38.8 C
Bhubaneswar
Friday, April 19, 2024
Homeଓଡିଶାସ୍ୱାଭିମାନ ଅଞ୍ଚଳରେ ଫେରୁଛି ଶାନ୍ତି : ତଥାପି ଭୟରେ ଗ୍ରାମବାସୀ

ସ୍ୱାଭିମାନ ଅଞ୍ଚଳରେ ଫେରୁଛି ଶାନ୍ତି : ତଥାପି ଭୟରେ ଗ୍ରାମବାସୀ

ମାଲକାନଗିର : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗ୍ରାମରେ ଗ୍ରାମବାସୀଙ୍କ ଆକ୍ରମଣରେ ମାଓବାଦୀର ମୃତ୍ୟୁ ପରେ ମାଓବାଦୀମାନେ ପ୍ରତିଷୋଧ ପରାୟଣ ହୋଇ ଘର ଓ ମୋଟର ସାଇକେଲ ପୋଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ବିଡିଓ ଲରୀମନ ଖରସେଲ, ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ସହ ଏକ ଦଳ ଜନ୍ତୁରାଇ ଓ ଯୋଡ଼ାମ୍ବ କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଯୋଡ଼ାମ୍ବ ଗ୍ରାମର ୬୦ଟି ପରିବାରକୁ ୩୦ହଜାର ଟଙ୍କା ଲେଖାଏଁ ରେଡକ୍ରସ୍‌ରୁ ସହାୟତା ଦିଆଯିବାସହ ୩ହଜାର ଟଙ୍କା ଲେଖାଏଁ ଖାଦ୍ୟ ପାଇଁ ପ୍ରଦାନ କରାଯାଇଛି । ଏଥିସହ ୬୦ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହାବ୍ୟତୀତ ୧୫ କ୍ୱିଣ୍ଟାଲ ଚାଉଳ, ୨ କ୍ୱିଣ୍ଟାଲ ଡାଲି, ୫୦ କେଜି ଚୂଡ଼ା, ତେଲ, ୨୫୦ଟି କମ୍ବଳ, ଲୁଙ୍ଗି, ବାସନକୁସନ, ପୋଷାକ ପ୍ରଦାନ କରାଯାଇଛି ।
ପୂର୍ବରୁ ମାଓବାଦୀମାନେ ବନ୍ଧୁକ ମୂନରେ ଲୋକଙ୍କୁ ଭୟଭୀତ କରାଇ ନିଜର ସ୍ୱାର୍ଥ ହାସଲ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟ ବଦଦଳି ଯାଇଛି । ପୂର୍ବରୁ କେବେ ଜିଲ୍ଲାର ଇତିହାସରେ ଏଭଳି ଲାଲଗଡ଼ରେ ମାଓବାଦୀଙ୍କୁ ସାଧାରଣ ଜନତାଙ୍କ ରୋଷର ଶୀକାର ହେବାକୁ ପଡ଼ିନଥିଲା । ତେବେ ହଠାତ୍ ଲୋକଙ୍କ ବିରୋଧ ମାଓ ସଂଗଠନ ପ୍ରତି ଏକ ଶକ୍ତ ଧକ୍କା ହୋଇଛି । ମାଓ ସଂଗଠନ କେବେ ସ୍ୱପ୍ନରେ ମଧ୍ୟ ଏଭଳି ସ୍ଥିତି କେବେ ଉପୁଜିବ ଚିନ୍ତା କରିନଥିବା ବେଳେ ହଠାତ୍ ଲୋକଙ୍କ ଏଭଳି ବିରୋଧକୁ ସଂଗଠନ ସହଜରେ ଗ୍ରହଣ କରିପାରୁନାହିଁ । ତେବେ ଲୋକଙ୍କ ମନରେ ଭୟ ଜାତ ସହ ବନ୍ଧୁକ ମୁନରେ ଶାସନ ପାଇଁ ଗତ ୨୬ ତାରିଖରେ ୧୨ ଟି ଘର ଓ ୬ଟି ମୋଟର ସାଇକେଲ ପୋଡ଼ି ଦେବାପରେ ଗ୍ରାମବାସୀ ଭୟଭୀତ ହୋଇ ଅନ୍ୟତ୍ର ପଳାୟନ କରିଥିଲେ । ଏହାକୁ ଦୃଷ୍ଟି ରଖି ବିଏସ୍‌ଏଫ୍‌, ଏସ୍‌ଓଜି, ଡିଭିଏଫ୍ ଓ ଆଇଆର୍‌ବିଏନ୍ ଫୋର୍ସ ମୁତୟନ ସହ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି । ଘର ଓ ଗାଡ଼ି ପୋଡ଼ି ପରେ ଲୋକେ ଗ୍ରାମ ଛାଡ଼ି ଚାଲିଯାଇଥିବା ବେଳେ ବର୍ତ୍ତମାନ ଜବାନଙ୍କ କଡ଼ା ପ୍ରହରା ଯୋଗୁଁ ନିଜ ନିଜର ଘରକୁ ଫେରିଛନ୍ତି ।
ଯେଭଳି ସାଧାରଣ ଜନତାଙ୍କ ଜୀବନ ରକ୍ଷା କରାଯାଇପାରିବ, ସେଥିନେଇ ସୁରକ୍ଷାକର୍ମୀମାନେ ସଚେତନ ରହି ତଲାସୀ ଅଭିଯାନକୁ ଜୋରଦାର କରିଛନ୍ତି । ଗତ ସୋମବାର ଦିନ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଓ ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ ଜନ୍ତୁରାଇ ଓ ଯୋଡ଼ାମ୍ବ ଗ୍ରାମ ଗସ୍ତ କରି ଲୋକଙ୍କ ମନୋବଳ ବୃଦ୍ଧି କରିବାସହ ଆବଶ୍ୟକୀୟ ସୁରକ୍ଷା, ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ତଥାପି ଆଗାମୀ ଦିନରେ ମାଓବାଦୀଙ୍କ ରଣନୀତି କ’ଣ ହେବ ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । କିନ୍ତୁ ବର୍ତ୍ତମାନ ବିକାଶକୁ ସମର୍ଥନ କରି ମାଓ ସଂଗଠନକୁ ବିରୋଧ କରିବାକୁ ସମ୍ପୃକ୍ତ ଗ୍ରାମବାସୀ ମନୋବଳ ଦୃଢ଼ କରିଛି । ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ଯୋଗାଇବା ମଧ୍ୟ ପୁଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ତେବେ ସେମାନଙ୍କୁ କିଭଳି ମୌଳିକ ସୁବିଧା ଓ ସୁରକ୍ଷା ଯୋଗାଇ ଦିଆଯିବ, ତାକୁ ପ୍ରାଥମିକତା ଦିଆଯାଉଛି ବୋଲି ଏସ୍‌ପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ଶନିବାର ରାତ୍ରିରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ମାଓବାଦୀ ଜନ୍ତୁରାଇ ଗ୍ରାମରେ ସ୍ୱାଭିମାନ ଅଞ୍ଚଳର ରାସ୍ତାଘାଟ ସହ ବିକାଶମୂଳକ କାର୍ଯ୍ୟକୁ ସମର୍ଥନ କରୁଥିବାରୁ ଲୋକଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ । ଏହାସହ ଫାଙ୍କା ଗୁଳିଚାଳନା କରିଥିଲେ । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ନିଜର ଜୀବନ ରକ୍ଷା ପାଇଁ ପଥର ଓ ଢ଼େଲା ମାଡ କରିବା ଫଳରେ ଗଙ୍ଗା ମାଡ଼ି ଓରଫ ଆଡ଼ମା ନାମକ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଜିପ୍ରା ହାପିକା ନାମକ ମାଓବାଦୀ ଗୁରୁତର ଆହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking