୩ଟି ଦୋକାନରୁ ସାମଗ୍ରୀ ଓ ଟଙ୍କା ଚୋରି

ମୟୂରଭଞ୍ଜ (ଘାସିରାମ ବେହେରା): ମୟୁରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନାହଁ ହାତୀ ଉପଦ୍ରବ। ଆଉ ଜଙ୍ଗଲ ହେଉକି ଜନବସତି ମୁହାଁ ହାତୀପଲ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିଦ୍ୟୁତ କାଟ କରୁଛି ବିଭାଗ।ଏହି ସୁଯୋଗ ହାତଛଡା ନ କରି ବେଶ ଫାଇଦା ଉଠାଉଛନ୍ତି ଦୁର୍ବୃତ୍ତମାନେ। ତେବେ ଗତକାଲି ରାତିରେ ହାତୀପଲର ଉପସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡା ଅଞ୍ଚଳରେ ବିଦ୍ୟୁତ କାଟ କରାଯାଇଥିଲା। ଗୋଟେପଟେ ଲୋକଙ୍କ ଭିତରେ ହାତୀଭୟ ଅନ୍ୟପଟେ ଅନ୍ଧାରର ସୁଯୋଗ ନେଇ ବଜାରରେ ଥିବା ଦୋକାନରୁ ସିରଜ ଚୋରୀ କରିବାରେ ସଫଳ ହେଲେ ଦୁର୍ବୃତ୍ତମାନେ। ଗତକାଲି ବିଳମ୍ବିତ ରାତ୍ରୀରେ ତୋଟାପଡା ବଜାରରେ ଥିବା ତିନୋଟି ତେଜରାତି ଦୋକାନରୁ ନଗଦ ଲକ୍ଷାଧିକ ଟଙ୍କା ସହ ଦୋକାନରେ ବିକ୍ରି ପାଇଁ ଥିବା ସାମଗ୍ରୀ ସବୁ ଲୁଟିନେଇଛନ୍ତି ଦୁର୍ବୁର୍ତ୍ତ। ଗତକାଲି ରାତିରେ ହାତୀ ଉପଦ୍ରବ ପାଇଁ ବିଦ୍ୟୁତ ସରବରାହ ବନ୍ଦ ଥୁବା ସହ ଲୋକେ ହାତୀ ଘଉଡାଇବା ପାଇଁ ଯାଇଥିବାର ସୁଯୋଗ ନେଇ ଦୁର୍ବୁର୍ତ୍ତମାନେ ତିନୋଟି ଦୋକାନରୁ ବିପୁଳ ସାମଗ୍ରୀ ଲୂଟ କରିନେଇଛନ୍ତି। ତେବେ ଦୁର୍ବୁର୍ତ୍ତମାନେ ଏଜବେଷ୍ଟସ ଭାଙ୍ଗି ଦୋକାନ ଭିତରକୁ ପଶି ଲୁଟିନେଇଛନ୍ତି। ଖବରପାଇ ରାସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।