26.1 C
Bhubaneswar
Friday, March 29, 2024
Homeଓଡିଶାବଲାଙ୍ଗିରରେ ଧାନକିଣା ବୈଠକ

ବଲାଙ୍ଗିରରେ ଧାନକିଣା ବୈଠକ

ମିଛ କହୁଛନ୍ତି ମନ୍ତ୍ରୀ, ଲୁଟୁଛନ୍ତି ଅଧିକାରୀ- ନରସିଂହ
ବଲାଙ୍ଗିର, – ଚାଷୀଙ୍କ ଠରୁ ଧାନ କିଣିବା ପାଇଁ, ଜଳସେଚିତ ଜମିରୁ ଏକର ପିଛା ୧୯କ୍ୱିନ୍ଟାଲ ଓ ଅଣଜଳସେଚିତ ଜମିରୁ ଏକର ପିଛା ୧୩ କ୍ୱିନ୍ଟାଲ ଧାନ କିଣିବାର ସରକାରୀ ବ୍ୟବସ୍ଥା ରହିଛି । ଗୋଟିଏ ପଟେ ମନ୍ତ୍ରି ବିଭିନ୍ନ ସମୟରେ, ବଲାଙ୍ଗିର ଜିଲ୍ଲାରେ ୩୦ ରୁ ୫୦ପ୍ରତିଶତ ଚାଷଜମି ଜଳସେଚନ ହେଉଥିବା ତଥ୍ୟ ପ୍ରଦାନ କରୁଥିବା ବେଳେ, ଧାନ କିଣା ଅଧିକାରୀ ମାନେ କିପରି ଭାବେ ଜିଲ୍ଲାର ସମଗ୍ର ଜମି ଅଣଜଳସେଚିତ ଜମି ବୋଲି ଚାଷୀଙ୍କ ଠାରୁ ଏକର ପିଛା ୧୩ କ୍ୱିନ୍ଟାଲ ଧାନ କିଣୁଛନ୍ତି । ତେବେ ଜିଲ୍ଲାର ଜଳସେଚିତ ଜମି ଗଲା କୁଆଡେ, ନା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ, ଜିଲ୍ଲାର ଏତେ ଗୁଡାଏ ଜଳସେଚିତ ଜମିରେ ଧାନ ଚାଷ ହେଉନାହିଁ ! କିଏ ଠକୁଛି, ମନ୍ତ୍ରୀ ନା ଅଧିକାରୀ ବୋଲି ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମ ଉନ୍ନୟନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନକିଣା ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ । ଆହୁରି, ଜିଲ୍ଲାର କୌଣସି ଧାନ ବିକ୍ରୟ କେନ୍ଦ୍ରରେ ଧାନର ମାନ ନିର୍ଦ୍ଧାରଣ ଯନ୍ତ୍ର ନଥିବା ବେଳେ ଅଧିକାରୀମାନେ କିଭଳିି ଧାନ କିଣୁଛନ୍ତି ତଥା ଚାଷୀମାନଙ୍କ ଧାନର ମୁଲ୍ୟ ନିର୍ଦ୍ଦାରଣ କିପରି କରୁଛନ୍ତି । ତେବେ ଚାଷୀମାନେ ତାଙ୍କ କଷ୍ଟ ଅର୍ଜିତ ଧାନର ମୁଲ୍ୟ ନପାଇ ଲୁଟର ଶିକାର ହେଉଥିବା ବେଳେ ଏହାର ଦାୟୀ କିଏ ବୋଲ ମଧ୍ୟ ପଚାରିଥିଲେ । ସେହିପରି ନିୟମାନୁସାରେ ଏଫ୍‌ଏକ୍ୟୁ ଓ ନନ୍ ଏଫ୍‌ଏକ୍ୟୁ ଧାନ ପାଇଁ ଦୁଇଟି ଭିନ୍ନ୍ ରେଜିଷ୍ଟର କରାଯାଉ ନଥିବା ବେଳେ ବିଭିନ୍ନ କେନ୍ଦ୍ରରେ ଚାଷୀ ଚିହ୍ନଟ ମେସିନ କାମ କରୁ ନଥିବା ମଧ୍ୟ ଜନ ପ୍ରତିନିଧୀଙ୍କ ନଜରକୁ ଆସିଥିଲା । ଉତ୍ତରରେ ବିଭାଗୀୟ କର୍ମଚାରୀ କିଛି ଜାଗାରେ ଧାନର ମାନ ନିର୍ଦ୍ଧାରଣ ଯନ୍ତ୍ର ଚାଲୁ ନଥିବା ବେଳେ ଉପରୋକ୍ତ ରେଜିଷ୍ଟର ନଥିବା ସ୍ୱୀକାର କରିଥିଲେ । ତେଣୁ ବିଧାୟକ ଶ୍ରୀ ମିଶ୍ର ମନ୍ତ୍ରୀ ମିଛ କହୁଥିବା ବେଳେ, ଅଧିକାରୀ ମାନେ ଜିଲ୍ଲା ସମସ୍ତ ଚାଷୀଙ୍କୁ ମିଳିମିଶି ଲୁଟ କରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ସରକାରଙ୍କ ଦ୍ୱାରା ଘୋଷିତ ଶେଷ ଧାନକିଣା ତାରିଖ ମାର୍ଚ୍ଚ ୩୧ ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ଧାନକିଣା ବନ୍ଦ ହୋଇଯିବାକୁ ନେଇ ପ୍ରଶ୍ନ କରିଥିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ଆହୁରି ମଧ୍ୟ ଠିକଣା ସମୟରେ ସରକାର ଟୋକନ ଯୋଗାଇବାରେ ବିଫଳ ହେଉଥିବାରୁ ଚାଷୀମାନେ କ୍ଷତିର ସମ୍ମୁଖିନ ହେଉଛନ୍ତି ବୋଲି ଉପସ୍ଥିତ ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ଆଲୋଚନାରେ ଉପସ୍ଥିତ ଥିବା କୃଷକନେତା ଡ. ସୁଧିର ପରିଚ୍ଛା ଓ ଜତି ପଧାନ ଗତ ଫେବୃୟାରୀ ୧୪ ପୂର୍ବରୁ ମଣ୍ଡିରେ ଥିବା ଧାନ କାହିଁକି ଆଜି ପର୍ଯ୍ୟନ୍ତ କିଣାଯାଇ ପାରିଲା ନାହିଁ ସେ ଉପରେ ପ୍ରଶ୍ନ କରିଥିଲେ ।
ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଧାନକିଣା ସଂକ୍ରାନ୍ତୀୟ ସମସ୍ତ ଅଧିକାରୀ ବିଧାୟକ, ସାଂସଦ ପ୍ରତିନିଧି, ଜିଲ୍ଲା ପରିଷଦ ସଭାପତି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି, ଚାଷୀନେତା, ମିଲ ମାଲିକ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଜିଲ୍ଲାର ସମସ୍ତ ଚାଷୀଙ୍କ ବଳକା ଧାନ ସବୁ ଆସନ୍ତା ୩ ତାରିଖ ସୁଦ୍ଧା ତାଙ୍କ ନିକଟସ୍ଥ ଧାନ ବିକ୍ରୟ କେନ୍ଦ୍ରରେ ମହଜୁଦ କରିବାକୁ ଅନୁରୋଧ କରିବା ସହ ସମସ୍ତ ଅଧିକାରୀମାନଙ୍କୁ ଚାଷୀମାନଙ୍କ ପାଖକୁ ଏହି ସୁଚନା ଶିଘ୍ର ପହଞ୍ଚାଇ ଆଜିଠୁ ତତ୍ପରତା ସହ କାମ କରିବାକୁ ଅନୁରୋଧ କରିଥିଲେ ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଚାଷୀଙ୍କ ଧାନକିଣା ପାଇଁ ଟୋକନର ଅବ୍ୟବସ୍ଥା ଯୋଗୁଁ ସାରା ରାଜ୍ୟ ବିଶେଷ କରି ପଶ୍ଚିମାଂଚଳର ଚାଷୀମାନଙ୍କର ଧାନ ହଜାର ହଜାର ବସ୍ତା ବିଭିନ୍ନ ମଣ୍ଡିମାନଙ୍କରେ ପଡି ରହିଛି । ପାଗ ଖରାପ ହେଉଥିବା ଯୋଗୁଁ ଧାନର ଆର୍ଦ୍ରତା ବଢି ତାର ମାନ ହରାଉଛି । ଆହୁରି ମଧ୍ୟ ପେକ୍ସ ଅଧିକାରୀଙ୍କ ଅପାରଗତା ତଥା ଚାଷୀ ଶୋଷଣ ମନୋବୃତ୍ତି ଯୋଗୁଁ ଚାଷୀମାନେ ଅଭାବି ବିକ୍ରି ଶିକାର ହୋଇ ଘୋର ଆର୍ଥିକ ଦୁସ୍ଥିତିର ସମ୍ମୁଖିନ ହେଉଛନ୍ତି । ବିଧାନସଭାର ଚଳିତ ଅଧିବେଶନରେ ଚାଷୀ ସମସ୍ୟା ତଥା ଧାନର ଅଭାବି ବିକ୍ରିକୁ ନେଇ ଗୃହରେ ଅନେକବାର ତୁମ୍ବି ତୋଫାନ ହେବା ଯୋଗୁଁ ସରକାର ସମସ୍ତ ଜିଲ୍ଲାରେ ଆଜିର ଦିନରେ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଧାନକିଣା ବୈଠକ ନିଷ୍ପତ୍ତି ନେଇଥିଲେ । ଏହି ବୈଠକରେ ପଞ୍ଜିକୃତ ଚାଷୀମାନେ ଯେପରି ତାଙ୍କର ସମସ୍ତ ବଳକା ଧାନ ଠିକ୍ ସମୟ ମଧ୍ୟରେ ବିକ୍ରି କରିପାରିବେ ତାହାକୁ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking