34.1 C
Bhubaneswar
Friday, March 29, 2024
Homeଓଡିଶାସୀମା ବିବାଦର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ କରିବାକୁ...

ସୀମା ବିବାଦର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


– ଓଡିଶା ସହ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ସୀମା ବିବାଦ ଲାଗି ରହିଛି
– ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ
– ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ ଓଡିଶା
– ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ
– ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ଓ
ଝାଡଖଣ୍ଡ ସହ ରହିଥିବା ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା
ତଥା ଆପୋଷ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେବା ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିବା ସହ ବିଭିନ୍ନ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ପଡୋଶୀ ରାଜ୍ୟ ଗୁଡିକ ସହ ଥିବା ସୀମା ବିବାଦକୁ ଆଲୋଚନା କରିବା ପାଇଁ
ସର୍ବଦଳୀୟ ବୈଠକ ଡକାଯାଉ । ଏହି ବୈଠକରେ ଓଡିଶା ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବ୍ୟକ୍ତିବିଶେଷଙ୍କ
କଥାକୁ ଗୁରୁତ୍ୱକୁ ନିଆଯାଉ । ସୀମା ବିବାଦର ବିସ୍ତୃତ ଓ ସ୍ଥାୟୀ ସମାଧାନ କରିବା ପାଇଁ ଓଡିଶା ବିଧାନସଭାରେ ବିଭିନ୍ନ
ଦଳର ସଦସ୍ୟ ମାନଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଉ । ଯଦ୍ୱାରା ସେମାନେ ଏହା ଉପରେ ବିଶେଷ
ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ପରାମର୍ଶ ଦେବେ । ଏହି ସୀମା ବିବାଦ ବିଷୟର ଗୁରୁତ୍ୱକୁ ଅଧିକ ଧ୍ୟାନରେ
ରଖି ଓଡିଶା ଏବଂ ପଡୋଶୀ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା
ଲୋଡିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସୂଚାଇଛନ୍ତି ।
ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡିଶା ନିଜ ପଡୋଶୀ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ରାଜ୍ୟ ଗୁଡିକ
ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦକୁ ସମାଧାନ କରିପାରିବ । ସଂଘୀୟ ବ୍ୟବସ୍ଥା ତଥା ରାଜ୍ୟ
ମାନଙ୍କ ମଧ୍ୟରେ ଭାଇଚାରା ଦୃଷ୍ଟିରେ ଓଡିଶା ଏହି ସବୁ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ । ଓଡିଶାର ଲୋକଙ୍କ
ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ଯେପରି ସାଲିସ ନହୁଏ ତାହାକୁ ସୁନିଶ୍ଚିନ୍ତ କରିବା ସହ ଆବଶ୍ୟକତା ପଡିଲେ ରାଜ୍ୟ ଏହି
ବିବାଦକୁ ସମାଧାନ କରିବା ପାଇଁ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରିବା ଉଚିତ୍ ବୋଲି ଶ୍ରୀ ପ୍ରଧାନ
ଚିଠିରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ପୁଣି ଥରେ
ଉତେଜନା ଦେଖିବାକୁ ମିଳିଛି । ଜଣାପଡିଛି ଯେ, ଆନ୍ଧ୍ରପ୍ରଦେଶ ପ୍ରଶାସନ ଏକପାଖିଆ ଭାବରେ ସାମ୍ବାଇ ପଂଚାୟତ

ଅନ୍ତର୍ଗତ ସୁନାବେଡା ମୌଜାର କିଛି ଅଂଶକୁ ନିଜର ବୋଲି ଦାବି କରିବା ସହ ତଳଗଞ୍ଜେଇପଦ ଗାଁରେ ଏକ ପୋଖରୀ
ଖୋଳିଥିବା ଜଣାପଡିଛି । ଏହି ପୋଖରୀ ଖୋଳାକୁ ଓଡିଶା ଗ୍ରହଣ କରୁନାହିଁ । ଏହି ଘଟଣାର ପ୍ରତିବାଦ କରି ଆନ୍ଧ୍ରପ୍ରଦେଶ
ପାଶ୍ୱର୍ରେ ଥିବା ପଟାଙ୍ଗୀ-ଆର୍କୁ ରାସ୍ତାକୁ ସ୍ଥାନୀୟ ଗ୍ରାମବାସୀମାନେ ଅବରୋଧ କରିଦେବା ପରେ ଏହି ମାମଲା ବଢିଛି ।
ଉଲ୍ଲେଖନୀୟ ଯେ, କିଛି ମାସ ପୂର୍ବରୁ ଓଡିଶା-ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ଦ୍ୱାରା ଏକାପାଖିଆ ଭାବେ ବାଲେଶ୍ୱର
ଜିଲ୍ଲା ଜଳେଶ୍ୱର ବ୍ଲକରେ ସୁବର୍ଣ୍ଣରେଖା ନଦୀ ପଠାରୁ ବାଲି ଖନନ କରାଯାଇଥିଲା ।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ,
ଛତିଶଗଡ, ଝାଡଖଣ୍ଡ ସହ ସୀମା ସେୟାର କରୁଛି । ଐତିହାସିକ, କାଟୋଗ୍ରାଫିକ୍ ଓ ଭୌଗଳିକ କାରଣରୁ ଓଡିଶାର ଏହି
ପଡୋଶୀ ରାଜ୍ୟ ଗୁଡିକ ସହ ସୀମା ତଥା ଜଳ ବିବାଦର ଏକ ଦୀର୍ଘ ଇତିହାସ ରହିଛି ।
ଓଡିଶା ରାଜ୍ୟ ଗଠନ ହେବା ପାଇଁ ଅନେକ ମାଇଲଖୁଂଟ ଅତିକ୍ରମ କରିବା ସହିତ ଏହି ସମୟରେ ଅନେକ କଷ୍ଟ ଦେଖିଛି ।
ତେବେ ଭାଷାଭିତିକ ରାଜ୍ୟ ଭାବରେ ଓଡିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା ।
ମାତ୍ର ଏହାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେ ସେ ସମୟରେ ଅନେକ ଓଡିଆ ଭାଷାଭାଷୀ ଗାଁ ମାଡ୍ରାସ, ବିହାର
ଏବଂ ବଙ୍ଗାଳ ପ୍ରଦେଶର ସୀମା ମଧ୍ୟରେ ରହିଯାଇଥିଲା । ସ୍ୱାଧୀନତୋର ଭାରତର ପ୍ରାରମ୍ଭରେ ହୋଇଥିବା ଓଡିଶା
ପୁନଃଗଠନର ଦ୍ୱିତୀୟ ପର୍ଯ୍ୟାୟରେ କୋରାପୁଟ ସମେତ ୨୭ଟି ପ୍ରିନ୍ସଲି ଷ୍ଟେଟ୍ କିମ୍ବା ଗଡଜାତ ଓଡିଶା ସହ ମିଶିଥିଲା
ଏବଂ ୧୯୫୧ ମସିହାରେ ମୟୂରଭଞ୍ଜ ମଧ୍ୟ ଏହି ଧାରାରେ ସାମିଲ ହୋଇଥିଲା । ସ୍ୱାଧୀନ ଭାରତର ପାଂଚଦଶନ୍ଧି
ମଧ୍ୟରେ ଆନ୍ଧ୍ରପ୍ରଦେଶ ୧୯୫୬ ମସିହାରେ ଗଠନ ହୋଇଥିଲା ଏବଂ ୨ ହଜାର ମସିହାରେ ଝାଡଖଣ୍ଡ ଏବଂ ଛତିଶଗଡ
ରାଜ୍ୟ ଗଠନ କରାଯାଇଥିଲା । ଯାହାର ଓଡିଶା ସହିତ ସୀମା ବିବାଦ ରହିଥିଲା ।
ପୂର୍ବ ସୀମା ବିବାଦରୁ ଯାହା ଜଣାପଡେ ଯେ, ଜମିର ସଠିକ୍ ଚିତ୍ରଣରୁ ଉପୁଜୁଥିବା ବିବାଦ ବସବାସ କରୁଥିବା ଲୋକଙ୍କ
ସମସ୍ୟାକୁ ଲୁଚାଇ ଦେଇଥାଏ । ଏହି ପରିସ୍ଥିତିର ସାମଗ୍ରିକ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ସୀମାର ଉଭୟ ପାଶ୍ୱର୍ରେ
ରହୁଥିବା ଲୋକଙ୍କ ବିକାଶ ତଥା ଭିତିଭୂମି ଆହ୍ୱାନ ଯଥା ଦୁର୍ଗମ ଅଂଚଳରେ ଉତମ ସଂଯୋଗ ସ୍ଥାପନା ସହ ଭିତିଭୂମି
ଯୋଗାଇବା, ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ସୁନିଶ୍ଚିନ୍ତ କରିବା ଏବଂ ନକ୍ସଲ ସମସ୍ୟାକୁ ମିଳିତ
ଭାବେ ଦମନ କରିବା ଦିଗରେ ଧ୍ୟାନ ଦେବା ଉଚିତ୍ ।
ସୀମାନ୍ତ ଅଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ବାଣିଜ୍ୟିକ କାରବାର ଏବଂ ରୋଜଗାର ତଥା ସାମଗ୍ରୀ
ପରିବହନ ଭଳି ସାମାଜିକ-ଅର୍ଥନୈତିକ ବାସ୍ତବତାକୁ ପ୍ରଶଂସା କରିବା ମଧ୍ୟ ଆବଶ୍ୟକ । ସୀମା ବିବାଦ ଫଳରେ ଏହାର
ପ୍ରଭାବ ଏହି ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ଉପରେ ରହୁଛି । ତେବେ କାଗଜରେ ସୀମା ସମ୍ପୂର୍ଣ୍ଣ ନିର୍ଦ୍ଧାରିତ
ଥିବା ମନେହୁଏ କିନ୍ତୁ ସୀମାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ସାଂସ୍କୃତିକ, ସାମାଜିକ ନୀତି,
ଭାଷାର ସମ୍ପର୍କ ରହୁଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking