38.1 C
Bhubaneswar
Tuesday, April 23, 2024
Homeଓଡିଶାମାଲକାନଗିରି ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ମାଲକାନଗିରି ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି

 
ମାଲକାନଗିରି (ପ୍ରଭାତ ସାହା) : କରୋନାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାରେ ଲକ୍‌ଡାଉନ୍ କରାଯାଇଛି। ଏହାକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରରେ ଯେପରି ଲୋକେ ଅଯଥାରେ ଦଳ ଦଳ ହୋଇ ନ ବୁଲିବେ ଏବଂ ସୀମିତ ସମୟ ମଧ୍ୟରେ ନିଜର ଅତ୍ୟାବଶ୍ୟକୀୟ ଜିନିଷ କିଣି ପୁଣି ଘରକୁ ଫେରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅଯଥାରେ ବୁଲୁଥିବା ଲୋକଙ୍କୁ ସାବଡ଼ କରୁଛି ପୁଲିସ। ସେହିପରି ଜିଲ୍ଲା ଭିତରକୁ ଯେପରି ବାହାର ରାଜ୍ୟର କୌଣସି ଲୋକ ପଶି ନ ପାରନ୍ତି ସେଥିପାଇଁ ସୀମାକୁ ସିଲ୍ କରାଯାଇଛି। ତେଣୁ ମାଲକାନଗିରି ଜିଲ୍ଲା ସୀମାରେ ପୁଲିସ ୨୪ ଘଣ୍ଟିଆ ପହରା ଦେଉଥିବା ଦେଖିବାକୁ ମିଳିଛି।
ମାଲକାନଗିରି ଜିଲ୍ଲାରୁ ଛତିଶଗଡ଼କୁ ଯେପରି କୌଣସି ଲୋକ ଯିବେ ନାହିଁ ଏବଂ ଛତିଶଗଡ଼ ପଟୁ ଜିଲ୍ଲାକୁ ଯେପରି କୌଣସି ବ୍ୟକ୍ତି ପଶିପାରିବେ ନାହିଁ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି। ସୀମା ପାର ହେଉଥିବା ଲୋକଙ୍କୁ ପୁଲିସ ଅଟକାଇ ପଚରାଉଚରା କରିବା ସହ ତୁରନ୍ତ ଫେରିଯିବାକୁ ବାଧ୍ୟ କରୁଛି। ଯଦି ଜବରଦସ୍ତ ସୀମା ପାର ହେବାକୁ ଚେଷ୍ଟା କରାଯାଏ ତେବେ ପୁଲିସ ବଳ ପ୍ରୟୋଗ କରିବାକୁ ପଛାଉନଥିବା ଦେଖିବାକୁ ମିଳିଛି।
ଛତିଶଗଡ଼ ସରକାର ନିଜ ସୀମାର ସୁରକ୍ଷା ପାଇଁ ପାଦେ ଆଗକୁ ଯାଇ ପାରାମିଲିଟାରି ପହରା ବ୍ୟବସ୍ଥା କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଏତେ ମାତ୍ରାରେ କଡ଼ାକଡ଼ି କରାଯାଇଛି ଯେ, ଖସି ଚାଲି ଯିବା ପାଇଁ ସବୁ ବାଟ ବନ୍ଦ କରାଯାଇଛି। ସେହିପରି ସୀମାରେ ଗୋଟିଏ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛି। ଏହି ଟିମ୍ ଜରୁରୀ କାମରେ ସୀମା ପାର ହେୁଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପ୍ରଥମେ କରୁଛି। ଏହାପରେ କର୍ତ୍ତବ୍ୟ ଅଭିମୁଖେ ଛାଡ଼ୁଛି। ସୂଚନାଯୋଗ୍ୟ, ଓଡ଼ିଶା ଏବଂ ଛତିଶଗଡ଼ ପରସ୍ପର ଉପରେ ନିର୍ଭରଶୀଳ। ସୀମାନ୍ତରେ ରହୁଥିବା ଲୋକେ ସ୍ବାସ୍ଥ୍ୟସେବା କିମ୍ବା ବ୍ୟବସାୟ ପାଇଁ ପ୍ରତିନିଧି ଯାତାୟାତ କରିଥାନ୍ତି। ତେବେ କରୋନା ଯୋଗୁଁ ଲକ୍‌ଡାଉନ୍ ହୋଇଥିବାରୁ ଦୁଇ ରାଜ୍ୟର ସୀମାନ୍ତବାସୀ ଏବେ ହଇରାଣ ହେଉଛନ୍ତି। ଲୋକେ ସୁରକ୍ଷାକର୍ମୀଙ୍କୁ ଅତ୍ୟାବଶ୍ୟକ ଜିନିଷ ନେଉଥିବା କିମ୍ବା ଜରୁରୀ କାମ ରହିଥିବା ନେଇ ନେହୁରା ହେଉଥିଲେ ମଧ୍ୟ ସୁରକ୍ଷାକର୍ମୀ ଭିତରକୁ ପଶିବାକୁ ଦେଉନଥିବା ଦେଖିବାକୁ ମିଳିଛି। ତେବେ ସୀମାରେ ଓଡ଼ିଶାଠାରୁ ଛତିଶଗଡ଼ର ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ ରହିଛି। ଓଡ଼ିଶା ସୀମାରେ କେବଳ ରାଜ୍ୟ ପୁଲିସକୁ ନିୟୋଜିତ କରାଯାଇଛି। ଅନ୍ୟପଟେ ଛତିଶଗଡ଼ ସରକାର ସ୍ବାସ୍ଥ୍ୟ କର୍ମୀ ଏବଂ ପାରାମିଲିଟାରି ଫୋର୍ସକୁ ମୁତୟନ କରି ସୁରକ୍ଷାର ଗୋଟିଏ ସୁଦୃଢ଼ ପାଚେରି ଠିଆ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking