ହାଇଦ୍ରାବାଦ: ତେଲେଙ୍ଗନାରେ ବର୍ବର କାଣ୍ଡ । ଯୁବକଙ୍କ ମୁଣ୍ଡ କାଟି ମା’ କାଳିଙ୍କ ଚରଣରେ ଫିଙ୍ଗିଲେ ଦୁର୍ବୃତ୍ତ । ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଏଭଳି ଛାତିଥରା ଘଟଣା ଘଟିଥିବା ବେଳେ କଟା ମୁଣ୍ଡକୁ ଧରି ତଦନ୍ତ ଆରମ୍ଭ କରୁଛି ପୋଲିସ । ବଳି ଦେବା ଉଦ୍ଦେଶ୍ୟରେ କି ଏହି ହତ୍ୟା ପଛରେ ଅନ୍ୟ କିଛି କାରଣ ରହିଛି, ତାହାର କାରଣ ଖୋଜୁଛି ପୋଲିସ ।
ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ କହିବା ମୁତାବକ, ମନ୍ଦିରକୁ ପୂଜା କରିବାକୁ ଆସିବା ପରେ ପୂଜାରୀ କଟା ମୁଣ୍ଡ ଦେଖି ପୋଲିସକୁ ସୂଚନା ଦେଇଥିଲେ । ମୃତ ଯୁବକଙ୍କ ବୟସ ୩୦ଭିତରେ ହେବ ବୋଲି ଜଣାପଡ଼ୁଛି । ଅନ୍ୟ କେଉଁଠି ହତ୍ୟା କରିବା ପରେ କଟା ମୁଣ୍ଡକୁ ଆଣି ମା’ କାଳିଙ୍କ ଚରଣରେ ରଖିଦିଆଯାଇଛି । ମୃତକର ବାକି ଶରୀର ଏପର୍ଯ୍ୟନ୍ତ ମିଳିପାରି ନାହିଁ । କେଉଁଠି ଓ କେମିତି ଯୁବକଙ୍କୁ ହତ୍ୟା କରାଗଲା ଏବଂ ହତ୍ୟା ପଛର କାରଣ କ’ଣ, ତାହା ଜଣାପଡ଼ି ନାହିଁ । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଦେଖି ତଦନ୍ତ କରାଯାଉଛି । ଏ ମଧ୍ୟରେ ନିକଟସ୍ଥ ସୁର୍ଯ୍ୟପେଟର ଏକ ପରିବାର ପୋଲିସ ସହ ଯୋଗାଯୋଗ କରି କହିଛନ୍ତି ଯେ, ପ୍ରାୟ ଦୁଇ ବର୍ଷ ପୂର୍ବେ ଘରୁ ପଳାଇଯାଇଥିବା ୩୦ବର୍ଷ ବୟସ୍କ ମାନସିକ ବିକୃତ ବ୍ୟକ୍ତିଙ୍କ ସହିତ ମୃତ ବ୍ୟକ୍ତିଙ୍କ ମୁହଁ ମେଳ ଖାଉଛି । ତେବେ ମୃତ ବ୍ୟକ୍ତିଜଣକ ସିଏ କି ନାହିଁ, ସେନେଇ ଖୋଳତାଡ଼ କରୁଛି ପୋଲିସ ।