ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ଅର୍ଥାତ ଆସନ୍ତା ୭ରୁ ଚାରିଟି ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜୁଲାଇ ୭ରେ ଛତିଶଗଡ ଓ ଉତ୍ତର ପ୍ରଦେଶ ଗସ୍ତ କରିବାପରେ ୮ରେ ସେ ତେଲେଙ୍ଗାନା ଓ ରାଜସ୍ଥାନ ଯିବେ ବୋଲି ଜଣାପଡିଛି । ଏହି ଗସ୍ତକାଳରେ ସେ ଏହି ସବୁ ରାଜ୍ୟରେ ମୋଟ ୫୦ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ବୋଲି ପିଏମଓ ସୂତ୍ରରୁ ଜଣାପଡିଛି । ଉତ୍ତର ପ୍ରଦେଶର ଗୋରଖପୁରରେ ପହଞ୍ଚି ମୋଦୀ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ (ଗୋରଖପୁର-ଲକ୍ଷ୍ନୌ ଓ ଯୋଧପୁର-ଅହମ୍ମଦାଦ ରୁଟ୍) ଚଳାଚଳର ଶୁଭାରମ୍ଭ କରିବା ସହ ଗୀତା ପ୍ରେସ୍ର ଶତବାର୍ଷିକୀ ଉଦ୍ଯାପନ ଉତ୍ସବରେ ଯୋଗଦେବେ । ସେଠାରୁ ନିଜର ନିର୍ବାଚନମଣ୍ଡଳୀ ବାରାଣସୀ ଯାଇ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ । ୮ରେ ସେ ୱାରଙ୍ଗଲରେ ପହଞ୍ଚି ୬୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଅପରାହ୍ନରେ ବିକାନେରରେ ପହଞ୍ଚି ମୋଦୀ ୨୪,୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଚାରିଟି ରାଜ୍ୟ ମଧ୍ୟରୁ କେବଳ ଉତ୍ତର ପ୍ରଦେଶକୁ ବାଦଦେଲେ ଅନ୍ୟ ୩ ରାଜ୍ୟରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।