31.1 C
Bhubaneswar
Friday, March 29, 2024
Homeଓଡିଶାରାସଗୋବିନ୍ଦପୁର ଓ ମୋରଡ଼ା ପାଲଟିଛି ବାଲି ଏବଂ ମୋରମ ମାଫିଆଙ୍କ ପାଇଁ ଭୂସ୍ବର୍ଗ

ରାସଗୋବିନ୍ଦପୁର ଓ ମୋରଡ଼ା ପାଲଟିଛି ବାଲି ଏବଂ ମୋରମ ମାଫିଆଙ୍କ ପାଇଁ ଭୂସ୍ବର୍ଗ

ମୟୂରଭଞ୍ଜ(ଘାସିରାମ ବେହେରା)- ବେଆଇନ ବାଲି ଓ ମୋରମ ଚାଲାଣକୁ ନେଇ ଆରମ୍ଭ ହୋଇଛି ବିବାଦ। ବିବାଦରେ ଛନ୍ଦି ହୋଇଛନ୍ତି ବିଜେପି ପୂର୍ବତନ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରାର୍ଥୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ରାସଗୋବିନ୍ଦପୁର ତହସିଲଦାର। ତେବେ ସୃଷ୍ଟି ହୋଇଥିବା ବିବାଦରେ ବାଲି ଓ ମୋରମ ମାଫିଆଙ୍କୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର  ସାଧାରଣଲୋକଙ୍କ ସମର୍ଥନ ସାଉଁଟୁ ଥିବା ବେଳେ ପରୋକ୍ଷ ହେଉକି ପ୍ରତ୍ୟକ୍ଷ ଅଥବା ରାଜନୈତିକ ଚାପରେ ସ୍ଥିତି ଏଡ଼ାଇବାକୁ ଚେଷ୍ଟା କରି ଏବେ ରାସଗୋବିନ୍ଦପୁର ତହସିଲଦାର ସାଧାରଣରେ ସମାଲୋଚିତ ହେଉଥିବା ଦେଖିବାକୁ ମିଳିଛି। ତେବେ ଗରିବ ଲୋକଟିଏ ସରକାରୀ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ହେଉକି ବିଜୁପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇ ବାଲି ଅଭାବ ସାଙ୍ଗକୁ ଧାର୍ଯ୍ୟ ସରକାରୀ ଦାମ ଠାରୁ ଅଧିକ ହେଉଥିବାରୁ କିଣି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛି। ହେଲେ ହିତାଧିକାରୀ କୌଣସି ପ୍ରକାରେ ଟ୍ରାକ୍ଟର ଭଡାରେ ଠିକକରି ନଦୀରୁ ବାଲି ଆଣିବା ବେଳେ ରାଜସ୍ୱ ବିଭାଗ ଅଧିକାରୀ ତୋ ପୁଣି କେତେବେଳେ ପୋଲିସ ବାଟରେ ଅଟକାଇ ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିବା ଦେଖିବାକୁ ମିଳେ।
    ଅନ୍ୟପଟେ ଚୋରା ବାଲି ମାଫିଆମାନେ ବେଆଇନ ଭାବେ ନଦୀରୁ ଜେସିବି ଦ୍ଵାରା ଉତ୍ତୋଳନ କରି ଡ଼ମ୍ଫର,ହାଇୱା,ଟ୍ରକ ଓ ଟ୍ରାକ୍ଟର ମାଧ୍ୟମରେ ସ୍ଥାନୀୟ ତଥା ବାହାର ଜିଲ୍ଲା ଏବଂ ପୋଡ଼ଶୀରାଜ୍ୟକୁ ନିର୍ଦ୍ୱନ୍ଦରେ ଚାଲାଣ କରୁଥିଲେ ମଧ୍ୟ ଏମାନଙ୍କ ପଟୁ ମୁହଁ ଫେରାଇ ନେଉଛି ଆଇନ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ଯାହା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସାଧୁତା, ଦକ୍ଷତା ଏବଂ ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରୁଛି। ତେବେ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ତହସିଲ ଅଧିନରେ ୭ରୁ ଉର୍ଦ୍ଧ୍ବ ବାଲିଖାଦାନ ସହ ଅନେକ ଛୋଟବଡ ମୁରୁମ ଖାଦାନରୁ ପ୍ରତିଦିନ ଶହଶହ ଟ୍ରକ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସିଛି । ମାଫିଆମାନେ ରାତି ଦିନ ବଡବଡ ଟ୍ରକ , ହାଇଓ୍ବା  ଲଗାଇ ମେସିନ ସାହାଯ୍ୟରେ ଲୋଡକରି ଚାଲାଣ କରୁଛନ୍ତି ପୋଡଶୀ ରାଜ୍ୟ ପଶ୍ଚିମବଙ୍ଗ ତଥା ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ । ଯଦିଓ ବାଲିଖାଦାନ ଗୁଡିକ ତହସିଲ ପକ୍ଷରୁ ଲିଜ୍ ଦିଆଯାଇଛି ହେଲେ କମ୍ ପରମିଟ୍ ନେଇ ଅଧିକ ବାଲି ଉତ୍ତୋଳନ କରାଯାଉଥିବାର ଅଭିଯୋଗ ଆସିଛି । ଦିନରେ ଧରାପଡିଯିବା ଭୟରେ ରାତି ତମାମ ନଦୀରୁ ମେସିନ ସାହାଯ୍ୟରେ ବାଲି ଉଠାଯାଇ ବିଭିନ୍ନ ସ୍ଥାନରେ ଗଛିତ ରଖାଯାଇ ପରେ ସେଠାରୁ ବଡବଡ ଗାଡିରେ ଲୋଡକରି ଚାଲାଣ କରାଯାଇଥାଏ । ଏମିତିକି କୌଣସି ବାଲି ଘାଟରେ ମେସିନ ଲଗାଇ ବାଲି ଉଠାଇବାର ନିୟମନଥିଲେ ମଧ୍ୟ ଏଠାରେ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖାଯାଏ । ପ୍ରତିଦିନ ସରକାରୀ ନୀୟମକୁ ଫାଙ୍କି ଦେଇ ଖୋଲାଖୋଲି ଭାବେ ଯାତାୟାତ କରୁଥିବା ଟ୍ରକ ଗୁଡିକୁ ଅନେକ ସମୟରେ ଗ୍ରାମବାସୀ ଅଟକ ରଖିବା ସହ ପୋଲିସ ଏବଂ ତହସିଲଦାରଙ୍କୁ ଜଣାଇବା ସହ ହସ୍ତାନ୍ତର ମଧ୍ୟ କରିଥିବା ନଜିର ରହିଛି ।
ଗତ ଜାନୁଆରୀ ୮ତାରିଖ ରାତିରେ ଏହି ତହସିଲ ଅଧିନରେ ଏକ ବାଲିଖାଦାନରୁ ବେଆଇନ ବାଲି ଉତ୍ତୋଳନକୁ ନେଇ  ମାଫିଆଙ୍କ ସହ ସଂଘର୍ଷରେ ଜଣେ ଗ୍ରାମବାସୀଙ୍କୁ ଜେ.ସି.ବି. ମେସିନ ସାହାଯ୍ୟରେ ରାତିଅଧିଆ ମାରି ଦିଆଯାଇଥିଲା । ଏନେଇ ମୃତ ଯୁବକଙ୍କ ଶବକୁ ମୁଷାମାରୀ ଛକ ନିକଟରେ ରାଜ୍ୟ ରାଜପଥ ରାସ୍ତା ମଝିରେ ରଖି ଗ୍ରାମବାସୀ ନ୍ୟାୟ ପାଇଁ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ତେବେ ମିଳିଥିବା ପ୍ରତିଶ୍ରୁତି ଅନୁଯାୟୀ ପରେ ୨ଜଣ ମାଫିଆଙ୍କୁ ଗୀରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିଲା । ହେଲେ ରାସଗୋବିନ୍ଦପୁର ତହସିଲ ଅଧିନରେ ଥିବା ବିଭିନ୍ନ ନଦୀଘାଟ ତଥା ମୁରୁମ୍ ଖାଦାନ ମାନଙ୍କରୁ ରାତିଦିନ ଚାଲାଣ ହେଉଥିବା ବିଷୟରେ ମୋରଡା ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର କୃଷଚନ୍ଦ୍ର ମହାପାତ୍ରଙ୍କ ସହ ବିଜେପି କର୍ମୀମାନେ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇଥିବା ଦେଖିବାକୁ ମିଳିନଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ବିଜେପି ବିଧାୟକଙ୍କ ସହ ସାଂସଦ ଏବଂ ବିଜେପି ଉଚ୍ଚପଦସ୍ଥ କର୍ମୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆଖିଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଥିବା ଦେଖିବାକୁ ମିଳିନାହିଁ । ଗାଁ ଗଣ୍ଡାର ଗରିବ ଲୋକମାନେ ଆବାସ ଯୋଜନାରେ ଘର ଖଣ୍ଡେ ତିଆରି କରିବା ପାଇଁ ବାଲିଟିକେ ପାଉନଥିବା ବେଳେ ଏଠାରେ ମାଫିଆମାନେ ଜିଲ୍ଲା ବାହାରକୁ ଚାଲାଣ କରି ରାତାରାତି ମାଲାମାଲ ହେଉଛନ୍ତି । ଏମାନଙ୍କୁ ଅଟକାଇବା ଦିଗରେ କେବେ ସରକାର ବିହିତ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା । ସେହିପରି ବାଲି ଖାଦାନ ନିଲାମଧାରୀ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ବାଲି ଉତ୍ତୋଳନ କରିବା ବଦଳରେ ଯୋଉଠି ଇଚ୍ଛା ନଦୀର ସେଇଠୁ ବାଲି ଉତ୍ତୋଳନ କରୁଥିବା ଭଳି ଘଟଣା ବିଭାଗୀୟ ଅଧିକାରୀ ଏବଂ ପୋଲିସକୁ ଅଛପା ନାହିଁ। ଏମିତି କି କୋଟି କୋଟି ଟଙ୍କାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ପୋଲ ତଳୁ ମଧ୍ୟ ବାଲି ଉଠୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳେ। ଯାହା ପ୍ରମାଣ କରୁଛି ସରକାରୀ ବାବୁମାନେ ସାଧାରଣ ଗରିବ ଲୋକଙ୍କୁ ଆଇନକାନୁନ ଆଳନେଇ ବାଟ ଅଗାଳୁ ଥିବା ବେଳେ ବଡ଼ବଡ଼ିଆଙ୍କ ପାଇଁ ସବୁ ମାଫ।
       ଏହାକୁ ବାଦଦେଲେ ନିଲାମ ପୂର୍ବରୁ କ୍ବାରୀରେ ଗଚ୍ଛିତ ବାଲିର ପରିମାଣ ଆକଳନ କରାଯାଇଥିବା ବେଳେ ସେହି ଅନୁଯାୟୀ ପରମିଟ ଇସ୍ୟୁ କରିଛି ରାଜସ୍ଵ ବିଭାଗ। ହେଲେ ଦୁର୍ଭାଗ୍ୟର ବିଷୟ ନିଲାମ କ୍ବାରୀ ଅଞ୍ଚଳ ସହ ସମ୍ପୁର୍ଣ୍ଣ ନଦୀର ବାଲି ଗଲା କୁଆଡେ ତାର ଜବାବ ସାଙ୍ଗକୁ କ୍ଷତି ଭରଣା ନିଲାମଧାରୀ ନା ରାଜସ୍ଵ ବିଭାଗ ଦେବ ତାହା ଏବେ ବଡ଼ ପ୍ରଶ୍ନ ହୋଇ ମୁଣ୍ଡ ଟେକୁଛି। ଘଟଣା ବିଚାରକୁ ନେଲେ ରାଜ୍ୟ ରାଜକୋଷ ବରଂ ଲୁଟ ହୋଇଯାଉ କିନ୍ତୁ ସମ୍ପୃକ୍ତମାନଙ୍କ ଟ୍ରେଜେରୀ ଉଛୁଳୁ ଥାଉ। ଏହିସବୁ ପ୍ରସଙ୍ଗ ନେଇ ବିଜେପି ନେତା ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ରାସଗୋବିନ୍ଦପୁର ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲା ବେଳେ ସାଙ୍ଗରେ ମୟୂରଭଞ୍ଜ ସାଂସଦ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଉଛି। ମାତ୍ର ଏହି ସାକ୍ଷାତ ଆଲୋଚନା ସମୟରେ  ସେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧମକଚମକ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର। ହେଲେ ତାଙ୍କ ସହିତ ଉପସ୍ଥିତ ଅନ୍ୟମାନଙ୍କୁ ଅଭିଯୋଗରୁ ବାଦ ଦେବାର କାରଣ କଣ ।
       ଅନ୍ୟପଟେ ବିଳମ୍ବନକରି ଅଭିଯୋଗକୁ ଭିତ୍ତିକରି ରାସଗୋବିନ୍ଦପୁର ଥାନା ଆଇଆଇସି ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେହିପରି ରାସଗୋବିନ୍ଦପୁର ବ୍ଲକ ୪୭ନଂ ଯୋନର ତଫସିଲଭୁକ୍ତ ସମ୍ପ୍ରଦାୟର ଜିଲ୍ଲା ପରିଷଦ ସଦସ୍ୟା ସୂଚନା ଅଧିକାର ଆଇନ ଅନୁଯାୟୀ କିଛି ତଥ୍ୟ ମାଗିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟସୀମା ଅତିକ୍ରାନ୍ତ ପରେ ବି ଯୋଗାଇ ଦିଆନଯିବାରୁ ତହସିଲଦାରଙ୍କୁ ଭେଟିଥିବା ବେଳେ ସେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ଏକ ଲିଖିତ ଅଭିଯୋଗ ରାସଗୋବିନ୍ଦପୁର ଥାନାରେ ଦାଖଲ କରିଥିବା ବେଳେ ଏହା ଉପରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ତାଉପରେ ସମସ୍ତଙ୍କ ନଜର।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking