27.1 C
Bhubaneswar
Thursday, April 25, 2024
Homeଓଡିଶାଖୋଲୁନି ମଣ୍ଡି : ଦଲାଲକୁ ଧାନ ବିକୁଛି ଚାଷୀ

ଖୋଲୁନି ମଣ୍ଡି : ଦଲାଲକୁ ଧାନ ବିକୁଛି ଚାଷୀ

ଉଖୁଣ୍ଡା : ସରକାର ଚାଷୀଙ୍କ ଉନ୍ନତି ପାଇଁ ବହୁ ଯୋଜନା କରିଛନ୍ତି ସତ, କିନ୍ତୁ ଏହି ଯୋଜନା ସଠିକ୍‍ ସମୟରେ ଚାଷୀଙ୍କ କାମରେ ଆସିପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ପରିବାର ପ୍ରତିପୋଷଣ କରିବା ସହିତ ଚାଷରୁ ଉପାର୍ଜନ ହେଉଥିବା ବଳକା ଧାନକୁ ସମବାୟ ସମିତିରେ ବିକ୍ରି କରିବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଯୋଜନା ଯୋଜନା ବାଟରେ ଯାଉଛି, ହେଲେ ଚାଷୀ ସୁଫଳ ପାଇପାରୁ ନାହିଁ । ଝୁମ୍ପୁରା ବ୍ଲକ୍‌ର ୨୨ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ରହିଥିବା ଚାଷୀମାନଙ୍କ ପାଇଁ ବ୍ଲକ୍‌ର ଝୁମ୍ପୁରା ଏବଂ ଉଖୁଣ୍ଡାଠାରେ ରହିଛି ଦୁଇଟି ସମବାୟ ସମିତି । ଉଖୁଣ୍ଡା ସମବାୟ ସମିତି ଅଧୀନରେ ବାରିଆ, ଚଉଠିଆ ରହିଥିବା ବେଳେ ଝୁମ୍ପୁରା ଅଧୀନରେ ବାଲିବନ୍ଧ ସମବାୟ ସମିତି ପରିଚାଳିତ ହେଉଛି । ଝୁମ୍ପୁରା ବ୍ଲକରେ ଜଳସେଚନର ସେପରି ସୁବିଧା ନଥିବାରୁ ଚାଷୀମାନେ ବର୍ଷା ପାଣି ଉପରେ ନିର୍ଭର କରି ସମବାୟ ସମିତିରୁ ବିହନ, ସାର ନେଇ ଚାଷ କରିଥାନ୍ତି । ତେବେ ଚାଷୀମାନେ ଅମଳ ଧାନକୁ ସମବାୟ ସମିତିରେ ବିକ୍ରିକରି ଚାଷ ପାଇଁ କରିଥିବା ଋଣ ପରିଶୋଧ ସହିତ ଚାଷକାମରେ ଲାଗିଥିବା ଶ୍ରମିକମାନଙ୍କୁ ପାରିଶ୍ରମିକ ଦେଇଥାନ୍ତି । ଏଭଳି ପରିସ୍ଥିତିରେ ସରକାର ଚାଷୀଙ୍କଠାରୁ ସମବାୟ ସମିତି ଜରିଆରେ ନଭେମ୍ବର ୧ତାରିଖ ଠାରୁ ଧାନ କିଣିବା ପାଇଁ ସମୟ ଧାର୍ଯ୍ୟ କରିଥିଲେ । ମାତ୍ର ନଭେମ୍ବର ପରେ ଡିସେମ୍ବର ମାସ ଏକ ସପ୍ତାହ ବିତିଲା ତଥାପି ଚାଷୀଙ୍କ ଧାନ କିଣିବା ପାଇଁ ମଣ୍ଡି ଖୋଲାଯାଇପାରି ନାହିଁ । ସମବାୟ ସମିତି ମଣ୍ଡି ଖୋଲୁ ନଥିବାରୁ ଚାଷୀମାନେ ଧାନ ବିକ୍ରି କରିନପାରି ମୁଣ୍ଡରେ ହାତଦେଇ ବସିଛନ୍ତି । ଅପରପକ୍ଷେ ଚାଷୀଙ୍କ ଧାନ ବିକ୍ରି ପାଇଁ ଟୋକନ ଆସିପାରୁ ନଥିବା ଜଣାପଡ଼ିଛି । ଝୁମ୍ପୁରା ସମବାୟ ସମିତିରେ ଧାନ ବିକ୍ରି କରିବା ପାଇଁ ୧୫୨୮ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିଛନ୍ତି । ସେହିପରି ଉଖୁଣ୍ଡା ସମବାୟ ସମିତିରେ ଧାନ ବିକ୍ରି ପାଇଁ ୧୪୦୨ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିଛନ୍ତି । ବ୍ଲକ୍‌ର ୨୨ଗୋଟି ପଞ୍ଚାୟତର ୨,୯୩୦ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି ସତ, କିନ୍ତୁ ଆଜିପର୍ଯ୍ୟନ୍ତ ବ୍ଲକ୍‌ର କୌଣସି ଚାଷୀଙ୍କ ନାମରେ ଧାନ ବିକ୍ରି କରିବା ପାଇଁ ଟୋକନ ଆସିନଥିବା ଜଣାଯାଇଛି । ଚାଷୀଙ୍କ ଧାନ କଟାରେ ଲାଗିଥିବା ଗରିବ ଶ୍ରମିକମାନେ ଚାଷୀଙ୍କଠାରୁ ଧାନ କାଟିଥିବା ପାରିଶ୍ରମିକ ନେବାକୁ ଚାହିଁ ରହିଥିବା ବେଳେ ଚାଷୀମାନେ ଧାନ ବିକ୍ରି କରିନଥିବାରୁ ହରଡ଼ଘଣାରେ ପଡ଼ିଯାଇଛନ୍ତି । କାମ କରିଥିବା ଶ୍ରମିକମାନଙ୍କ ମଜୁରୀ ନିତାନ୍ତ ଆବଶ୍ୟକ ହେଉଥିବାରୁ ଚାଷୀମାନେ ଶେଷରେ ବାଧ୍ୟହୋଇ ଦଲାଲ ପାଖରେ ଶସ୍ତାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି । ସରକାର ଧାନର କ୍ୱିଣ୍ଟାଲ ପ୍ରତି ମୂଲ୍ୟ ୧୮ଶହ ଟଙ୍କା ରଖିଥିବା ବେଳେ ଦଲାଲମାନେ ଚାଷୀଙ୍କଠାରୁ ବର୍ତ୍ତମାନ ଧାନ କ୍ୱିଣ୍ଟାଲ ପ୍ରତି ୧୦୫୦ରୁ ୧୧୦୦ ଟଙ୍କାରେ କିଣୁଛନ୍ତି । ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ବାଧ୍ୟ ହୋଇ ଶ୍ରମିକମାନଙ୍କୁ ପାରିଶ୍ରମିକ ଦେବା ପାଇଁ ଦଲାଲ ପାଖରେ ଅତିଶସ୍ତାରେ ଧାନକୁ ବିକ୍ରି କରି ବ୍ୟାପକ କ୍ଷତି ସହୁଛନ୍ତି । ଝୁମ୍ପୁରା ସମବାୟ ସମିତିରୁ ସେପ୍ଟେମ୍ବର ମାସ ୩୦ତାରିଖରେ ୪୨ଜଣ ଚାଷୀଙ୍କୁ ଟୋକନ ପାଇଁ ସୁପାରିଶ କରାଯାଇଥିଲା । କିନ୍ତୁ ଏହି ଚାଷୀମାନଙ୍କ ଆଜି ପର୍ଯ୍ୟନ୍ତ ଟୋକନ ଆସିନଥିବା ଜଣାଯାଇଛି । ଟୋକନ ପାଇଁ ପ୍ରଥମ ପର୍ଯ୍ୟାୟରେ ସରୋଜ ସାହୁ, ଦିଲ୍ଲୀପ ମହାକୁଡ଼, ଯୁଗଳ ବେହେରା, ରାଜକିଶୋର ପ୍ରଧାନ, ରଧିକା ମହାନ୍ତ, ଗୌରାଶଙ୍କର ମହାନ୍ତ, ଧନେଶ୍ୱର ମାଝୀ, ଯଦୁମଣି ମହାନ୍ତ, ଧବଳେଶ୍ୱର ମହାନ୍ତଙ୍କ ସମେତ ଅନ୍ୟ ଚାଷୀଙ୍କ ଟୋକନ ଆଜିପର୍ଯ୍ୟନ୍ତ ଆସିପାରି ନାହିଁ । ମଣ୍ଡି ଖୋଲିବାରେ ଯେତିକି ବିଳମ୍ବ ହେବ ଦଲାଲମାନେ ଚାଷୀଙ୍କଠାରୁ ସେତିକି ଶସ୍ତାରେ ଧାନ ଲୁଟିନେବେ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଝୁମ୍ପୁରା ବ୍ଲକ୍‌ରେ ତୁରନ୍ତ ଧାନ ମଣ୍ଡି ଖୋଲିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking