32.1 C
Bhubaneswar
Thursday, March 28, 2024
Homeଓଡିଶାଦେହ କଳାକାଠ ହୋଇ ଫୋଟକା ବାହାରୁଛି, ଚିକିତ୍ସା ପାଇଁ ଗୁହାରି

ଦେହ କଳାକାଠ ହୋଇ ଫୋଟକା ବାହାରୁଛି, ଚିକିତ୍ସା ପାଇଁ ଗୁହାରି

ଜଗନ୍ନାଥପ୍ରସାଦ : ଜଗନ୍ନାଥପ୍ରସାଦ ବ୍ଲକ କୋକଳବା ପଞ୍ଚାୟତର ମଶାବାଡି ଗ୍ରାମରେ ରହୁଛନ୍ତି ଶିବ ନାୟକଙ୍କ ୩ ଝିଅ ଓ ଗୋଟିଏ ପୁଅ । ସେଥି ମଧ୍ୟରୁ ବଡଝିଅ ରଞ୍ଜିତାଙ୍କ ବୟସ ୨୪ । ଅର୍ଥ ଅଭାବ ହେତୁ ସେ ପାଠପଢା ଛାଡି ଘର ସଂସାର କରିବା ସ୍ୱପ୍ନ ଦେଖିଥିଲେ । ହେଲେ ରଞ୍ଜିତାଙ୍କ ସ୍ୱପ୍ନ ଅଧୁରା ରହିଗଲା । ମାତ୍ର ୧୮ ବର୍ଷ ବୟସରୁ ବିବାହ ପାଇଁ ବର ଖୋଜାଖୋଜି ଆରମ୍ଭ ହେଲା । କିନ୍ତୁ ତାଙ୍କୁ ୨୦ ବର୍ଷ ବେଳକୁ ହଠାତ୍ ଶରୀରର ରଙ୍ଗ ବଦଳି ଦେହସାରା କଳା ପଡିଗଲା । ବାପା ଗ୍ରାମରେ ଥିବା କ୍ୱାକଙ୍କୁ ଦେଖାଇ ଔଷଧ, ଇଞ୍ଜେକ୍ସନ୍ ଦେଲେ । କିନ୍ତୁ ୩ ମାସ ପରେ ବି ରୋଗ ଭଲ ହେବା ପରିବର୍ତ୍ତେ ବଢିବାରେ ଲାଗିଲା । ପରେ ତାଙ୍କୁ ଭଞ୍ଜନଗର ନେଇ ଚିକିତ୍ସା ଆରମ୍ଭ କରାଗଲା । ଚିକିତ୍ସା ବେଳକୁ ତାଙ୍କ ଦେହ କଳା ପଡିବା ସହ  ହାତ ଗୋଡ ବଙ୍କା ହେବାକୁ ଲାଗିଲା ।

ଅନ୍ୟ ଉପାୟ ନ ପାଇ ବାପା, ମାଆ ରଞ୍ଜିତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନେଲେ । ସେଠାରେ ୨ ବର୍ଷ ଚିକିତ୍ସା କରାଇବା ସହ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି କୌଣସି ସୁଫଳ ପାଇନଥିଲେ । ଦିନକୁ ଦିନ ଶରୀରର ଓଜନ କମିବା ସହ ବିଭିନ୍ନ ସ୍ଥାନରେ ଫଟୋକା ହେଲା । ପରେ ଭୁବନେଶ୍ୱରର ଏମ୍ସ ହସ୍‌ପିଟାଲରେ ରଞ୍ଜିତାଙ୍କ ଶରୀର ପରୀକ୍ଷା ପରେ ସିଷ୍ଟମିକ୍ ସିରୋସିସ୍ ରୋଗରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସେଠାରେ ଚିକିତ୍ସା ପରେ ଯନ୍ତ୍ରଣା ସାମାନ୍ୟ କମିଥିଲା । କିନ୍ତୁ ଉପଶମ ହୋଇପାରିଲାନି । ଏଭଳି ଚିକିତ୍ସା ମଧ୍ୟରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଇତି ମଧ୍ୟରେ ୪ ବର୍ଷ ବିତିଗଲା । ବର୍ତ୍ତମାନ ଅର୍ଥ ଅଭାବରୁ ରଞ୍ଜିତାଙ୍କୁ ଆୟୁର୍ବେଦିକ ଔଷଧ ହିଁ ଏକମାତ୍ର ବିକଳ୍ପ ଭାବେ ପିତା ବାଛି ନେଇଛନ୍ତି ।

ଔଷଧ ବାବଦକୁ ମାସିକ ୬ ହଜାର ଟଙ୍କା ଖର୍ଚ୍ଚ ହେଉଛି । ବାପା ବ୍ରହ୍ମପୁରରେ ଏକ ହୋଟେଲରେ କାମ କରି ମାସକୁ ୬୦୦୦ ଟଙ୍କା, ୨ ଝିଅ ୧୦ମ ପାସ୍ କରି ତାମିଲନାଡୁରେ ପୋଷାକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ପୁଅ ଭୁବନେଶ୍ୱରରେ ମୂଲ କାମ କରୁଛନ୍ତି । ମାଆ ଜଙ୍ଗଲରୁ ପତ୍ର ଆଣି ଖଲି ପ୍ରସ୍ତୁତ କରି ଦିନକୁ ୧୨୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ନିଜର ବୋଲି ଜମିବାଡି କିଛି ନାହିଁ । ରାସନ କାର୍ଡରେ କେବଳ ୨୫ କେଜି ଚାଉଳ ମିଳୁଛି । ଏଭଳି ପରିସ୍ଥିତିରେ ପରିବାର ଉପରେ ଆଉ କେତେଦିନ ବୋଝ ହୋଇ ପଡି ରହିବି । ସରକାର ଆମ ପ୍ରତି ସହାୟ ହୁଅନ୍ତୁ ବୋଲି ରୋଗାଗ୍ରସ୍ତ ଝିଅ ରଞ୍ଜିତା କୋହଭରା କଣ୍ଠରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking