28.9 C
Bhubaneswar
Wednesday, April 17, 2024
Homeଓଡିଶାସମସ୍ୟା ଘେରୋରେ ଝରାଡିହି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ସମସ୍ୟା ଘେରୋରେ ଝରାଡିହି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

 
ମୟୁରଭଞ୍ଜ- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀଧନର ସୁରକ୍ଷା ଏବଂ ବିକାଶ ପାଇଁ କୋଟି କୋଟି ଟଙ୍କାର ଅନୁଦାନରେ ବହୁ ଯୋଜନା ପ୍ରଣୟନ ସତ୍ତ୍ୱେ ଅବହେଳିତ ତଥା ସମସ୍ୟା ଘେରୋରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର। ଉପଯୁକ୍ତ ବିଲ୍ଡିଂର ଅଭାବ, ପ୍ରାଣୀଧନ ଚିକିତ୍ସକ ଡାକ୍ତରଙ୍କ ପାଇଁ କ୍ବାର୍ଟର ଥାଇ ଶୌଚାଳୟର ଅଭାବ, ଔଷଧ ସଂରକ୍ଷଣ ନିମନ୍ତେ ବିଦ୍ୟୁତ ସଂଯୋଗର ଅଭାବ, କେନ୍ଦ୍ରକୁ ଯିବା ପାଇଁ ଥିବା ରାସ୍ତାରେ ପାଣିଜମି କାଦ ପଚ ପଚ ଅବସ୍ଥା। କେନ୍ଦ୍ର ଏବଂ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ବହୁ ସମସ୍ୟା ମଧ୍ୟରେ ଥାଇ ମଧ୍ୟ ପଶୁପକ୍ଷୀଙ୍କ ସେବା ଯୋଗାଇ ଦେବା ଦିଗରେ ଅବହେଳା ପ୍ରଦର୍ଶନ ନ କରି ସ୍ଥାନୀୟ ଲୋକଙ୍କ ପ୍ରଶଂସିତ ହୋଇପାରିଛନ୍ତି। ତେବେ କେନ୍ଦ୍ରଟିର ଉନ୍ନତିକରଣ କରିବା ଦିଗରେ ସରକାର ଆନ୍ତରିକତା ଦେଖାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଗୃହପାଳିତ ପଶୁପକ୍ଷୀ ଅଧିକ ଉନ୍ନତ ଚିକିତ୍ସା ସେବା ପାଇ ପାରିବା ସହିତ ସରକାରଙ୍କ ପାରିତ ନିୟମ ‘ଜୀବେ ଦୟା’ ଉକ୍ତିର ସାର୍ଥକତା ଲୋକେ ପାଇପାରନ୍ତେ ବୋଲି ମତପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ଏବଂ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆଢୁଆଳରେ ଅବହେଳିତ ରହି ଆସିଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରଟି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ଠାରେ ଅବସ୍ଥିତ। ପ୍ରାଣୀଧନ ଚିକିତ୍ସା କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ଥିବାରୁ ନାନା ସମସ୍ୟା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଚିକିତ୍ସା କେନ୍ଦ୍ରଟି ଝରାଡିହି ସ୍ଥିତ ସାପ୍ତାହିକ ହାଟ ପଡିଆ ପରିସର ମଧ୍ୟରେ ରହିଛି।ବର୍ତ୍ତମାନ ବର୍ଷା ସମୟରେ ହାଟ ପଡିଆର ଗୋଳିଆ ପାଣି ଚିକିତ୍ସା କେନ୍ଦ୍ର ପରିସର ମଧ୍ୟକୁ ପ୍ରବେଶ କରୁଥିବାରୁ ପରିସରରେ ଶିଉଳି ଜମି ରହୁଛି। ଫଳରେ ଗୃହପାଳିତ ପଶୁ ମାନଙ୍କ ଚିକତ୍ସା ପାଇଁ ଆସି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକମାନେ। ଚିକିତ୍ସା କେନ୍ଦ୍ରର ପ୍ରବେଶପଥରେ ବର୍ଷାପାଣି ଜମି କାଦୁଅରେ ପରିପୂର୍ଣ୍ଣ ରହୁଛି। ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ଖସି ପଡିବାର ଭୟ ମଧ୍ୟ ରହୁଛି। ଏହାବ୍ୟତୀତ ଏଠାରେ କାର୍ଯ୍ୟରତ ଚିକିତ୍ସକ ଓ ସହକର୍ମୀମାନେ ମଧ୍ୟ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପରିସର ମଧ୍ୟରେ ଚିକତ୍ସକଙ୍କ ରହିବା ପାଇଁ କ୍ବାର୍ଟର ସୁବିଧା ରହିଛି ହେଲେ ଶୌଚାଳୟ ନଥିବାରୁ ଶୌଚ ଓ ସ୍ନାନ ପାଇଁ ବାହାରକୁ ଯିବାକୁ ପଡୁଥିବାରୁ ଅନେକ ସମୟରେ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲେ ମଧ୍ୟ ଖାପଖୁଆଇ ଦୀର୍ଘ ଦେଢବର୍ଷରୁ ଉର୍ଦ୍ଧ୍ବ ହେବ ନିଜ କାର୍ଯ୍ୟ ସମ୍ପାଦନ କରି ଚାଲିଛନ୍ତି।ସରକାରୀ ସ୍ତରରେ ସ୍ବଚ୍ଛଭାରତ ଅଭିଯାନ ଚଳାଇ ବହୁଳ ଭାବେ ପ୍ରଚାରପ୍ରସାର କରାଯିବା ସହିତ ବିଭିନ୍ନ ଯୋଜନାରେ ସାଧାରଣ ଲୋକଙ୍କୁ ଶୌଚାଳୟ ନିର୍ମାଣ ପାଇଁ ପ୍ରୋତ୍ସାହନ ଦିଆ ଯାଉଥିବା ବେଳେ ଜଣେ ଅଧିକାରୀ’ଙ୍କୁ ଶୌଚାଳୟ ସୁବିଧାରୁ ବଞ୍ଚିତ କରାଯିବା କ୍ଷୋଭର ବିଷୟ ବୋଲି ଅଭିଯୋଗ ହେଉଛି। ସେହିପରି କାର୍ଯ୍ୟାଳୟ ଏବଂ ବାସ ଭବନରେ ବିଜୁଳି ସଂଯୋଗ ନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବା ସହିତ କାର୍ଯ୍ୟାଳୟକୁ ଆସୁଥିବା କୃଷକ ଓ ପଶୁପାଳକ ମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନ୍ୟପଟେ ବିଦ୍ୟୁତ ସଂଯୋଗ ଅଭାବରୁ ପଶୁ ପକ୍ଷୀ’ଙ୍କ ପାଇଁ ଶୀତଳ ଭଣ୍ଡାରରେ ରଖାଯାଉଥିବା ଆବଶ୍ୟକୀୟ ବିଭିନ୍ନ ଜୀବନ ରକ୍ଷାକାରୀ ଔଷଧ ସଂରକ୍ଷିତ କରାଯାଇ ପାରୁନାହିଁ। ଦୀର୍ଘଦିନ ଧରି ପାଣି ଅସୁବିଧା ଲାଗି ରହିବା ପରେ ସ୍ଥାନୀୟ ସରପଞ୍ଚ’ଙ୍କ ସହଯୋଗରେ ଓଭରହେଡ଼ ଟ୍ୟାଙ୍କରୁ ପାଇପ ପାଣି ସଂଯୋଗ ଯୋଗାଇ ଦେଇଛନ୍ତି। ଚିକିତ୍ସାଧିକାରୀ ଶ୍ରୀ ରଞ୍ଜନ କୁମାର ପାତ୍ର’ଙ୍କ ଅନୁସାରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ’ଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିବା ପରେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ। ତେବେ ଏହି ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଥିବା ସମସ୍ୟା ଗୁଡିକର ସମାଧାନ ପ୍ରତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମହାଶୟ ସ୍ୱତନ୍ତ୍ରଦୃଷ୍ଟି ଦେଇ ସମସ୍ୟା ଗୁଡିକୁ ଦୂର କରାଯିବା ସହିତ ଶୌଚାଳୟ ଓ ବିଜୁଳି ସଂଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
– ଘାସିରାମ ବେହେରାଙ୍କ ରିପୋର୍ଟ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking