22.1 C
Bhubaneswar
Sunday, January 23, 2022
Homeଅପରାଧନାବାଳିକା ଅପହରଣ ଘଟଣାରେ ୫ କୋର୍ଟ ଚାଲାଣ : ଅଭିଯୁକ୍ତ , ପୁଲିସକୁ ପିଟିଲେ ଉତ୍ତ୍ୟକ୍ତ...

ନାବାଳିକା ଅପହରଣ ଘଟଣାରେ ୫ କୋର୍ଟ ଚାଲାଣ : ଅଭିଯୁକ୍ତ , ପୁଲିସକୁ ପିଟିଲେ ଉତ୍ତ୍ୟକ୍ତ ଲୋକ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ନାବାଳିକା ଛାତ୍ରୀ ଅପହରଣ ଘଟଣାର ଅଭିଯୁକ୍ତକୁ ପୁଲିସ ଡାକ୍ତରମାଇନା ପାଇଁ ନେଉଥିବାବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅସନ୍ତୋଷ କ୍ରମେ ଉତ୍ତେଜନାରେ ପରିଣତ ହେବାରୁ ଲୋକେ ଅଭିଯୁକ୍ତ ଓ ପୁଲିସକୁ ନିର୍ଧୁମ ପିଟିଛନ୍ତି ।
ସୂଚନା ଅନୁଯାୟୀ, ଭାପୁର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଟ୍ୟୁସନ କରିବାକୁ ଯାଉଥିଲାବେଳେ ସ୍ପଷ୍ଟ ଦିବାଲୋକରେ ପୁଲିସ ଫାଣ୍ଡି ନିକଟରୁ ଏକ ବୋଲେରୋ ଯୋଗେ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଏହି ଘଟଣା ଗତ ୧୪ତାରିଖ ସକାଳେ ଘଟିଥିଲା । ଅପହୃତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲେ ମଧ୍ୟ ଘଟଣାର କୌଣସି ସୁରାକ୍ ପାଇନଥିଲା । ତେବେ ଅଭିଯୁକ୍ତମାନେ ଫୁଲବାଣୀ ସଦର ଥାନା ଅଞ୍ଚଳରେ ଥିବା ସୂଚନା ପାଇ ଏସ୍‌ପି ଶଶିଭୂଷଣ ଶତପଥୀ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ସେଠାକୁ ପଠାଇଥିଲେ । ଫୁଲବାଣୀ ସଦର ଥାନା ପୁଲିସ ଏବଂ ନୟାଗଡ଼ ପୁଲିସ ମିଳିତ ଭାବେ ଚଢ଼ଉ କରି ଭଣ୍ଡାରୀପଦର ଗ୍ରାମରୁ ଅପହୃତାଙ୍କୁ ଉଦ୍ଧାର କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ପିଠାଖାଇ ଗ୍ରାମର ସୁଶାନ୍ତ ନାୟକ(୨୭), ବିଜିପୁର ଗ୍ରାମର ସନ୍ତୋଷ ଜେନା(୩୫), ଖୋର୍ଦ୍ଧା ଟାଉନଥାନା କୁମାରବସ୍ତ ଗ୍ରାମର ମାନସ ବଳିୟାରସିଂହ(୩୫), ଫତେଗଡ଼ ଥାନା ଫତେଗଡ଼ ଗ୍ରାମର ଶିବପ୍ରସାଦ ପଶା(୨୦) ଏବଂ ଫତେଗଡ଼ ଗ୍ରାମର ତ୍ରିନାଥ ପଶା(୨୭) । ଏ ନେଇ ପୁଲିସ ସୂଚନା ଦେଇଛି । ତେବେ ଅପହରଣ ଘଟଣାକୁ ନେଇ ସମଗ୍ର ଭାପୁର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଏବଂ ଘୋର ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ଏସ୍‌ପି ଶ୍ରୀ ଶତପଥୀ ଫତେଗଡ଼ ଥାନା ଆସି ଘଟଣାର ତଦନ୍ତ କରିବା ପରେ ୫ଜଣ ଅଭିଯୁକ୍ତଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା । ଫତେଗଡ଼ ଥାନାର ସେକେଣ୍ଡ ଅଫିସର ନିରଞ୍ଜନ କିଶୋର ବଡ଼ଜେନା ଏବଂ ଭାପୁର ଫାଣ୍ଡି ଅଧିକାରୀ ସଚ୍ଚିଦାନନ୍ଦ ସାମନ୍ତରାୟଙ୍କ ନେତୃତ୍ୱରେ ପୁଲିସ ବାହିନୀ ଅଭିଯୁକ୍ତମାନଙ୍କୁ ନେଉଥିବାବେଳେ ବହୁ ଲୋକ ଡାକ୍ତରଖାନା ସମ୍ମୁଖ ଦେଇ ଯାଇଥିବା ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ଏହାକୁ ଅବରୋଧ କରିବା ସହ ଏହାର ପ୍ରତିବାଦ କରିଥିଲେ । ଅଭିଯୁକ୍ତମାନଙ୍କୁ ଆମ ହାତରେ ଛାଡ଼ ବୋଲି ଲୋକମାନେ ଦାବି କରିବା ପରେ ଏହି ଘଟଣା ଉଗ୍ରରୂପ ଧାରଣ କରିଥିଲା । ଲୋକମାନେ ପୁଲିସ ଏବଂ ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ଥାନା ସେକେଣ୍ଡ ଅଫିସର ଶ୍ରୀ ବଡ଼ଜେନା ଏବଂ ଅଭିଯୁକ୍ତମାନଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବାରୁ ସେମାନେ ଆହାତ ହୋଇଥିଲେ । ଏହି ଆକ୍ରମଣରେ ପୁଲିସ ଅଧିକାରୀ ଶ୍ରୀ ବଡ଼ଜେନାଙ୍କ ମୁଣ୍ଡ ଫାଟି ଯାଇଥିଲାବେଳେ ମୁଖ୍ୟଅଭିଯୁକ୍ତ ସୁଶାନ୍ତ ମଧ୍ୟ ଆହତ ହୋଇଥିଲେ । ସେହିଭଳି କେତେଜଣ ଲୋକ ଡାକ୍ତରଖାନା ବହିର୍ବିଭାଗ କାଚ କବାଟକୁ ପିଟି ଭାଙ୍ଗିଦେଇ ଡାକ୍ତରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ତେବେ ପରିସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟକରି ସନ୍ତୋଷ, ମାନସ, ଶିବପ୍ରସାଦ, ତ୍ରିନାଥଙ୍କୁ ଭାପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଖବରପାଇ ଖଣ୍ଡପଡ଼ା ଏସ୍‌ଡିପିଓ ଶ୍ରୀନିବାସ ମହାନ୍ତି, ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢ଼ୀ, ନୟାଗଡ଼ ଟାଉନ୍ ଥାନାଧିକାରୀ ଜୟଦୀପ ମହାନ୍ତି, ଖଣ୍ଡପଡ଼ା ଥାନାଧିକାରୀ ବିମଳ ମଲ୍ଲିକ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ଆୟତ୍ତ କରିଥିଲେ । ପରିସ୍ଥିତିର ଗମ୍ଭୀରତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking