ମନ୍ଦିର ଖୋଲାଯିବା ଦାବିରେ ଆଜି ପୁଣି ଘଣ୍ଟ ବଜାଇ ପ୍ରତିବାଦ ଜଣାଇଲେ ସେବାୟତ ସଂଘର କର୍ମୀମାନେ

ମୟୂରଭଞ୍ଜ : ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଆଜି ଦିନ ୯ଘଟିକା ଠାରୁ ୯ମିନିଟ ଯାଏଁ ପୁଣିଥରେ ବାଜିଲା ଘଣ୍ଟା । ଘଣ୍ଟା ବଜାଇ ପ୍ରତିବାଦର ସ୍ବର ଉଠାଇଲେ ମନ୍ଦିର ସେବାୟତ ସଂଘ । ଆଜି ୧୧ ନଭେମ୍ବର ଠାରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ପ୍ରତିଦିନ ଦିନ ୯ ଟା ସମୟରୁ ୯ ମିନିଟ ପାଇଁ ଓଡ଼ିଶାର ସମସ୍ତ ମଠ ,ମନ୍ଦିର , ଧର୍ମାନୁଷ୍ଠାନ ସମ୍ମୁଖରେ ଘଣ୍ଟ ବଜାଇ ସରକାରଙ୍କୁ ପ୍ରତିବାଦ ଜଣାଇବାକୁ ଯୋଜନା କରିଛନ୍ତି ସେବାୟତମାନେ। ବିଗତ ଦିନରେ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ସରକାର ଧର୍ମାନୁଷ୍ଠାନ ଗୁଡିକ ବନ୍ଦ କରିଥିବା ବେଳେ ଖୋଲିବାପାଇଁ ମନ୍ଦିର ସେବାୟତ ସଂଘ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା । ମାତ୍ର ସରକାର ସେବାୟତ ସଂଘର ଅନୁରୋଧକୁ କର୍ଣ୍ଣପାତ ନ କରିବାରୁ ପୂର୍ବରୁ ମଧ୍ୟ ଦୁଇଥର ମନ୍ଦିର ସମ୍ମୁଖରେ ଘଣ୍ଟା ବଜାଇ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ ଜଣାଇ ପୁନର୍ବିଚାର ଦାବିକରି ଆସୁଥିବା ସେବାୟତ ସଂଘ ପକ୍ଷରୁ ଆଜି ମଧ୍ୟ ଘଣ୍ଟା ବଜାଇ ପ୍ରତିବାଦ ଜଣାଯାଇଛି। ସେବାୟତଙ୍କ କହିବା ଅନୁଯାୟୀ ରାଜ୍ୟରେ ବସ ଚଳାଚଳ ଠାରୁ ଆରମ୍ଭ କରି ମଦଦୋକାନ ଖୋଲାଯାଇଛି, ହେଲେ ଧର୍ମାନୁଷ୍ଠାନ ଖୋଲିବାରେ ବିଳମ୍ବ କଣପାଇଁ ଧର୍ମ ଭାବାପନ୍ନ ଓଡ଼ିଆଙ୍କର ଧାର୍ମିକଭାବକୁ କୁଠାରଘାତ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ରାଜ୍ୟ ଗୁଡିକରେ ମନ୍ଦିର ଖୋଲାଯାଇସାରିଛି ହେଲେ ଓଡିଶା ସରକାର ମନ୍ଦିର ଗୁଡିକରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରିଥିବା ଯୋଗୁଁ ଭକ୍ତଙ୍କ ସହାୟତା ରାଶିରୁ ଚଳାଚଳ କରୁଥିବା ସେବାୟତ ମାନେ ପରିବାର ପ୍ରତିପୋଷଣ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁବାର ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ପରେ ଆଜି ଠାରୁ ପୁଣିଥରେ ସେବାୟତ ମାନେ ଧର୍ମାନୁଷ୍ଠାନ ସମ୍ମୁଖରେ ଘଣ୍ଟା ବଜାଇ ସରକାରଙ୍କୁ ମନ୍ଦିର ଖୋଲିବା ପାଇଁ ଦାବି ଜଣାଇବା ପାଇଁ ଚେଷ୍ଟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here