26.1 C
Bhubaneswar
Friday, March 29, 2024
Homeଓଡିଶାବିଚାରାଧିନ ମାଓବାଦୀଙ୍କ ଆତ୍ମହତ୍ୟା, ପରିବାରବର୍ଗ ଆଣିଲେ ହତ୍ୟା ଅଭିଯୋଗ 

ବିଚାରାଧିନ ମାଓବାଦୀଙ୍କ ଆତ୍ମହତ୍ୟା, ପରିବାରବର୍ଗ ଆଣିଲେ ହତ୍ୟା ଅଭିଯୋଗ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଉପ କାରାଗାରରେ ବିଚାରାଧୀନ ଅଭିଯୁକ୍ତଙ୍କ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ଚିକିତ୍ସା ଅଭାବରୁ ତ ଆଉ କେତେବେଳେ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି । ତେବେ ଗତ ୨୬ ତାରିଖ ଅପରାହ୍ନରେ ଜଣେ ବିଚାରାଧିନ ମାଓବାଦୀ ଆତ୍ମହତ୍ୟା କରିବା ପରେ ଉପ କାରାଗାରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଗତ ଖଜୂରୀଗୁଡ଼ା ଗ୍ରାମର ବିଚାରାଧିନ ମାଓବାଦୀ ଦାନୁ ଗୋଲରୀ (୩୫) ଗ୍ରାମର ଜଣକୁ ହତ୍ୟା ଘଟଣାରେ ଗିରଫ ହୋଇ ଗତ ଅକ୍ଟୋବର ୨୪ ତାରିଖରୁ ଉପ କାରାଗାରରେ ଥିଲେ ।  ତେବେ ତାଙ୍କ ଆତ୍ମହତ୍ୟା ଘଟଣାକୁ ପରିବାରବର୍ଗ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ସିସିଟିଭି ଲାଗିବା ସତ୍ୱେ କିଭଳି ସେ ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଛନ୍ତି ।

ସେ ଉପ କାରାଗାର ପାଇଖାନାରେ ଆତ୍ମହତ୍ୟା କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ସେ ବ୍ଲେଡ୍‌ରେ ନଜେ କାଟି ହୋଇଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସିସି ଟିଭି କ୍ୟାମେରା ଲାଗିବା ସତ୍ୱେ କିଭଳି ବ୍ଲେଡ ଉପ କାରାଗାର ମଧ୍ୟକୁ ଗଲା ଓ କିଏ ତାଙ୍କୁ ବ୍ଲେଡ ନେଇକି ଦେଲା, ତାହା ସବୁଠାରୁ ବଡ଼ ପ୍ରଶ୍ନ । ଉପ କାରାଗାରର ଅଧିକାରୀ ଓ କର୍ମଚାରୀ କିଳଭି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି, ତାହା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଅନ୍ୟପକ୍ଷରେ ଉପ କରାଗାର ଅଧୀକ୍ଷକଙ୍କ ଦ୍ୱାରା ମାଲକାନଗିରି ଆଦର୍ଶ ଥାନାରେ ଦେଇଥିବା ଏତଲାରେ କେବଳ ମୃତ ମାଓବାଦୀ ଗତ ଅକ୍ଟୋବର ୨୪ ତାରିଖରେ ଏସଡିଜେଏମ୍‌ଙ୍କ କୋର୍ଟ ଜି.ଆର ନମ୍ବର ୭୮୬/୨୦ ଅନୁଯାୟୀ ଉପ କାରାଗାରରେ ଥିଲେ । ତାଙ୍କୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଗତ ୨୬ ତାରିଖରେ ଭର୍ତ୍ତି କରାଯାଇଥିବା ବେଳେ ୫.୧୦ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସାକାରୀ ଡାକ୍ତର ମୃତ ଘୋଷଣା କରିିଥିବା ଉଲ୍ଲେଖ କରିଛନ୍ତି ।

କିନ୍ତୁ ଏଥିରେ ତାଙ୍କୁ କ’ଣ ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ସମସ୍ୟା କ’ଣ ଥିଲା, ସେ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ । ଏଥିନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଅନ୍ୟ ପକ୍ଷରେ ମୃତକ ଦାନୁଙ୍କ ଭାଇ ଶ୍ରୀରାମ ଗୋଲରୀ ଏହା ଆତ୍ମହତ୍ୟା ନୁହେଁ, ତାଙ୍କ ଭାଇଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି କଡ଼ା ସୁରକ୍ଷାବଳୟ ମଧ୍ୟରେ ତାଙ୍କ ଭାଇ କିଭଳି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରି ଜେଲ ପରିସରକୁ ଧାରୁଆ ଅସ୍ତ୍ର କିଭଳି ଗଲା ବୋଲି ପ୍ରଶ୍ନ କରିଛନ୍ତି । ଏଥିପାଇଁ ଜେଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗ କରି ଗତକାଲି ଗ୍ର୍ରାମବାସୀ ଶବ ସତ୍କାର ନ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ।  ଅନ୍ୟପକ୍ଷରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ  ତଦନ୍ତ ଜାରି ରହିଥିବା ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking