ନୂଆଦିଲ୍ଲୀ : ଦେଶରେ କୃଷିକ୍ଷେତ୍ରର ବିକାଶ ଏବଂ ଗ୍ରାମୀଣ କ୍ଷେତ୍ରକୁ ପାରଦର୍ଶୀ କରିବା ନିମନ୍ତେ କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ସାରା ଦେଶରେ ଥିବା ୬୩ ହଜାର ପ୍ରାଇମେରୀ ଏଗ୍ରିକଲ୍ଚର୍ କ୍ରେଡିଟ୍ ସୋମାଇଟି (ପାକ୍ସ)ର କମ୍ପ୍ୟୁଟରୀକରଣ ପାଇଁ ୨୫୧୬ କୋଟି ଟଙ୍କା ବ୍ୟୟବରାଦକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ପାକ୍ସ କମ୍ପ୍ୟୁଟରୀକରଣ ହେବା ଫଳରେ ଦେଶର ପ୍ରାୟ ୧୩ ଲକ୍ଷ ଛୋଟ ଚାଷୀଙ୍କୁ ଲାଭ ମିଳିବ । ଏହି ନିଷ୍ପତ୍ତି ଯୋଗୁଁ ବିଶେଷକରି ଛୋଟ ଏବଂ ନାମମାତ୍ର ଚାଷୀ ଲାଭାନ୍ୱିତ ହେବେ । ସରକାରଙ୍କ ଅନୁସାରେ ଏହି ନିଷ୍ପତ୍ତି ଫଳରେ ପାରଦର୍ଶିତା ବୃଦ୍ଧି ପାଇବ ଏବଂ ସେବା ଯୋଗାଣ ଉନ୍ନତ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲା ସମିତି (ସିସିଇଏ)ର ବୈଠକରେ କୁହାଯାଇଛି ଯେ ସାରା ଦେର ସମସ୍ତ ପାକ୍ସକୁ କମ୍ପ୍ୟୁଟରାଇଜ୍ଡ କାର୍ଯ୍ୟ ଆରମ୍ଭ ହେବ ।
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସମବାୟ ସହିତ ସମ୍ପୃକ୍ତ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ପାଇଁ ପ୍ରତିବଦ୍ଧ ଅଛନ୍ତିତ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ୬୩ ହଜାର ପାକ୍ସକୁ କମ୍ପ୍ୟୁଟରୀକରଣ ନିଷ୍ପତ୍ତି ଏହି କ୍ଷେତ୍ର ପାଇଁ ବରଦାର ସ୍ୱରୂପ ସାବ୍ୟସ୍ତ ହେବ । ସେ ଆହୁରି କହିଥିଲେ ଯେ ସମବାୟ କ୍ଷେତ୍ର ପାଇଁ ପାକ୍ସ ସବୁଠୁ ଛୋଟ ୟୁନିଟ୍ ଏବଂ ଏହାର କମ୍ପ୍ୟୁଟରୀକରଣ ଏକ ବଡ଼ ପ୍ରଭାବଶାଳୀ ପଦକ୍ଷେପ ହେବ । ଏହି ପଦକ୍ଷେପ ପାକ୍ସର ପାରଦର୍ଶିତା, ବିଶ୍ୱସନୀୟତା ଏବଂ କାର୍ଯ୍ୟଦକ୍ଷତାକୁ ବଢ଼ାଇବା ସହିତ ବହୁଉଦ୍ଦ୍ୟେଶୀୟ ପାକ୍ସର ଆକାଉଣ୍ଟିଂରେ ମଧ୍ୟ ସୁବିଧା ହେବ । ଲୋକଙ୍କ ସୁବିଧା ପାଇଁ ସ୍ଥାନୀୟ ଭାଷାରେ ସଫ୍ଟଓୟାର୍ ଉପଲବ୍ଧ ହେବ । ଅମିତ ଶାହ ଆହୁରି କହିଥିଲେ ଏହା ଦ୍ୱାରା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (ଡିବିଟି), ଫସଲ ବୀମା ଯୋଜନା ଏବଂ ସାର, ମଞ୍ଜି ଆଦିର ମୂଲ୍ୟ ପ୍ରଦାନ କରିବା ନିମନ୍ତେ ଏକ ନୋଡାଲ୍ କେନ୍ଦ୍ର ହେବାରେ ପାକ୍ସକୁ ସହାୟତା ମିଳିବ ।
କମ୍ପ୍ୟୁଟରୀକରଣର ଏହି ପରିଯୋଜନାରେ ସାଇବର ସୁରକ୍ଷା ଏବଂ ଡାଟା ଷ୍ଟୋରେଜ୍ ସହିତ କ୍ଲାଉଡ୍ ଆଧାରିତ ସାମାନ୍ୟ ମିଳିତ ସଫ୍ଟଓୟାରର ବିକାଶ ସମେତ ପାକ୍ସକୁ ହାର୍ଡଓୟାର୍ ସମ୍ବନ୍ଧିତ ସହାୟତା ପ୍ରଦାନ କରିବା ସାମିଲ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି ଯୋଜନାରେ ପାକ୍ସ କର୍ମଚାରୀଙ୍କୁ ଟ୍ରେନ୍ଡ କରାଯିବ । ପାକ୍ସରେ ସଦସ୍ୟ ଭାବେ ପ୍ରାୟ ୧୩ ଲକ୍ଷ ଚାଷୀ ସାମିଲ ଅଛନ୍ତି, ଯେଉଁମାନେ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ବୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ । ମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁ ରାଜ୍ୟରେ ପାକ୍ସ କମ୍ପ୍ୟୁଟରୀକରଣ ପୂରା ହୋଇଯାଇଛି ସେମାନେ ମିଳିତ ସଫ୍ଟଓୟାର୍ ସହିତ ଏକୀକୃତ ହେବା ସହିତ ଏହାକୁ ଆପଣାଇବା ପାଇଁ ସହମତ ହେଲେ ପ୍ରତ୍ୟେକ ପାକ୍ସକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।