ଫିଟୁଛି ମୋ ସାଇକେଲ୍ ଗୁମର : ପାଣିରେ ପଡ଼ିଲା ଅର୍ଥ, ମୁହଁ ଖୋଲୁନାହାଁନ୍ତି ଅଧିକାରୀ

ଭୁବନେଶ୍ୱର: ଧୀରେ ଧୀରେ ଫିଟୁଛି ଗୁମର । କିପରି ବିଭିନ୍ନ ଯୋଜନାରେ ସରକାରୀ ଅର୍ଥକୁ ଧୂଳିସାତ କରାଯାଉଛି ତାହା ନଜରକୁ ଆସୁଛି । ନିଜ ଅର୍ଥରେ ସାମଗ୍ରୀ କିଣି ତାକୁ ଅନ୍ୟ କାହାକୁ ପରିଚାଳନା କରିବାକୁ ଦିଆଯାଉଛି । ଖାଲି ସେତିକି ନୁହେଁ ବରଂ ତାର ପରିଚାଳନା ପାଇଁ ତାକୁ ମୋଟା ଅଙ୍କର ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉଛି । କିନ୍ତୁ କିଛି ଦିନ ପରେ ଉକ୍ତ ବହୁ ଅର୍ଥଭିତ୍ତିକ ଯୋଜନା ତଥା ପ୍ରକଳ୍ପ ଅଧାବାଟରେ ଅଟକୁଛି । ରାଜଧାନୀ ଭୁବନେଶ୍ୱରରେ ଏପରି ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଏବେ କିଛି ଅସାଧୁ ଅଧିକାରୀଙ୍କ ଘରୋଇ କମ୍ପାନୀ ସହ ଥିବା ମଧୁଚନ୍ଦ୍ରିକା ପାଇଁ ଆଜି ସମାନ ସ୍ଥିତି ଭୋଗୁଛି ମୋ ସାଇକେଲ । ସ୍ମାର୍ଟସିଟି ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ କରିବା ସହ ସହରବାସୀଙ୍କୁ ସାଇକେଲ୍ ଚଳାଇବା ପାଇଁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଭୁବନେଶ୍ୱରରେ ‘ମୋ ସାଇକେଲ୍‌’ ଯୋଜନା ପ୍ରଣୟନ କରିଥିଲେ । ଯେଉଁଥିରୁ କିଛି ଏବେ କବାଡ଼ିଆ ନିକଟରୁ ଜବତ ହୋଇଥିବାବେଳେ କିଛି ମୁଖ୍ୟ ଡ୍ରେନ୍‌ରେ ଜଳସମାଧି ନେଇଛି ଓ ବାକି କିଛି ସହରର ଏଣେ ତେଣେ ପଡ଼ିରହିଥିବା ନଜରକୁ ଆସିଛି । ଏହି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି । ମୋ ସାଇକେଲ୍ ପରିଚାଳନା ସଂସ୍ଥାକୁ ସାଇକେଲ୍ ରକ୍ଷଣବେକ୍ଷଣ ପାଇଁ ପ୍ରତି ସାଇକେଲ୍ ପିଛା ୫ ହଜାର ମିଳୁଥିବା ଜଣାପଡ଼ିଛି । ବର୍ଷ ପୂରିଲେ ସାଇକେଲ୍ ପିଛା ସମ୍ପୃକ୍ତ କମ୍ପାନୀକୁ ୫ ହଜାର ଲେଖା ଦିଆଯିବ ବୋଲି ଆରମ୍ଭରୁ ଚୁକ୍ତି ହୋଇଥିଲା । ସାଇକେଲ ଯୋଗାଇଥିବା ସଂସ୍ଥା ସହ ତତ୍କାଳୀନ ପରିଚାଳନା ସଂସ୍ଥା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏହି ଚୁକ୍ତି ସ୍ୱାକ୍ଷରିତ କରିଥିଲା । ମୋଟ ୩ଟି କମ୍ପାନୀଠାରୁ ୨ ହଜାର ମୋ ସାଇକେଲ୍ ଆସିଥିଲା । ତାହା ମଧ୍ୟରୁ ୧୬ ଶହ ସାଇକେଲ୍ ସହରର ଗଳିକନ୍ଦିରେ ଛିଡ଼ା ହେଉଥିଲା ଓ ବାକି ୪ ଶହ ସାଇକେଲ୍ ଡିପୋରେ ସଂରକ୍ଷିତ ରହୁଥିଲା । ୫ କୋଟି ଅର୍ଥରେ ସାଇକେଲ୍ କିଣାଯାଇଥିଲା । ପରେ ଆଉ ଏକ କୋଟି ଟଙ୍କା ଏହାର ରକ୍ଷଣବେକ୍ଷଣ ବାବଦରେ ଖର୍ଚ୍ଚ ହୋଇଥିଲା । ବର୍ଷ ଶେଷ ହେବା ପରେ ପୁଣି ରକ୍ଷଣବେକ୍ଷଣ ଚୁକ୍ତି ସ୍ୱାକ୍ଷରିତ ହେବା ସହ ଅର୍ଥ ପୈଠ କରାଯାଉଥିଲା । ୨୦୧୯ରୁ ୨୦୨୩ ଆର୍ଥିକ ବର୍ଷ ଶେଷ ଯାଏଁ ଏହି ଚୁକ୍ତି କାର୍ଯ୍ୟକାରୀ ହେବାର ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here