ଏସେଲ୍ ଓ ରୁଙ୍ଗଟା ଖଣିରେ ଗ୍ରାମବାସୀଙ୍କ ଧାରଣା : ‘ଖଣିରେ କାମ ଦିଅ, ନହେଲେ ବିଷ ଦିଅ’

ଯୋଡ଼ା : ଜୁରୁଡିସ୍ଥିତ ଏସେଲ ଖଣି ଏବଂ ଜଜାଙ୍ଗସ୍ଥିତ ରୁଙ୍ଗଟା ଖଣିରେ କର୍ମ ନିଯୁକ୍ତି ଦାବିରେ ଯୋଡ଼ା ଖଣି ମଣ୍ଡଳ ଅଧୀନ ଜଜାଙ୍ଗ, ଜଲହରି, ଜୁରୁଡି ପଞ୍ଚାୟତର ୩ହଜାରରୁ ଊଦ୍ଧ୍ୱର୍ ବାସିନ୍ଦା ବୁଧବାର ଖଣି ଫାଟକ ସମ୍ମୁଖରେ ଧାରଣାରେ ଦେଇଥିବା ଦେଖିବାକୁ ମିଳିଛି । ସେମାନେ ଦାବି କରିଛନ୍ତି ଯେ, ଆମକୁ ଖଣିରେ କାମ ଦିଅ, ନଚେତ୍ ଆମକୁ ବିଷ ଦେଇ ମାରିଦିଅ । କ୍ଷୋଭର ସହ ସେମାନେ କହିଛନ୍ତି ଯେ, ଅବ୍ୟବସ୍ଥିତ ଢଙ୍ଗରେ ଖଣି କାର୍ଯ୍ୟ ଯୋଗୁଁ ଆମେ ସବୁକିଛି ହରାଇଛୁ । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଆଦିବାସୀମାନଙ୍କର ଜୀବିକା ଗଲା, ଯାହା କିଛି ଚାଷ ଜମି ଥିଲା ମାତ୍ରାଧିକ ପ୍ରଦୂଷଣ ଏବଂ ଜଳାଭାବରୁ ବନ୍ଧ୍ୟା ପାଲଟିଲା । ଏପରିସ୍ଥଳେ ବଞ୍ଚିରହିବା ଆମ ପକ୍ଷେ ଦୁର୍ବିସହ ହୋଇପଡିଛି, ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ପଡୁଛି । ଖଣି ଯେମିତି ଆମ ପାଇଁ ଆଶିର୍ବାଦ ବଦଳରେ ଅଭିଶାପ ପାଲିଟିଯାଇଛି । ଏପରି ସ୍ଥଳେ ଖଣିରେ ହେଉଥିବା ପରିବହନ କାର୍ଯ୍ୟ କୌଣସି ଏକଚାଟିଆ ଠିକାଦାର ମାଧ୍ୟମରେ ନକରି ଗ୍ରାମବାସୀମାନଙ୍କ ମାଧ୍ୟମରେ କରାଯିବାକୁ ତିନୋଟି ପଞ୍ଚାୟତର ବାସିନ୍ଦାଙ୍କୁ ନେଇ ଗଠିତ ମାରାଂ ବୁରୁ ଡେଭେଲପ୍ମେଣ୍ଟ କମିଟି ପକ୍ଷରୁ ଦୀର୍ଘ ୨ବର୍ଷ ହେବ ଦାବି ହୋଇଆସୁଛି । ଏହି ପରିବହନ ଲାଭାଂଶରେ ଖଣି ପ୍ରଭାବିତ ତିନୋଟି ପଞ୍ଚାୟତର ଗ୍ରାମବାସୀମାନେ ଗୁଜୁରାଣ ମେଣ୍ଟାଇ ପାରିଥାନ୍ତେ । କମ୍ପାନୀ ବାରମ୍ବାର ସେମାନଙ୍କ ସହ ପ୍ରତାରଣ କରିଆସିଥିବା ବେଳେ ଯଦି କମ୍ପାନୀ ତା’ର ପ୍ରତିଶ୍ରୁତି ରକ୍ଷା କରି ନପାରେ ଆମ୍ଭେମାନେ ଧାରଣାରୁ କେବେହେଲେ ଓହରିବୁ ନାହିଁ, ବରଂ କମ୍ପାନୀ କିମ୍ବା ପ୍ରଶାସନ ଆମକୁ ବିଷ ଦେଇ ମାରିଦେଉ ବୋଲି କମିଟିର ସଭାପତି ଅମର ମାଝୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପୁଲିସ ଅଧୀକ୍ଷକ, ବଡ଼ବିଲ ତହସିଲଦାର, ଏସ୍ଡିପିଓ, ବାମେବାରୀ ଥାନାକୁ ଅବଗତ କରାଇବା ସହିତ ଏସେଲ ମାଇନିଙ୍ଗ ଏବଂ ରୁଙ୍ଗଟା କମ୍ପାନୀର ସାଧାରଣ ପରିଚାଳକଙ୍କୁ ଏକ ଚରମପତ୍ର ଲେଖି ଦେଇଥିବା ଜଣାପଡିଛି । ତେବେ ଉକ୍ତ ଖଣିରେ ପୂର୍ବରୁ ଏକ ଚାଟିଆ ପରିବହନ କରୁଥିବା ଏକ ଠିକା ସଂସ୍ଥା ଶତାଧିକ ମହିଳା ପୁରୁଷଙ୍କୁ ଏକାଠି କରି ଆନ୍ଦୋଳନକାରୀଙ୍କୁ ବିରୋଧ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ପୁଲିସକୁ ଲାଠି ଚାଳନା କରିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡିଛି ।