କୋଲକାତା : ଭବାନୀପୁର ବିଧାୟିକା ଭାବେ ଶପଥ ଗ୍ରହଣ କଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ତାଙ୍କ ସହ ଅନ୍ୟ ଦୁଇ ଟିଏମସି ବିଧାୟକଙ୍କୁ ଶପଥ ଗ୍ରହଣ କରାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀ ବଜାୟ ରଖିବା ପାଇଁ ମମତା ବାନାର୍ଜୀଙ୍କ ଭବାନୀପୁର ଆସନ ଜିତିବା ଜରୁରୀ ହୋଇପଡ଼ିଥିଲା। କାରଣ ସେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନରେ ବିଜେପିର ସୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଥିଲେ। ଯଦି ସେ ଭବାନୀପୁରର ବିଧାୟିକା ହେବାରେ ଅସମର୍ଥ ହୋଇଥାନ୍ତେ, ତେବେ କ୍ଷମତା ଆଉ କାହା ହାତକୁ ଚାଲିଯାଇଥାନ୍ତା।
ବାନାର୍ଜୀଙ୍କ ବ୍ୟତୀତ ଜାକିର ହୁସେନ୍ ଏବଂ ଅମିରୁଲ ଇସଲାମ ମଧ୍ୟ ପଶ୍ଚିମବଙ୍ଗର ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ବ ବହନ କରିବେ ମମତା ବାନାର୍ଜୀ। ଏନେଇ ତାଙ୍କୁ ଟିଏମସି ସାଂସଦ ମହୁଆ ମୋଇତ୍ରା ଅଭିନନ୍ଦନ ଜଣାଇଛନ୍ତି। ତେବେ ବିଜେପି ମମତା ବାନାର୍ଜୀଙ୍କୁ ହରାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ବି ଶେଷରେ ଦିଦିଙ୍କ ବିଜୟ ହୋଇଥିଲା।