30.1 C
Bhubaneswar
Wednesday, April 24, 2024
Homeଖେଳଅଷ୍ଟ୍ରେଲିଆନ୍ ଓପନ୍ : ମେଡଭେଡେଭ୍ ଓ ସାବାଲେଙ୍କା ବିଜୟୀ

ଅଷ୍ଟ୍ରେଲିଆନ୍ ଓପନ୍ : ମେଡଭେଡେଭ୍ ଓ ସାବାଲେଙ୍କା ବିଜୟୀ

ମେଲବର୍ଣ୍ଣ : ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍‌ର ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ରୁଷିଆର ଡାନିଲ୍ ମେଡଭେଡେଭ୍ ଓ ବେଲାରୁଷ୍‌ର ଆରିନା ସାବାଲେଙ୍କା । ପୁରୁଷ ଓ ମହିଳା ସିଙ୍ଗଲ୍ସର ଏହି ଦୁଇ ଦ୍ୱିତୀୟ ସିଡ୍ ଖେଳାଳିଙ୍କ ମଧ୍ୟରୁ ମେଡଭେଡେଭ୍ ତାଙ୍କ ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଶନିବାର ନେଦରଲାଣ୍ଡ୍‌ସର ବୋଟିକ୍ ଭାନ୍ ଡି ଜାଣ୍ଡସ୍କଲ୍ପଙ୍କୁ ୬-୪,୬-୪,୬-୨ରେ ପରାସ୍ତ କରିଥିବା ବେଳେ ସାବାଲେଙ୍କା ୩୧ତମ ସିଡ୍ ଚେକ୍ ଗଣରାଜ୍ୟର ମାର୍କେଟା ଭୋଣ୍ଡ୍ରୋସୋଭାଙ୍କୁ ୪-୬,୬-୩, ୬-୧ରେ ପରାସ୍ତ କରିଛନ୍ତି । ମ୍ୟାଚ୍‌ଟିକୁ ଏକ ଘଣ୍ଟା ୫୫ ମିନିଟ୍‌ରେ ଶେଷ କରିବା ସହ ୨୫ ବର୍ଷୀୟ ମେଡଭେଡେଭ୍ ମେଲବର୍ଣ୍ଣ ପାର୍କରେ କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରିକ୍ୱାର୍ଟର୍‌ରେ ପହଞ୍ଚିଛନ୍ତି । ଏହାଛଡ଼ା ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ମୁକାବିଲାରେ ଗ୍ରୀସ୍‌ର ଚତୁର୍ଥ ସିଡ୍ ଷ୍ଟେଫାନୋସ୍ ସିଟ୍‌ସିପାସ୍ ଫ୍ରାନ୍ସର ବେନୋଟ୍ ପେୟରଙ୍କୁ ୬-୩, ୭-୫, ୬-୭(୨/୭), ୬-୪ରେ ପରାସ୍ତ କରି ପ୍ରିକ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି ।

ଆହୁରି ୨୭ତମ ସିଡ୍ କ୍ରୋଏସିଆର ମାରିନ୍ ସିଲିକ୍ ୨ ଘଣ୍ଟା ୩୬ ମିନିଟ୍ ଅବଧିବିଶିଷ୍ଟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପଞ୍ଚମ ସିଡ୍ ଆନ୍ଦ୍ରେ ରୁବଲେଭ୍‌ଙ୍କୁ ପରାସ୍ତ କରିଛନ୍ତି । ସେ ତାଙ୍କର ରୁଷୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୭-୫, ୭-୬(୭/୩), ୩-୬, ୬-୩ରେ ହରାଇଛନ୍ତି । ଏଥିସହ ୩୩ ବର୍ଷୀୟ ପୂର୍ବତନ ରନର୍ସଅପ୍ ସିଲିକ୍ ଅଷ୍ଟମ ଥର ପାଇଁ ଶେଷ ୧୬ ଖେଳାଳି ମଧ୍ୟରେ ସାମିଲ୍ ହୋଇଛନ୍ତି । ସିଲିକ୍ ଗତ ୨୦୧୮ରେ ଏଠାରେ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ ମଧ୍ୟ ରାଫେଲ୍ ନାଡାଲଙ୍କଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ । ସେ ପ୍ରିକ୍ୱାର୍ଟର୍‌ରେ କାନାଡାର ନବମ ସିଡ୍ ଫେଲିକ୍ସ ଆଗର୍‌-ଆଲିଆସିମ୍‌ଙ୍କୁ ଭେଟିବେ ।

ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ଶନିବାର ଖେଳାଯାଇଥିବା ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ରୋମାନିଆର ଚତୁର୍ଦ୍ଦଶ ସିଡ୍ ସିମୋନା ହାଲେପ୍ ପ୍ରତିଦ୍ୱନ୍ଦ୍ୱୀ ଡାଙ୍କା କୋଭିନିକ୍‌ଙ୍କୁ ୬-୨, ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିବା ବେଳେ ଊନବିଂଶ ସିଡ୍ ବେଲଜିୟମ୍‌ର ଏଲିସ୍ ମର୍ଟନ୍ସ ଚୀନ୍‌ର ଝାଙ୍ଗ୍ ଶୁଆଇଙ୍କୁ ୬-୨, ୬-୨ରେ ଏବଂ ସପ୍ତମ ସିଡ୍ ପୋଲାଣ୍ଡ୍‌ର ଇଗା ସ୍ୱିଆଟେକ୍ ୨୫ତମ ସିଡ୍ ରୁଷିଆର ଦାରିଆ କାସାଟକିନାଙ୍କୁ ୬-୨, ୬-୩ରେ ହରାଇ ପ୍ରିକ୍ୱାର୍ଟର୍‌ରେ ପ୍ରବେଶ କରିଛନ୍ତି । ତା\’ଛଡ଼ା ଦଶମ ସିଡ୍ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ୬-୩, ୨-୬, ୬-୨ରେ ପରାସ୍ତ କରି ରୋମାନିଆର ଅଣସିଡେଡ୍ ଖେଳାଳି ସୋରାନା ସିର୍ଷ୍ଟିଆ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking