ଦାଦନର ଦୁଃଖ : ସ୍ତ୍ରୀ, ପୁଅ ପାଇଁ ଜୀବନ ହାରିଲେ ସ୍ୱାମୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ଏକ ଦାଦନ ଶ୍ରମିକଙ୍କ କରୁଣ କାହାଣୀ ଦେଖିବାକୁ ମିଳିଛି । ସ୍ତ୍ରୀ ଓ ପୁଅକୁ ଦାଦନ ଖଟିବାକୁ ଯିବା ଦେଖି ସହିନପାରିବାରୁ ଯୁବକ ଜଣକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ବେଲଟୁକରୀ ଥାନା ଭାନପୁର ଗାଁ ଶବରପଡ଼ାରେ ।
ସୂଚନା ଅନୁଯାୟୀ, ଗାଁରେ ଗୁଲାବ ଶବର (୨୫) ସ୍ତ୍ରୀ ଦହନା ଶବର (୨୩) ଓ ପୁଅ ଅର୍ଜୁନ ଶବରଙ୍କୁ ନେଇ ରୁହନ୍ତି । ତେବେ ଗୁଲାବଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଚଳିବାରରେ କଷ୍ଟ ହେଉଥିଲା । ପରେ ଜଣେ ଦଲାଲଙ୍କ ଠାରୁ ଅଗ୍ରୀମ ନେଇ ଦାଦନ ଯିବାକୁ ପ୍ରସ୍ତୁତ ହୋଇଥିଲେ ଗୁଲାବଙ୍କ ସ୍ତ୍ରୀ । ଦାଦନ ଖଟିବା ପାଇଁ ଉତ୍ତର ପ୍ରଦେଶ ରାଜ୍ୟର ପ୍ରୟାଗରାଜକୁ ବାହାରିଥିଲେ । ସ୍ଥାନୀୟ ଖରିଆରରୋଡ ରେଳ ଷ୍ଟେସନରୁ ସ୍ତ୍ରୀ ଏବଂ ପୁଅ ଟ୍ରେନରେ ଚଢ଼ିବା ପରେ ଗୁଲାବ ଚଢ଼ି ପାରିନଥିଲେ । ଫଳରେ ମାନସିକ ଚାପରେ ସେଠାରେ ଏଣେତେଣେ ଘୁରି ବୁଲିଥିଲେ । ଶେଷରେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇ ସେ ନିଜ ସାଙ୍ଗକୁ ସୋମବାର ଦିନ ଫୋନ ଯୋଗେ ଜଣାଇଥିଲେ । ସାଙ୍ଗ ବାରଣ କରିବା ସହିତ ତୁରନ୍ତ ସେଠାରେ ପହଞ୍ଚୁଛି ବୋଲି ଆଶ୍ୱାସନା ଦେଇଥିଲେ । ହେଲେ ଏହା ପୂର୍ବରୁ ସେ ରେଳଧାରଣାରେ ଛିଡ଼ା ହୋଇ ରହିଥିଲେ । ସେହି ସମୟରେ କୋଇଲା ବୋଝେଇ ଟ୍ରେନ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଖବରପାଇ ଗୁଲାବଙ୍କ ସମ୍ପର୍କିୀୟ ଖରିଆର ରୋଡ ଷ୍ଟେସନରେ ପହଞ୍ôଚ ଥିଲେ ମଧ୍ୟ ଶବ ଉଦ୍ଧାର କରାଯାଇନଥିଲା । ସୋମବାର ବିଳମ୍ବିତ ରାତିରେ ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଜୋଙ୍କ ପୁଲିସ କହିଛି ।