ଦେଶ କାନ୍ଦୁଛି – ଶୁଣୁଛି କି ଜାତି ? : ମାୟାଧର ନାୟକ

mayadhar nayak

କିଏ ଶୁଣୁଛି ଘାଟିମୁଲକର ଘାଏଲ୍ ଜୀବନ କଥା ? ଏ ଦେଶର ଶାସନ, ପ୍ରଶାସନ ଯେତେବେଳେ ଆସନର ଭାଗବଂଟା ଆଉ ଭୋଗବଂଟାଠାରୁ ଆରମ୍ଭକରି ବିଭିନ୍ନ ଶୈଳୀର ବିଳାସବ୍ୟସନରେ ବ୍ୟସ୍ତ, ରାଜନୈତିକ ଦଳ ସମେତ ନିର୍ବାଚିତ ନେତାମାନେ ମଧ୍ୟ ନିଜ ନିଜ ଦଳୀୟ ଓ ବ୍ୟକ୍ତିଗତ ସ୍ୱାର୍ଥସାଧନରେ ମସ୍ତ – ମାଟିର ମଣିଷ, ଖଣିଖାଦାନ୍‌ର ମଜଦୁର୍ ତଥା କୃଷକ, ଶ୍ରମିକ ଓ ଦରିଦ୍ର ଦୁର୍ଗତ ଦଳିତ ବର୍ଗର ଆଶାଆକାଂକ୍ଷା ଆତଙ୍କର ଅପଚ୍ଛାୟାରେ ରାହୁଗ୍ରସ୍ତ; ପ୍ରବଂଚିତ ଜନସାଧାରଣଙ୍କ ଅବଦମିତ ଅଶାନ୍ତି ଓ ଅସନ୍ତୋଷ ଘରେଘରେ ଭବିଷ୍ୟତର ପ୍ରଚଣ୍ଡ ବିଦ୍ରୋହର ପ୍ରସ୍ତୁତି ପାଇଁ ପୂର୍ଣ୍ଣ ପ୍ରଜ୍ୱଳିତ – ସେତେବେଳେ ଜୀବନସଂଗ୍ରାମର ସ୍ୱାଧୀନତା ଦାବୀରେ ଅଗ୍ନିଗର୍ଭ ଆନ୍ଦୋଳନ ।

 

ଏ କରୋନା ମହାମାରୀ ସମୟରେ ସକାଳୁ ଉଠି ମୋବାଇଲ ଧରିବାକୁ ଭୟ ଲାଗୁଛି । ସମ୍ବାଦପତ୍ରରେ ଆଖି ବୁଲାଇଲେ ଗତରାତିର ଭୟଙ୍କର ଦୃଶ୍ୟମାନ ବଡବଡ ହରଫରେ ନାଚିଯାଉଛି । ଚାରିଆଡେ ହାହାକାର । ନାହିଁନାହିଁର ଆର୍ତଚିତ୍‌କାର । ଟିକା, ଅମ୍ଳଜାନ, ଭେଂଟିଲେଟର, ଜୀବନରକ୍ଷାକାରୀ ଔଷଧ ଅଭାବ । ହସ୍‌ପିଟାଲରେ ବେଡ୍‌, ଆଇ.ସି.ୟୁ ଅଭାବ । ଶବ ପୋତିବାକୁ ମଶାଣି ଅଭାବ । ଜୀବନ ରକ୍ଷା ପାଇଁ ଜୀବିକା ଉଚ୍ଛନ୍ନ । କି ଧନୀ କି ଗରିବ ସମସ୍ତେ କାନ୍ଦୁଛନ୍ତି । ଶୁଣିବ କିଏ ?

 

ମିଛ ପାଖେ ସତ ବନ୍ଧା ପଡିଛି । ଘୋର କଳିକାଳରେ ମାଳିକାବଚନ ସତ ହେବାକୁ ବସିଛି । ୬୦୦ ବର୍ଷ ତଳେ ଯେଉଁ ସବୁ ମାଳିକାରେ ଭବିଷ୍ୟତବାଣୀ କରାଯାଇଥିଲା – ସେ ସବୁ ଘଟଣା ଅଘଟଣା ଘଟିଚାଲିଛି । ଅଜଣା ଭବିଷ୍ୟତରେ ଲୋକେ ଥରହର । କିଏ ଶୁଣୁଛି – କାହା କଥା ? ଏଇ ଲେଖକ ସାରା ବିଶ୍ୱକୁ ୩ଟି ପ୍ରସ୍ତାବ ଦେଇଥିଲା । କରୋନା ମହାମାରୀକୁ ଅନ୍ତର୍ଜାତୀୟ ବିପତି ଘୋଷଣା – ବିଶ୍ୱର ସବୁ ସରକାର ଏକହେବା ଏବଂ ଧନୀକଶ୍ରେଣୀ ତାଙ୍କ ସମ୍ପତିରୁ ସ୍ୱଇଛାରେ ଅଧା ଦାନ କରିବା । ଏ କଥାକୁ ଶୁଣିବ କିଏ ?

 

ଆମ ଜୀବନ ଏବେ ଗଳ୍ପ ବିରଳ । ବୈଠକଖାନାରେ ସେ ବନ୍ଧୁତ୍ୱପୂର୍ଣ୍ଣ ଗଳ୍ପର ଉଷୁମ୍ ଆସର ନାହିଁ କି ଶୟନକକ୍ଷରେ ସେ ଦାମ୍ପତ୍ୟଜୀବନର ମୃଦୁମଧୁର ଗଳ୍ପାଳପର ଅନ୍ତରଙ୍ଗ ଅବସର ନାହିଁ । ଯଦିବା ଅଛି, ତୁଳନାତ୍ମକ ଭାବରେ ତିରିଶଚାଳିଶ ବର୍ଷ ତଳର ସେ ପୂର୍ବ ପର୍ଯ୍ୟାୟଠାରୁ ଶୋଚନୀୟ ତାର ହ୍ରାସପ୍ରାପ୍ତିର ହାର । ଅନ୍ୟର କଥା ଆମେ ଆଖିବାଟେ ଶୁଣୁଛୁ – କାନବାଟେ ଶୁଣି ମନ ଭିତରକୁ ତାହା ଭେଦିପାରୁ ନାହିଁ । ଆମର କଥା ଅନ୍ୟର ଧୈର୍ଯ୍ୟପରୀକ୍ଷାରେ ଅନୁତୀର୍ଣ୍ଣ । ଅର୍ଥାତ୍ ବର୍ତମାନର ସମାଜରେ କେହି କାହାରି କଥା ଶୁଣୁନାହାନ୍ତି କହିଲେ ଚଳେ । ଏପରିକି ଟିକିଏ ଅବଧାନକୁ ଆଣି ଅନୁଭବ କଲେ ବେଶ୍ ବୁଝିହେବ କଥାଟାକୁ । ରୋଗୀ କହୁଛନ୍ତି ଡାକ୍ତର ଶୁଣୁନାହାନ୍ତି, ଚାଷୀମୂଲିଆ ପାଟି କରୁଛନ୍ତି ମାଲିକେ କାନରେ ପଟି ବାନ୍ଧିଛନ୍ତି, ମାଷ୍ଟ୍ରେ ପଢାଉଛନ୍ତି ଛାତ୍ରୀଛାତ୍ରେ ମନ ଦେଉନାହାନ୍ତି, ମହକିଲ ବିକଳ ହେଉଛନ୍ତି ଓକିଲ ତାରିଖ ଗଢଉଛନ୍ତି, ସାମ୍ବାଦିକ ପଚାରୁଛନ୍ତି ଥାନାବାବୁ ଆଡେଇଯାଉଛନ୍ତି, ଜନତା ଚିଲଉଛନ୍ତି ନେତା ବିଳିବିଳଉଛନ୍ତି – ଇତ୍ୟାଦି ।

 

ମୋଟାମୋଟି ଏଇ ହେଉଛି ଅବସ୍ଥା । ପଡିଶାଘରୁ କାନ୍ଦବୋବାଳି ଶୁଭିଲେ ଆମ ଘରର ତାଟିକବାଟ ପଡିଯାଉଛି । ସଡକ-ଦୁର୍ଘଟଣାର ଅସହାୟ ଶିକାର କି ତାର ମୁମୁର୍ଷୂ ସାଥୀ ଯେତେ ନେହୁରା ହୋଇ ଡାକ ପକାଇଲେ ବି ପାଖ କାଟି ଆଗକୁ ଛୁଟିଯାଉଛନ୍ତି ଛୋଟବଡ ଯାନଚାଳକ । କମ୍ପାନୀର ଛଟେଇ କର୍ମଚାରୀ ହକ ମାଗିଲେ ଶୁଣୁ ନାହାନ୍ତି ପରିଚାଳକ ।

 

କିଏ ଶୁଣୁଛି ?

ଦେଶ କାନ୍ଦୁଛି – ଶୁଣୁଛି କି ଜାତି ?

ମଣିଷ କାନ୍ଦୁଛି – ଶୁଣୁଛନ୍ତି କି ମଠ-ମନ୍ଦିର-ମସ୍‌ଜିଦ୍‌-ଗିର୍ଜା-ପାଗୋଡାର ଧର୍ମାଧିପତି ?

ମାଆ କାନ୍ଦୁଛି – ଶୁଣୁଛନ୍ତି କି ସନ୍ତାନସନ୍ତତି ?

 

କେହି କାହାରିଠୁ ପଦଟିଏ କଥା ଶୁଣୁନଥିବାର ଏ ପ୍ରକାର ଏକ ଜୀବନକ୍ଷେତ୍ରରେ ଆମର କଥାସବୁ କେନ୍ଦ୍ରଚ୍ୟୁତିର କମ୍ପନ କେବଳ । ଶଦ୍ଦ ଶୁଭୁଛି, କିନ୍ତୁ ସ୍ୱରଗ୍ରହଣକାରୀ ପରିଧି ବାହାରେ । ଦୁଇଟି ବ୍ୟକ୍ତିଗତ ସଂପର୍କର ମୁହଁ ମଝିରେ ଖଣ୍ଡିଏ ଦିହାତଉଂଚ ଖବରକାଗଜର କୃତ୍ରିମ ଉଠାପାଚେରି – ନହେଲେ ଉପସ୍ଥିତ ଅତିଥିଙ୍କ କୁଶଳ ପ୍ରଶ୍ନର ଉତର ଶୁଣୁଛି ଅଭ୍ୟାଗତଙ୍କ ମୁହଁସାମ୍ନାର ଚଳନ୍ତା ଟେଲିଭିଜନ୍ – ନତୁବା ଇଆଡେ ମିନିଟିଏ କଥା ହେଲାବଳେକୁ ସିଆଡେ ତୁହାକୁତୁହା ଡାକିଲାଣି ମୋବାଇଲ୍ ।

 

ଆଗର ଗଳ୍ପାଳପ ଏବର ଅଳ୍ପାଳାପରେ ଆସି ପହଂଚିସାରିଛି । ଏହା କୌଣସିମତେ ଆମର ଚେତନାସ୍ତରୀୟ ଏକ ବିବର୍ତନକୁ ସୂଚାଉନାହିଁ କି ସମୟୋଚିତ ପରିବର୍ତନକୁ ଦର୍ଶାଉନାହିଁ । ଏହା ଅମ ଆତ୍ମବଧିର ସାମାଜିକ ଜୀବନଶୈଳୀକୁ ସଂପୂର୍ଣ୍ଣ କବଳିତ କରିନେଇଥିବା ଏକ ଶୀତଳ ମାନସିକତାକୁ ହିଁ ମୋହର ମାରି ନିଶ୍ଚଳ ଚେତନାର ଚାରିକାନ୍ଥରେ ନିର୍ଜୀବ ପୋଷ୍ଟରମାନ ମାରିଚାଲିଛି ।

 

ଏ ସମୟ ଏକ ସମ୍ବେଦନଶୂନ୍ୟ ସମୟ । ପୁଞ୍ଜିବାଦୀ ଅର୍ଥନୀତିରୁ ଜଗତୀକରଣ ପର୍ଯ୍ୟନ୍ତ ପ୍ରସାରିତ ଶିଳ୍ପବିପ୍ଳବୋତର ଯେଉଁ ଆଧୁନିକ ସମୟଖଣ୍ଡରେ ଆମେ ବୈଷୟିକ-ବୈଜ୍ଞାନିକ ଅଭିବୃଦ୍ଧିର ପ୍ରଯୁକ୍ତି ବିଦ୍ୟାଭିତିକ ପୃଥିବୀଟିକୁ ପାଇଛୁ, ସେ ପୃଥିବୀ ଆମକୁ ଦେଇଛି ଈଶ୍ୱରହୀନ ଦେବାଳୟ, ମନୁଷ୍ୟହୀନ ଗୃହାଳୟ ଓ ମୂଲ୍ୟବୋଧହୀନ ପଣ୍ୟାଳୟ । ଏଇ ନଷ୍ଟତ୍ରିଭୁଜ ମଧ୍ୟରେ ଆମର ଜୀବନ କ୍ରମେ ଏକ ଜଟିଳ ଜ୍ୟାମିତିର ଅସ୍ପଷ୍ଟତା ଛଡା ଆଉ କ’ଣ ? ପୁରୁଣା ସମାଜର ପତିଆରା ଆଉ ପୂର୍ବସଂସ୍କୃତିର ପରମ୍ପରା ଆମ ବିଶ୍ୱାସର ବଳୟ ବାହାରେ କେବଳ ଏକ ସମାଜତାତ୍ୱିକ ଓ ପ୍ରତ୍ନତାତ୍ୱିକ ଅଧ୍ୟୟନ ମାତ୍ର । ଚିମିନିର କଳାଧୂଆଁ ସେପଟେ ଚାଷକ୍ଷେତର ସେଇ ଚକବନ୍ଦୀ ଚକଡା – ଅଖଭଙ୍ଗା ଶଗଡଗଡାର ଗାଁ । ସବାରିପାଲିଙ୍କିସବୁ ଜାଦୁଘରର ସାମଗ୍ରୀ । ଆଦିବାସୀର ଧନୁଶରଠାରୁ ଆରମ୍ଭ କରି ରାଜା-ମହାରାଜା-ବାଦ୍‌ଶା-ସୁଲତାନ୍ ଆଉ ଅତୀତର ସଂଗ୍ରାମୀ ବୀର-ବୀରାଙ୍ଗନାମାନଙ୍କର ଅସ୍ତ୍ରଶସ୍ତ୍ରସବୁ ମଧ୍ୟ ସେଇ ଜାଦୁଘରର ବଖରା ଭିତରେ ଆମ ସମାଧିସ୍ଥ ସାମରିକ ସଂସ୍କୃତିର ସ୍ଥାବର ସମ୍ପତି । ପୁରାତନ ଦେବଦେବୀମୂର୍ତିଠାରୁ ଆରମ୍ଭ କରି କୋହିନୂର ହୀରା ପର୍ଯ୍ୟନ୍ତ ଆମର ଅଚଳାଚଳ ଐତିହ୍ୟର ଅନେକ ସ୍ମାରକୀ ଦେଶରୁ ଚାଲାଣ ହୋଇସାରିଛି ବିଦେଶକୁ । ବେଳେବେଳେ ଖବରକାଗଜର ଏଇସବୁ ବିବରଣୀକୁ ନେଇ ଆମ ଆଧୁନିକ ବୈଠକୀଗଳ୍ପ ଗଡିଚାଲେ କପେ ଚା’ ଥଣ୍ଡା ହେବାଯାଏଁ ବା ଖୁବ୍ ବେଶିରେ ଗୋଟାଏ ପେଗ୍ ବିଦେଶୀ ପାନୀୟର ଉଷୁମ୍ ଆସର ଶେଷ ହେବାଯାଏଁ ।

 

ଆମ ଗଳ୍ପ ଏବେ କେବଳ ଖବରକାଗଜର ଖୋରାକକୁ ନେଇ ଖଣ୍ଡିଖଣ୍ଡି ଖୁଚୁରା ଆଳାପ କିଛି । ସେ ଅଳ୍ପାୟୁ ଆଳାପର ଆୟତନ ମଧ୍ୟରେ ଆମ ଆୟତ ବାହାରର ଅନେକ କଥା – କୋର୍ଟକଚେରୀ, ସରକାର, ପୁଲିସ୍‌, ଆତଙ୍କବାଦୀ, ସୀମାନ୍ତରେ ସାମରିକ ଶକ୍ତିପ୍ରଦର୍ଶନ, ପରମାଣୁ ବୋମା ପରୀକ୍ଷାଠାରୁ ଆରମ୍ଭ କରି ଗଣଧର୍ଷଣ, ରାସ୍ତା ଦୁର୍ଘଟଣା ଓ ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ପର୍ଯ୍ୟନ୍ତ ବହୁ ବଡବଡ କଳାହରଫ୍‌ର ଶିରୋନାମାସବୁ ଆମକୁ ଯୋଗାଇଦିଏ ଆମ ମୌଖିକ ଚର୍ଚ୍ଚାର ଚର୍ବିତଚର୍ବଣ ମନ୍ତବ୍ୟ ଓ ମତଦାନର ସୁଯୋଗ । କିନ୍ତୁ ଶୁଣୁଛି କିଏ ? ଆଜି ଖଳନେତୃବର୍ଗଙ୍କ କଳା କାରସାଦିକୁ ନେଇ ଚହଳ ତ କାଲି ଗେରୁଆ ଖୋଳର ଗୁରୁବାବାମାନଙ୍କ ଫୁଙ୍ଗୁଳା ଫିସାଦିକୁ ନେଇ ଚମକ । ପହରଦିନ ପୁଣି ବାଟରେ ଘାଟରେ ସିନେମାଷ୍ଟାର୍‌ମାନଙ୍କ ଫେସନ୍‌ଶୋ’କୁ ନେଇ ମସ୍‌ଗୁଲ୍ ମଜ୍‌ଲିସ୍ ତ ଦୋକାନବଜାରରେ କ୍ରିକେଟ୍ ହିରୋମାନଙ୍କ ବାହାଘର-ବୁହାଘରକୁ ନେଇ ସରଗରମ ଆଲୋଚନା ।

 

ବାଟଘାଟ, ଦୋକାନବଜାର, ବସଷ୍ଟାଣ୍ଡ୍ – ଗୁଡିଏ ଗଳ୍ପାଳପର ଗହଳି । କିନ୍ତୁ ଆମ ଶୁନ୍‌ଶାନ୍ ସୌଖୀନ୍ ଘରସବୁ ଦୁଆରକିଳା । ସେଠି ଆଉ ଦୁଃଖସୁଖ ନାହିଁ – ଅନ୍ତରଙ୍ଗ ଭାବବିନିମୟର ସେ ଅକୃତ୍ରିମ ଅବସର ନାହିଁ – ପୁରୁଣା ପରଦା ପଛର ସେ ବ୍ୟକ୍ତିଗତ ପୃଥିବୀଟି କୁଆଡେ ହଜିଯାଇଛି କେବଠୁ ।

 

ଏଇ ହଜିଲା କଥାର ଖିଅକୁ ଖୋଜିଖୋଜି ଘଟଣା ଭିତରୁ ଛାଣିନେଇଆସେ ଚରିତ୍ରକୁ – ପୁଣି ବଦଳିଚାଲିଥିବା ସମାଜର ସୂତ୍ର ଧରିଧରି ପହଂଚିଯାଏ କେଉଁଠି ନା କେଉଁଠି କେଉଁ ବିଚିତ୍ର ପରିବେଶରେ । କେତେବେଳେ ଘଟଣା-ଚରିତ୍ର-ପରିବେଶ ତ ଆଉ କେତେବେଳେ ସ୍ଥାନ-କାଳ-ପାତ୍ରର ପରିସର ଭିତରୁ ମୁକୁଳିଆସେ ମାମୁଲି ମଣିଷ … ଜନ ଓ ଜାତିର ଗୁଳ୍ମାଚ୍ଛଦିତ ଘନଘଟା ମଧ୍ୟରୁ ଉଙ୍କିମାରେ ଜର୍ଜରିତ ବ୍ୟକ୍ତି, ଯାହାକୁ ଆମେ ଆମ ସମାଜ ଓ ସାହିତ୍ୟର ମଧ୍ୟସ୍ୱର୍ଗରେ ଏବେ ବି ତ୍ରିଶଙ୍କୁ ସ୍ଥିତିରେ ରଖିଆସିଛେ ।

 

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

LEAVE A REPLY

Please enter your comment!
Please enter your name here