ଜମାଟ ବାନ୍ଧିବା ପରିବର୍ତ୍ତେ ନାଳ ଆକାରରେ ତଳକୁ ବହିଯାଉଛି । ଫଳରେ ପର୍ବତାରୋହୀଙ୍କ ଜୀବନ ପ୍ରତି ବିପଦ ବୃଦ୍ଧି ପାଇବାକୁ ଲାଗିଛି । ବିଶ୍ୱତାପନର କୁପ୍ରଭାବ ଭବିଷ୍ୟତରେ ମାଉଣ୍ଟ୍ ଏଭେରେଷ୍ଟ୍‌କୁ ଲଣ୍ଡା ପାହାଡ଼ କରିଦେବା ଅସମ୍ଭବ ନୁହେଁ ।