34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ମାମଲା: ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ମହଲତ

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ମାମଲା: ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ମହଲତ

୩୯ ବିଧାୟକଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କ ତରଫରୁ ଶିବସେନାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଜାରି କରାଯାଇଥିବା ନୋଟିସ ପ୍ରତିବାଦରେ ଆଗତ ଏକ ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେ.ବି.ପାର୍ଡିୱାଲାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଅବକାଶକାଳୀନ ଖଣ୍ଡପୀଠ ମାମଲାର ଶୁଣାଣି କରି ଜୁଲାଇ ୧୨ ପର୍ଯ୍ୟନ୍ତ ବିଦ୍ରୋହୀ ବିଧାୟକଙ୍କୁ ମହଲତ ଦେଇଛନ୍ତି । ସୂଚନାଯୋଗ୍ୟ ମେଣ୍ଟ ସରକାରକୁ ବିରୋଧ କରି ଏହି ବିଧାୟକମାନେ ବର୍ତ୍ତମାନ ଆସାମର ଗୁଆହାଟୀସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅବସ୍ଥାନ କରୁଛନ୍ତି । ଜୁନ ୨୭ ଅର୍ଥାତ ସୋମବାର ସନ୍ଧ୍ୟା ସୁଦ୍ଧା ଜବାବ ଦାଖଲ ନକଲେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଉପବାଚସ୍ପତି ନରହରି ଜିରୱାଲ୍ ପର୍ବରୁ ଜାରି କରିଥିବା ନୋଟିସରେ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ସମୟସୀମା ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଖଣ୍ଡପୀଠ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି, ଶିବସେନାର ମୁଖ୍ୟ ସଚେତକ ସୁନିଲ ପ୍ରଭୁ ଓ ବିଧାୟକ ଦଳର ନେତା ଅନିଲ ଚୌଧୁରୀଙ୍କୁ ନୋଟିସ ଜାରି କରିଛନ୍ତି । ତରବରିଆଭାବେ କୌଣସି ନିଷ୍ପତ୍ତି ନେଲେ ଅବାଞ୍ଛିତ ପରିଣାମ ଭୋଗିବାକୁ ପଡିଥାଏ ବୋଲି ଖଣ୍ଡପୀଠ ଉପବାଚସ୍ପତିଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏହାବ୍ୟତୀତ ଆସନ୍ତା ପାଞ୍ଚଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଉଭୟପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭାରେ ଆସ୍ଥାଭୋଟ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ୩୯ ଅସନ୍ତୁଷ୍ଟ ବିଧାୟକ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପରିସ୍ଥିତିରେ ଏହି ବିଧାୟକଙ୍କ ଧନଜୀବନ ପ୍ରତି ଯେପରି ବିପଦ ସୃଷ୍ଟି ନହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧କୁ ଧାର୍ଯ୍ୟ କରାଯାଇଛି ।  ଅପରପକ୍ଷରେ ସିନ୍ଧେ ଗୋଷ୍ଠୀ ତରଫରୁ ତାଙ୍କ (ଜିର୍‌ୱାଲ) ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉପବାଚସ୍ପତି ଜିର୍‌ୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବିଧାନର ଧାରା ୧୭୯ ଏବଂ ମହାରାଷ୍ଟ୍ର ବିଧାନସଭା ଆଇନର ଧାରା ୧୧ ଅନୁଯାୟୀ ସିନ୍ଧେ ଗୋଷ୍ଠୀ ପକ୍ଷରୁ ଜୁନ ୨୨ରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଉପବାଚସ୍ପତିଙ୍କ କାର୍ଯ୍ୟାଳୟରୁ ସମସ୍ତ ରେକର୍ଡ ମଗାଇଛନ୍ତି । ତେବେ ହାଇକୋର୍ଟ ପରିବର୍ତ୍ତେ ସେମାନେ କାହିଁକି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ବୋଲି ଖଣ୍ଡପୀଠ ସିନ୍ଧେ ଗୋଷ୍ଠୀକୁ ପ୍ରଶ୍ନ କରିଥିଲେ ।

ଜବାବରେ ସେମାନଙ୍କ ଓକିଲ ନୀରଜ କାଉଲ ଜଣାଇଛନ୍ତି ଯେ ମୁମ୍ବାଇରେ ଏହି ବିଧାୟକଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିନାହାନ୍ତି । ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପିକୁ ନେଇ ଗଠିତ ଏମଭିଏ (ମହା ବିକାଶ ଆଘାଡି) ମେଣ୍ଟ କ୍ଷମତାସୀନ ରହିଛି । ତେବେ କଂଗ୍ରେସ ଓ ଏନ୍‌ସିପିକୁ ବାଦଦେଇ ବିଜେପି ସହ ମେଣ୍ଟ କରିବାକୁ କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏହି ବିଧାୟକମାନେ ବର୍ତ୍ତମାନ ସ୍ୱର ଉତ୍ତୋଳନ କରୁଛନ୍ତି । ଏମାନେ ପ୍ରଥମେ ଗୁଜରାଟର ସୁରଟ ସହରରେ ଏକତ୍ର ହୋଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ୱତନ୍ତ୍ର ବିମାନରେ ଆସାମର ଗୁଆହାଟୀ ନିଆଯାଇଥିଲା । ଜୁନ ୩୦ ପର୍ଯ୍ୟନ୍ତ ଏହି ବିଧାୟକମାନେ ରାଡିସନ୍ ବ୍ଲୁ ହୋଟେଲରେ ଅବସ୍ଥାନ କରିବେ ବୋଲି ଜଣାପଡିଛି । ଏହି ବିଧାୟକଙ୍କ ରହଣି, ଖାଦ୍ୟପେୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଦୈନିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking