28.1 C
Bhubaneswar
Thursday, March 28, 2024
Homeଓଡିଶା୪ ବର୍ଷ ହେଲା ଖଟିଆରେ ପଡ଼ିରହିଛି ରୂପାଲି, ଚିକିତ୍ସାରେ ସହଯୋଗ ପାଇଁ ପରିବାରର ନିବେଦନ

୪ ବର୍ଷ ହେଲା ଖଟିଆରେ ପଡ଼ିରହିଛି ରୂପାଲି, ଚିକିତ୍ସାରେ ସହଯୋଗ ପାଇଁ ପରିବାରର ନିବେଦନ

ଫୁଲବାଣୀ : ମାସେ କି ଦୁଇ ମାସ ନୁହଁ, ଗତ ୪ ବର୍ଷ ହେଲା ଖଟିଆରେ ପଡ଼ିରହିଛନ୍ତି କୁନି ଝିଅ ରୁପାଲି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ତଲାରିମାହା ଗ୍ରାମର ମାଧୁରୀ ଦିଗାଲ ଓ ତ୍ରିନାଥ ଦିଗାଲଙ୍କ ବଡ଼ ଝିଅ ରୁପାଲି । ବୟସ ୪ ବର୍ଷ ହୋଇଥିଲେ ମଧ୍ୟ ସେ ନା ଚାଲିପାରୁଛନ୍ତି ନା ବସିପାରୁଛନ୍ତି । କଥାବର୍ତ୍ତା ମଧ୍ୟ କହିପାରୁନାହାନ୍ତି । ଦିନରାତି ସେହି ଖଟିଆରେ ପଡ଼ିରହୁଛି । ବେଳେବେଳେ ରାହାଧରି କାନ୍ଦୁଛି । କିଏ କୋଳରେ ବସାଇ ଖୁଆଇ ଦେଲେ କିଛି ଖାଉଛି । ଚିକିତ୍ସା ପାଇଁ ଏହି ପରିବାରକୁ ଅର୍ଥ ସାଜିଛି ବାଧକ । ପରିବାରରେ ପ୍ରଥମେ ଝିଅଟିଏ ହେଲେ ଘରକୁ ଲକ୍ଷ୍ମୀ ଆସିଲା ବୋଲି ଭାବନ୍ତି । ହେଲେ ରୁପାଲି ଜନ୍ମହେବା ପରେ ତ୍ରିନାଥଙ୍କ ପରିବାରେ ସତେ ଯେପରି ଦୁଃଖର ପାହାଡ଼ ମାଡ଼ିଆସିଛି ।

ଜନ୍ମ ପରେ ତାହାର ବେକ ସିଧା ନହେବାରୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ପରେ ତାହାର ଶିରାପ୍ରଶିରାରେ ସମସ୍ୟା ରହିଛି । ତେଣୁ ବାହାରକୁ ନେବାକୁ କହିଥିଲେ ଡାକ୍ତର । ପାଖରେ ଯାହାକିଛି ଟଙ୍କା ଥିଲା ତାହା ସବୁ ଚିକିତ୍ସାରେ ହିଁ ସରିଗଲା । ଫଳରେ ବାଧ୍ୟ ହୋଇ ଝିଅକୁ ଧରି ନିଜ ଗ୍ରାମକୁ ଫେରିଥିଲେ ପରିବାର ଲୋକେ । ତ୍ରିନାଥ ଜଣେ ଦିନ ମଜୁରିଆ । ମୂଲ ଲାଗିଲେ ପରିବାର ଚଳେ । ଆଗରୁ ସ୍ତ୍ରୀ ମାଧୁରୀ ମଧ୍ୟ କାମକୁ ଯାଉଥିଲା । କିନ୍ତୁ ରୂପାଲିର ଏଭଳି ଅବସ୍ଥା ଯୋଗୁଁ ସେ ଘରେ ରହି ତାହାର ଦେଖାଚାହାଁ କରୁଛନ୍ତି ବୋଲି କହିଛନ୍ତି ତ୍ରିନାଥ ।

ଅର୍ଥର ଅଭାବ ଯୋଗୁଁ ରୂପାଲିକୁ ବାହାରକୁ ଦେଖାଇନେବା କଷ୍ଟକର ହୋଇପଡ଼ିଛି । ଏପଟେ ସରକାରୀ ସାହାଯ୍ୟ ମଧ୍ୟ କିଛି ମିଳିନାହିଁ । କେବଳ ରୂପାଲିକୁ ଭତ୍ତା ମିଳିବା ସହିତ ମାସକୁ ୫ କେଜି ଚାଉଳ ମିଳୁଛି ସରକାରୀ ସହାୟତା । ସରକାରୀ ସହାୟତାରେ ଚିକିତ୍ସା ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ରୂପାଲିଙ୍କ ପରିବାର ଦୌଡ଼ିଛନ୍ତି, କିନ୍ତୁ କିଛି ସୁଫଳ ମିଳିନି ବୋଲି କହିଛନ୍ତି ତ୍ରିନାଥ । ସରକାର କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ରୁପାଲି ମଧ୍ୟ ଅନ୍ୟ ପିଲାଙ୍କ ଭଳି ଖେଳ କୁଦ କରିବା ସହିତ ପାଠ ପଢିପାରନ୍ତା ବୋଲି ଆଶା ରଖିଛନ୍ତି ବାପା ତ୍ରିନାଥ ଓ ମାଆ ମାଧୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking