26.1 C
Bhubaneswar
Friday, March 29, 2024
Homeଓଡିଶାଶିକ୍ଷାବିତ୍‌, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ଅସନ୍ତୋଷ ଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ...

ଶିକ୍ଷାବିତ୍‌, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ଅସନ୍ତୋଷ ଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅବଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଉପରେ ପ୍ରଫେସର ଏମ.ସି ଦାସ ଏବଂ ପ୍ର୍ରଫେସର ଜି.ବି.ଏନ୍ ଚଇନିଙ୍କ
ଅଭିଯୋଗ ପତ୍ରକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀଙ୍କ ଚିଠି

– ପ୍ରଧାନମନ୍ତ୍ରୀଙ୍କ ନୂଆ ଶିକ୍ଷାନୀତି-୨୦୨୦ରେ ଶିକ୍ଷାନୁଷ୍ଠାନକୁ ସ୍ୱାୟତତା ମିଳୁଛି
– ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ଅଧିନିୟମରେ ଶିକ୍ଷାନୁଷ୍ଠାନକୁ ସ୍ୱାୟତତା ଓ ସ୍ୱତନ୍ତ୍ରତା କମିଯାଇଛି
– ବିଶ୍ୱବିଦ୍ୟାଳୟ ସ୍ୱାୟତତା ଉପରେ ହସ୍ତକ୍ଷେପ ନେଇ ରାଜ୍ୟ ଶିକ୍ଷାବିତ୍ ମହଲରେ ତୀବ୍ର ପ୍ରତିକ୍ରିୟା
– ରାଜ୍ୟ ସରକାର ରାଜ୍ୟର ଉଚ୍ଚ ଶିକ୍ଷା ବ୍ୟବସ୍ଥାର ସ୍ୱାୟତତାକୁ ବ୍ୟାପକ ଭାବରେ ସଙ୍କୁଚିତ କରୁଥିବା
ଅଭିଯୋଗ
– ଶିକ୍ଷକ ଚୟନ ପ୍ରକ୍ରିୟାରେ ଓଡିଶା ଲୋକସେବା ଆୟୋଗକୁ ଦାୟିତ୍ୱ ଦିଆଯିବା ବିଶ୍ୱବିଦ୍ୟାଳୟର
ଶୈକ୍ଷିକ ବାତାବରଣକୁ ନଷ୍ଟ କରିବ
– ସିଣ୍ଡିକେଟକୁ ଅମଲା ସର୍ବସ୍ୱ କରାଯାଇଛି ଏବଂ ଶିକ୍ଷକ ଓ ଅଣଶିକ୍ଷକ ଚୟନରେ ବିଶ୍ୱବିଦ୍ୟାଳୟର
କୁଳପତି ଗୌଣ ହୋଇଛନ୍ତି
– ଅଡିଟ୍ ରିପୋର୍ଟ ବିଧାନସଭାକୁ ନଯିବା ଶିକ୍ଷାବିତ୍‌ଙ୍କ ନାପସନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର, – ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ରାଜ୍ୟ
ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତନ ଆଣିବା ପରିପ୍ରେକ୍ଷୀରେ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କ ପାଖକୁ ଚିଠି ଲେଖି ଏ ସମ୍ବନ୍ଧରେ ତାଙ୍କୁ ଅବଗତ
କରାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଓଡିଶା ବିଶ୍ୱବିଦ୍ୟାଳୟ
ଅଧ୍ୟାଦେଶକୁ ନେଇ ଶିକ୍ଷାବିତ୍‌, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ଅସନ୍ତୋଷ ଥିବା ନେଇ ଶ୍ରୀ ପ୍ରଧାନ କେନ୍ଦ୍ର
ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିବା ସହ ଏହି ମାମଲାରେ ହସ୍ତକ୍ଷପେ କରିବାକୁ ଅନୁରୋଧ
କରିଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟର ଉଚ୍ଚ ଶିକ୍ଷା ବ୍ୟବସ୍ଥାର ସ୍ୱାୟତତାକୁ ବ୍ୟାପକ ଭାବରେ ସଙ୍କୁଚିତ କରାଯିବା
ନେଇ ରାଜ୍ୟର ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ
କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ପ୍ରଫେସର ଏମ.ସି ଦାସ ଏବଂ ପ୍ର୍ରଫେସର ଜି.ବି.ଏନ୍ ଚଇନିଙ୍କ ଦ୍ୱାରା ତାଙ୍କୁ
ପ୍ରଦାନ କରିଥିବା ଅଭିଯୋଗ ପତ୍ରକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପଠାଇବା ସହ ସେମାନେ ଉଲ୍ଲେଖ କରିଥିବା ପ୍ରସଙ୍ଗ
ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ବିଶ୍ୱବିଦ୍ୟାଳୟ ମାନଙ୍କର ସ୍ୱାୟତତାକୁ ସଙ୍କୁଚିତ କରିବା ପାଇଁ
ଓଡିଶାବିଶ୍ୱବିଦ୍ୟାଳୟ ଅଧିନିୟମ -୧୯୮୯କୁ ପରିବର୍ତନ କରିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ
ଅଧିନିୟମ-୨୦୦୫କୁ ଉଚ୍ଛେଦ କରି ବିଶ୍ୱବିଦ୍ୟାଳୟ ଗୁଡିକୁ ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ଅଧୀନକୁ
ଅଣାଯାଇଛି ।
ସିଣ୍ଡିକେଟ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କ୍ଷୁର୍ଣ୍ଣ କରି ଏହାକୁ ଅମଲା କେନ୍ଦ୍ରିକ କରିବା ପାଇଁ ରାଜ୍ୟ ସରକାର ତାଙ୍କ
ଅଧ୍ୟାଦେଶରେ ବ୍ୟବସ୍ଥା କରିଥିବା କୂଳପତି ସର୍ଚ୍ଚ କମିଟିରେ ସରକାରଙ୍କ ପ୍ରତିନିଧି ରହିବାର ବ୍ୟବସ୍ଥା
ଜବରଦସ୍ତି ଲଦିଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସରକାରୀ ଅଫିସର ରେଜିଷ୍ଟରଙ୍କୁ ସିଣ୍ଡିକେଟର
ସମ୍ପାଦକ କରାଯିବାର ବ୍ୟବସ୍ଥା କରାଯାଇଛି ।
ପ୍ରଫେସର, ଆସିଷ୍ଟାଂଟ ପ୍ରଫେସର ଓ ଫାକଲଟି ଚୟନ ପ୍ରକ୍ରିୟାରେ ବିଶ୍ୱବିଦ୍ୟାଳୟ ଭୂମିକାକୁ ଶେଷ କରି
ଓଡିଶା ଲୋକସେବା ଆୟୋଗକୁ ଏହି ଦାୟିତ୍ୱ ଦିଆଯାଇଛି । ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ
ନଷ୍ଟ କରିବ । ଏହାସହ ଅଣ ଶିକ୍ଷକ ପଦରେ ଚାକିରି ନେବା ପାଇଁ ଷ୍ଟାଫ୍ ସିଲେକକ୍ସନ କମିଶନକୁ ଦାୟିତ୍ୱ
ନେଇ କୁଳପତିଙ୍କ ନିୟନ୍ତ୍ରିତ ବ୍ୟବସ୍ଥାକୁ ସମାପ୍ତ କରାଯାଇଛି ।
ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରିବାର ପରମ୍ପରାକୁ ଶେଷ କରାଯାଇଛି ।
ଓଡିଶାରେ ଅଡିନାନ୍ସ ମାଧ୍ୟମରେ କରାଯାଇଥିବା ଏହି ପରବର୍ତନ ଅନ୍ୟ ରାଜ୍ୟର ବ୍ୟବସ୍ଥାର ବିରୁଦ୍ଧାଚରଣ
କରୁଛି । ଶିକ୍ଷା ସାମ୍ବିଧାନିକ ବ୍ୟବସ୍ଥାରେ ମିଳିତ ତାଲିକାରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ଆଇନ କେନ୍ଦ୍ର
ନୀତିର ବିରୁଦ୍ଧାଚରଣ କରିପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଆଇନଗତ ଶିକ୍ଷା ବ୍ୟବସ୍ଥା ଅନୁସାରେ ଆନ୍ଧ୍ର ଉସମାନିଆ ୟୁନିଭରସିଟି ଶିକ୍ଷକ ସଂଘ ବନାମ ଆନ୍ଧ୍ରପ୍ରଦେଶ
ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ସେ ରାଜ୍ୟର ଏପରି ଆଇନକୁ ଖାରଜ କରିଥିବା ପରିପ୍ରେକ୍ଷୀରେ ଓଡିଶାର
ଏହି ଆଇନ କୋର୍ଟରେ ଖାରଜ ହେବାର ସମ୍ଭାବନା ଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୨୦୨୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଜାତୀୟ ଶିକ୍ଷାନୀତି-
୨୦୨୦ର ଶିକ୍ଷାନୁଷ୍ଠାନ ମାନଙ୍କୁ ସ୍ୱାୟତତା ମାଧ୍ୟମରେ ଶିକ୍ଷା ଅନୁସନ୍ଧାନକୁ ଆଗକୁ ବଢାଇବା ପାଇଁ ନୀତିର
ବିରୋଧାଚରଣ କରୁଛି ବୋଲି ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରାଇବା ସହ ବିଶ୍ୱବିଦ୍ୟାଳୟ ଛାତ୍ର,
ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking