31.1 C
Bhubaneswar
Friday, March 29, 2024
Homeଅପରାଧଭାତ ବାଢ଼ି ଅପେକ୍ଷା କରିଥିଲା ମା', ଫେରିଲାନି ପୁଅ

ଭାତ ବାଢ଼ି ଅପେକ୍ଷା କରିଥିଲା ମା', ଫେରିଲାନି ପୁଅ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି । ରବିବାର ଦଶପଲ୍ଲାରେ ଜଣେ ଛାତ୍ରୀଙ୍କ ହତ୍ୟା ପରେ ନୟାଗଡ଼ ନିକଟସ୍ଥ ଚଣ୍ଡୀବସ୍ତରେ ଗୋଷ୍ଠୀ ସଂଘର୍ଷ ପରିସ୍ଥିତିକୁ ସମ୍ବେଦନଶୀଳ କରି ଦେଇଥିବା ବେଳେ ସୋମବାର ଜଣେ ଯୁବକଙ୍କ ମୃତଦେହ ଜାତୀୟ ରାଜପଥର ବ୍ରିଜ ତଳୁ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ କାଲିଠାରୁ ଘରକୁ ଫେରିନଥିବା ବେଳେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ତୁଳସୀପୁର ନିକଟସ୍ଥ ଜାତୀୟ ରାଜପଥ ବ୍ରିଜ୍ ତଳୁ ସୋମବାର ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ତୁଳସୀପୁର ଗ୍ରାମର ଗୋବିନ୍ଦ ଲେଙ୍କାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଲେଙ୍କା (୪୫) । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାବେଳେ ମୁହଁ ଫାଟି ରକ୍ତାକ୍ତ ହୋଇ ରହିଥିଲା । ମୃତ ଦେହଟି ମୁହଁମାଡ଼ି ତଳେ ପଡ଼ିଥିବା ବେଳେ ବିଜ୍ର ଉପରେ ତାଙ୍କର ଗୋଟିଏ ଚପଲ ପଡ଼ିଥିବା ଏବଂ ଅନ୍ୟ ଏକ ଚପଲ ତାଙ୍କ ପାଦରେ ଲାଗିଥିବା ଘଟଣା ସନ୍ଦେହ ଘେରକୁ ଟାଣି ନେଇଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ରବିବାର ସକାଳେ ପୂର୍ଣ୍ଣଚନ୍ଦ୍ର ଘରୁ ଗାଁ’ ନିକଟସ୍ଥ ଏକ କୁରକୁରେ ଫାକ୍ଟ୍ରିକୁ କାମ କରିବାକୁ ଯାଇଥିବାବେଳେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଫଳରେ ତାଙ୍କ ମା’ ମଲ୍ଲିକା ଲେଙ୍କା ଖୋଜିବାକୁ ଆସିଥିଲେ । ଫାକ୍ଟ୍ରିରେ ମା’ଙ୍କୁ ଦେଖି ପୂର୍ଣ୍ଣ କହିଥିଲେ- ‘ତୁ ଯାଆ, ମୁଁ କାମ ସାରି ତାଲା ପକାଇ ଯାଉଛି’ । ମା’ ଘରେ ପହଞ୍ଚି ଭାତ ବାଢ଼ି ପୁଅକୁ ଅପେକ୍ଷା କରିଥିବା ବେଳେ ପୁଅ ଘରକୁ ଫେରିନଥିଲେ । ପୁଅ ଫେରିବା ବିଳମ୍ବ ହେବାରୁ ବାପା ଗୋବିନ୍ଦ ଓ କିଛି ସମ୍ପର୍କୀୟ ଚାରିଆଡ଼େ ଖୋଜାଖୋଜି କରିଥିଲେ । ଗତକାଲି ତାଙ୍କର କିଛି ସନ୍ଧାନ ମିଳିନଥିବା ବେଳେ ସୋମବାର ତାଙ୍କର ରକ୍ତ ଜୁଡ଼ୁବୁଡ଼ ମୃତଦେହ ବ୍ରିଜ୍ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ବାପା ଗୋବିନ୍ଦଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପଡ଼ିଶା ଘର ସହ ଏକ ଜମିବାଡ଼ି ବିବାଦ ରହିଥିଲା । ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିବା ବେଳେ ଏନେଇ ବାରମ୍ବାର ଭଦ୍ରଲୋକ ବସିଥିଲା । ପରେ ଗାଁ ରେ ଥିବା କମିଟି ପଡ଼ୋଶୀ ଲୋକଙ୍କ ଠାରୁ ମଦ ପାଣି ପିଇ ତାଙ୍କ ପରିବାରକୁ ଏକ ଘରିକିଆ କରିଥିଲେ । ପରେ ଗାଁ ଯଜ୍ଞ ପାଇଁ ୫ ହଜାର ଟଙ୍କା ଚାନ୍ଦା ମାଗି ଗାଁରେ ମିଶିବାକୁ କମିଟି ସଦସ୍ୟମାନେ କହିଥିଲେ । ମାତ୍ର ଏଥିରେ ସେ ଅମଙ୍ଗ ହେବାରୁ ତାଙ୍କୁ ଗାଁକୁ ଆସୁଥିବା ପାନୀୟ ଜଳ ବ୍ୟବହାର କରିବାକୁ ବାରଣ କରାଯାଇଥିଲା । ଗାଁ କମିଟିରେ ଥିବା କିଛି ବ୍ୟକ୍ତି ମୋ’ ପୁଅକୁ ଆକ୍ରୋଶ ମନୋଭାବ ରଖି ହତ୍ୟା କରିଛନ୍ତି ବୋଲି ଗୋବିନ୍ଦ କହିଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ଭାଇ ରଙ୍କନାଥ ଲେଙ୍କା ଘଟଣାକୁ ନେଇ ଭିନ୍ନ ପ୍ରକାର ମତ ରଖିଛନ୍ତି । ସେ କହିବାନୁସାରେ, ତାଙ୍କ ଭାଇ ଏକ କୁରକୁରେ ଫାକ୍ଟ୍ରିରେ କାମ କରୁଥିଲେ । ତାଙ୍କୁ କାମରେ ରଖିଥିବା କ୍ଷେତ୍ରିବରପୁରର ଜଣେ ଯୁବକଙ୍କ ସହ କୌଣସି କାରଣଙ୍କୁ ନେଇ ଗତକାଲି ମଧ୍ୟାହ୍ନରେ ପୂର୍ଣ୍ଣଙ୍କର ବଚସା ଘଟିଥିଲା । ସେହି ଯୁବକ ଅନ୍ୟ କିଛି ବ୍ୟକ୍ତିଙ୍କୁ ମିଶାଇ ତାଙ୍କ ଭାଇଙ୍କୁ ହତ୍ୟା କରି ଥାଇ ପାରନ୍ତି ବୋଲି ସେ ମତ ଦେଇଛନ୍ତି । ଅନ୍ୟପକ୍ଷେ, ଖବରପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୂର୍ଣ୍ଣଚନ୍ଦ୍ର ଭାଇଙ୍କ ଅଭିଯୋଗ ଅନୁସାରେ, ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଘଟଣାର ଛାନଭିନ୍ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking