ସରକାରୀ ଗୋଚର ଜମି ଦଖଲକୁନେଇ ଉନ୍ମତ୍ତକାଣ୍ଡ

ମୟୂରଭଞ୍ଜ : ସରକାରୀ ଗୋଚର ଜମି ଦଖଲକୁନେଇ ଉନ୍ମତ୍ତ କାଣ୍ଡ। ବିପକ୍ଷଙ୍କ ମାରଣାନ୍ତକ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ। ଗୋଚର ଜମି ଦଖଲ ବିବାଦରେ ବଳିପଡ଼ିଲା ଗୋଟିଏ ନିରୀହ ଜୀବନ। ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳକ ଛାତ୍ରକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ବିପକ୍ଷ। ଦୁଇ ଅଭିଯୁକ୍ତ ଗିରଫ ଜଣେ ଫେରାର।ତେବେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଜୁଆଳିଭଙ୍ଗା ପଞ୍ଚାୟତ ଅଧିନ ମହୁଲବଣୀ ଗ୍ରାମର ଘଟଣା। ଗୋଚର ଜମି ବାଡିରେ ଘର କରିବାକୁ ନେଇ ହାଇସ୍କୁଲରେ ପଢୁଥିବା ହରେକୃଷ୍ଣ ମହାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟାକଲେ ସେହି ଗ୍ରାମର ତିନିଜଣ । ଦୁଇ ଅଭିଯୁକ୍ତ ଗିରଫ ଜଣେ ଫେରାର ।

ସୂଚନାଯୋଗ୍ୟ ଯେ, ମହୁଲବଣୀ ଗ୍ରାମରେ ଥିବା ଗୋଚର ଜାଗାରେ ରଘୁନାଥ ମହାନ୍ତ ଘର କରି ବାଡଘେରି ଦୀର୍ଘ ୧୦ ବର୍ଷ ଧରି ରହୁଥିବା ବେଳେ ଉକ୍ତ ଗ୍ରାମର କୋମଲ ଲୋଚନ ମହାନ୍ତ, ରଘୁନାଥ ମହାନ୍ତଙ୍କ ବାଡ ଉଠାଇ ଜାଗା ଜୋବର ଦଖଲ ପାଇଁ ଉଦ୍ୟମ କରିଥିଲେ । ଯାହାକୁନେଇ ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ତେବେ ସଂନ୍ଧ୍ୟାରେ ଗୋଚର ଜାଗାରେ ଥିବା ଘରେ ରଘୁନାଥ ମହାନ୍ତ ନ ଥିବା ବେଳେ ତାଙ୍କ ନାତି ହରେକୃଷ୍ଣ ମହାନ୍ତ ଶୋଇଥିଲେ । ହଠାତ ନିଶାଶକ୍ତ ଅବସ୍ଥାରେ କୋମଲ ଲୋଚନ ମହାନ୍ତ ,ଜତିନ୍ଦ୍ର ମହାନ୍ତ ଓ ଶୋଭାକର ମହାନ୍ତ ପହଞ୍ଚି ରଘୁନାଥ ମହାନ୍ତଙ୍କ ନାତିକୁ ପାଟି କରି କହିଥିଲେ ଏଠୁ ପଳାଅ ।

ପରେ ନାତି ହରେକୃଷ୍ଣ ମଧ୍ୟ ବିରକ୍ତ ହୋଇ କହିଥିଲା ଏଠି ପାଟି କର ନାହିଁ ବରଂ ସଂଧ୍ୟାରେ ଗାଁରେ ବସି ଆଲୋଚନା କରିବା । କିନ୍ତୁ ନିଶାସକ୍ତ ଅବସ୍ଥାରେ ଥିବା ତିନି ଜଣ କିଛି ବୁଝିବାକୁ ନାରାଜ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ତିନିଜଣ ଉକ୍ତ ନାବଳକକୁ ମାରପିଟ କରିବାରୁ ସେ ଘର ଛାଡି ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ତିନିଜଣ ଗୋଡ଼ାଇ ଗୋଡ଼ାଇ ହରେକୃଷ୍ଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ପରେ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଗୁରୁତର ଅବସ୍ଥାରେ ହରେକୃଷ୍ଣଙ୍କୁ ବାରମାଇଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠି ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ମୋରଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୋମଲ ଲୋଚନ ମହାନ୍ତ ଫେରାର ହୋଇ ଯାଇଛି । ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here